ଛନ୍ଦା ମିଶ୍ର

ପଶୁପକ୍ଷୀଙ୍କଠାରୁ ନିଜକୁ ଶ୍ରେଷ୍ଠ ବୋଲି ଦାବି କରୁଥିବା ମନୁଷ୍ୟ ନିଜ ପିତାମାତାଙ୍କୁ ଅନାଦରକରି ହାତଧରିଥିବା ସାଥୀଟି ସହ, କିଛି କାଳ କଟିଗଲା ପରେ, ନିଜ ପୁତ୍ରଠାରୁ ସମାନ ବ୍ୟବହାର ପାଇଲା ବେଳକୁ ପଶୁଛି ଚେତା।
ଆଜି ସମ୍ପର୍କ ଝୁଲୁଛି ସୂତାଖିଅରେ। ଯେଉଁ ସୂତାଖିଅରେ ପୁଣି ଅନେକ ଗଣ୍ଠି। ଏଇ ଗଣ୍ଠିଗୁଡ଼ିକୁ ଫିଟାଇବା ହୋଇପଡ଼ିଛି ଅସମ୍ଭବ। ଗଣ୍ଠି ଫିଟାଇବାକୁ ଚେଷ୍ଟା କଲେ ସୂତାଟି ସମ୍ପୂର୍ଣ୍ଣ ଛିଣ୍ଡିଯିବାର ରହିଛି ଯଥେଷ୍ଟ ସମ୍ଭାବନା। ତେଣୁ, ଗଣ୍ଠି ପଛେ ପଡ଼ିଥାଉ, ଦୁଇଟି ସୂତା ତ ପରସ୍ପରକୁ ଜାବୁଡ଼ି ଧରିଛନ୍ତି – ଏହି ମିଛ ସାନ୍ତ୍ୱନା ଟିକକ ଦେଇ ମନକୁ ଜବରଦସ୍ତି ବୁଝାଇବାକୁ, ଭୁଲାଇବାକୁ ପଡ଼ୁଛି।
ସ୍ୱାର୍ଥ, ସନ୍ଦେହ ଓ ଅହଂର କୁହୁଡ଼ିରେ ଢାଙ୍କି ହୋଇଥିବା ଏହି ସମ୍ପର୍କଗୁଡ଼ିକ, ମାନବ ପାଇଁ ଆନନ୍ଦର କାରଣ ହେବା ପରିବର୍ତ୍ତେ ପାଲଟି ଯାଇଛି ଅଶାନ୍ତିର ଗଣ୍ଠିଲିଟିଏ। ପ୍ରତ୍ୟେକ ସ୍ଥାନରେ ସମ୍ପର୍କର ସେତୁ ସ୍ଥାପନ ପୂର୍ବରୁ, ତା’ ସନ୍ଦେହୀ ମନରେ ମୁଣ୍ଡ ଟେକୁଛି ପ୍ରଶ୍ନଟିଏ- ୟା’ ଦ୍ୱାରା ମୋର ଲାଭ କ’ଣ ହେବ? ଯେଉଁଠି ଲାଭ ନାହିଁ ସେଠି ସମ୍ପର୍କର ମହତ୍ତ୍ୱ ନାହିଁ। ଯେଉଁଠି ଲାଭ ନାହିଁ ସେଠାରୁ ମୁହଁ ଫେରାଇ ନେବାଟା ହେଉଛି ବୁଦ୍ଧିମାନର କାର୍ଯ୍ୟ। ତେଣୁ, ପ୍ରତିଟି କଥାରେ ନିଜ ହୃଦୟର ନୁହେଁ ବରଂ ନିଜ ବୁଦ୍ଧିମତ୍ତାର ପରିଚୟ ଦେଇ, ଲାଭକ୍ଷତିର ନିକିତିରେ ସେ ସମ୍ପର୍କକୁ ତଉଲି, ଶ୍ରେଷ୍ଠ ଜୀବ ମନୁଷ୍ୟ, ନିଜ ବେପାରିବୁଦ୍ଧିକୁ ତାରିଫ୍ କରିବାରେ ଲାଗିଛି।
କୁହାଯାଏ ‘ରକ୍ତର ସମ୍ପର୍କ’ କୁଆଡ଼େ ଭାରି ଶକ୍ତିଶାଳୀ। ରକ୍ତର ଡାକରାରେ ରକ୍ତ ବୋହିଯିବାର ମଧ୍ୟ ଅନେକ ନଜିର ରହିଛି। ଜଣେ ବିପଦରେ ପଡ଼ିଲେ, ଆଉ ଜଣେ ହୋଇଉଠିଛି ବ୍ୟାକୁଳ। ରକ୍ତର ଆହ୍ୱାନରେ ସେ ବସିବା ଥାନରୁ ଉଠିଆସିବାକୁ ହୋଇଛି ବାଧ୍ୟ। ହେଲେ, ବର୍ତ୍ତମାନ ସତେଯେପରି ରକ୍ତର ସେହି ଗାଢ଼ ଲାଲରଙ୍ଗ ଫିକା ପଡ଼ିଯାଇଛି, ପାଣିଚିଆ ରକ୍ତରେ ଆଉ ସେହି ଆବେଗ ନାହିଁ, ଆଉ ସେହି ଆଶକ୍ତି ନାହିଁ। ରକ୍ତର ବନ୍ଧନ ହୋଇଯାଇଛି ହୁଗୁଳା ଓ ମୁକୁଳା।
ଏକ ଦୈନିକ ଖବରକାଗଜର, ଦୁଇଟି ଖବର ମନକୁ କଲା ଆନ୍ଦୋଳିତ। ଗୋଟିଏ ପଟେ, କଟକ ବଡ଼ ଡାକ୍ତରଖାନାରେ ପୋଡ଼ି ହୋଇଥିବା ପିତାମାତାଙ୍କୁ ଛାଡ଼ି ଯୁବକ ପୁତ୍ର ଫେରାର ହୋଇଯାଇଥିବା ବେଳେ, ସେହି ଡାକ୍ତରଖାନାରେ ନିଜ ଯୁବପୁତ୍ରଟିର ଜୀବନରକ୍ଷା ପାଇଁ ସ୍ୱାମୀ ପରିତ୍ୟକ୍ତା ମହିଳା ଜଣେ ହାତରେ ଧରିଛନ୍ତି ଭିକ୍ଷାଥାଳ।
ନିଜ ରକ୍ତ ମାଂସରେ ଗଢ଼ା ଶରୀରଟି ପାଇଁ ମା’ର ବ୍ୟାକୁଳତା ଅତୁଳନୀୟ। ଦଶମାସ ଗର୍ଭରେ ଧରି ସିଞ୍ଚନ କରିଥିବା ରକ୍ତମାଂସର ଏହି ପିଣ୍ଡୁଳାଟିକୁ ନିଜ ଦେହରୁ ଅମୃତ ପାନ କରାଇ ଏଡେଟିକେରୁ ଏଡୁଟିଏ କରିଥିବା ସନ୍ତାନଟିକୁ କେବେହେଲେ ନିଜ ସ୍ୱାର୍ଥ ପାଇଁ ସେ ଅଲଗା କରିପାରେ ନାହିଁ। ସନ୍ତାନ ହୋଇପାରେ ବିକଳାଙ୍ଗ, ଅବା ହୋଇପାରେ ନୃଶଂସ, ହେଲେ ମା’ ପାଇଁ ସେ ତା’ର ଅତି ଆଦରର ନୟନର ତାରା, ସେ ହିଁ ତା’ର ଧନ ଓ ସମ୍ପତ୍ତି। ପୁଅ ମନରେ ଖୁସି ଓ ଶରୀରରେ ଶକ୍ତି ଭରିଦେବା ପାଇଁ ମା’ ନିଜ ଜୀବନକୁ ବାଜି ଲଗାଇଦିଏ।
ହେଲେ ଏହାର ଅପରପାର୍ଶ୍ୱଟି ଘୋର ଅନ୍ଧକାର। ‘‘ନଇ ଶୁଖିଲେ କି କରେ ନାଆ, କ୍ଷୀର ଶୁଖିଲେ କି କରେ ମା’, ନୀତିରେ ମା’, ବାପା’ ଯେତେବେଳେ ଅକର୍ମଣ୍ୟ ହୋଇପଡ଼ନ୍ତି, ସେତେବେଳେ ପୁଅ କିନ୍ତୁ ଟାଳଟୁଳ ନୀତି ଧରେ। ହାତ, ନିଜ ମୁଣ୍ଡକୁ ପାଇଗଲା ପରେ ପିତାମାତା ପୁତ୍ର ପାଖରେ ପାଲଟି ଯାଆନ୍ତି ବୋଝ। ଯେଉଁ ବୋଝକୁ ମୁଣ୍ଡାଇ ଚାଲିବା ପାଇଁ, ନାଁ ତା’ ପାଖରେ ଥାଏ ଆଗ୍ରହ, ନାଁ ଥାଏ ଦାୟିତ୍ୱବୋଧ। ଫଳରେ ବୃଦ୍ଧାବସ୍ଥାରେ ହତାଦର ପାଇ ସେମାନେ କେବଳ ମୃତ୍ୟୁର କାମନା ନେଇ ଦିନଗଣନ୍ତି। ସେଥିପାଇଁ ବର୍ତ୍ତମାନ ବୃଦ୍ଧାଶ୍ରମଗୁଡ଼ିକର ସଂଖ୍ୟା ବଢ଼ିବାରେ ଲାଗିଛି।
ସମ୍ପର୍କର ସଂଜ୍ଞା ଆଜି ମନୁଷ୍ୟ ପାଖରେ ନିଜର ଅସ୍ତିତ୍ୱ ହରାଇସାରିଛି। ପକ୍ଷୀ ଶାବକ ଦେହରେ ପର ଲାଗିଲେ, ମା’ ଓ ବାପା ପକ୍ଷୀ ମିଶି ତାକୁ ଉଡ଼ିବା ଶିଖାନ୍ତି। ଖଣ୍ଡିଉଡ଼ା ଦେଉ ଦେଉ ତା’ ଡେଣାରେ ଜୋର୍ ଆସେ। ସେ ହୋଇଯାଏ ପୋଖତ ଉଡ଼ାଳି ଏବଂ ଥରେ ଉଡ଼ିବା ଶିଖିଲା ପରେ, ସେ ଆଉ ମା’-ବାପାଙ୍କ ପାଖକୁ ଫେରେ ନାହିଁ। ବରଂ ସାଥୀଟିଏ ଖୋଜି ତା’ ସହ ନିଜ ନୂଆ ବସାଟିରେ ଜୀବନକୁ କରେ ଉପଭୋଗ। ଉଣା ଅଧିକେ, ସବୁ ପଶୁପକ୍ଷୀଙ୍କ ଜୀବନରେ ଏହି ଧାରା ଅବ୍ୟାହତ ରହେ।
କିନ୍ତୁ, ବିଡ଼ମ୍ବନା, ଆଜି ପଶୁପକ୍ଷୀଙ୍କଠାରୁ ନିଜକୁ ଶ୍ରେଷ୍ଠ ବୋଲି ଦାବି କରୁଥିବା ମନୁଷ୍ୟ ମଧ୍ୟ ଏହି ପଥରେ ଅଗ୍ରସର ହେବାକୁ ସୁଖ ମଣୁଛି। ପିତାମାତାଙ୍କୁ ଅନାଦର କରି ହାତଧରିଥିବା ସାଥୀଟି ସହ, କିଛି କାଳ କଟିଗଲା ପରେ, ନିଜ ପୁତ୍ରଠାରୁ ସମାନ ବ୍ୟବହାର ପାଇଲା ବେଳକୁ ପଶୁଛି ଚେତା। ହେଲେ ସେତେବେଳକୁ ସବୁହୋଇଯାଇଛି ଶୂନ୍ୟ। ନିଜ ଭୁଲ ପାଇଁ କ୍ଷମାପ୍ରାର୍ଥନା କରି, ଅନୁଶୋଚନାର ଅଶ୍ରୁ ନିଗାଡ଼ି, ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ଚାହିଁଲେ ମଧ୍ୟ, ସମସ୍ତ ରାସ୍ତା ତା’ ପାଇଁ ବନ୍ଦ ହୋଇସାରିଛି। ତେଣୁ ପିତାମାତାଙ୍କଠାରୁ ସହଯୋଗ ତଥା ସାହା ଓ ଭରସାର ହାତଟିକୁ କାଢ଼ିଆଣିଲା ବେଳକୁ ଥରୁଟିଏ ଚିନ୍ତା କରିବା ଦରକାର ‘ତୋର ବି ତ ପୁଅଟିଏ ଅଛି…’।
(ସୌଜନ୍ୟ – ମୁଠେ ମହକ)














