ଛନ୍ଦା ମିଶ୍ର

ଯାହାର କ୍ଷତଟି ହୋଇଛି ସେ ହିଁ ବୁଝିପାରିବ ତା’ର ଯନ୍ତ୍ରଣା। ଆମେ ଉପରଠାଉରିଆ ଭାବେ ଦେଖି କେତେ କଷ୍ଟ ହେଉଥିବ ଅନୁମାନ କରିବା ସମ୍ଭବପର ନୁହେଁ।

ନିକଟ ସମ୍ପର୍କୀୟା ଜଣେ ହେଲେ କ୍ୟାନସରର ଶିକାର। ରୋଗ ନିରୂପଣ ହେଲାବେଳକୁ ତାହା ଶରୀରର ବହୁ ଅଂଶରେ ବ୍ୟାପି ଯାଇଥିଲା। ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଗଲା ଚିକିତ୍ସା। ପ୍ରଥମେ ସମସ୍ତଙ୍କୁ ଏକଥା ଲୁଚା ହୋଇଥିଲା। ଧୀରେ ଧୀରେ ସମସ୍ତେ ଏ ବିଷୟରେ ଜାଣିପାରି ତାଙ୍କୁ ଦେଖିବାପାଇଁ ଭିଡ ଜମେଇଲେ। ତେବେ ସେହି ସୌଜନ୍ୟମୂଳକ ସାକ୍ଷାତରେ ପ୍ରାୟ ପ୍ରତ୍ୟେକେ ତାଙ୍କୁ ସାନ୍ତ୍ୱନା ଦେବାପାଇଁ ଲାଗିଲେ। କିଏ କହିଲା ହଁ,  ତୁମର କଣ ହୋଇଛି କି। ତୁମେ ତ ଖୁବ ଜଲଦି ଭଲ ହୋଇଯିବ।”

ସେହିପରି ଆଉକେହି – ମୋ ପୁଅ ବାହାଘର ତ ଆରବର୍ଷ ସେଥିରେ ତୁମେ ଯୋଗଦେଇ ସବୁକିଛି ବୁଝାବୁଝି ନ କରିଲେ, ଆଉ କେହି ତ ନାହାନ୍ତି। ତେଣୁ ତୁମକୁ ଭଲ ହେବାକୁ ପଡିବ।”

ଏହିପରି ଅନେକଗୁଡିଏ ଆହା ଚୁ ଚୁ ଶୁଣି ସମ୍ପର୍କୀୟା ଜଣକ ପ୍ରବଳ ରାଗିଗଲେ। ଚିଡିଉଠି କହିଲେ ଏଟା କଣ ଫାର୍ସ ଚାଲିଛି। ଯିଏ ଆସୁଛି ତାକୁ ମୋ ରୋଗ ଛଡା ଅନ୍ୟ କୌଣସି ବିଷୟ ମିଳୁନାହିଁ ଆଲୋଚନା ବା ‘କଥାବାର୍ତ୍ତା କରିବାପାଇଁ’। ରୋଗ ତ ହୋଇଛି। ଯେବେ ମରିବାର ଥିବ ମରିବି। ସବୁଦିନ କଣ କେହି ବଞ୍ଚିଲାଣି। ହେଲେ ବଞ୍ଚି ଥାଉଥାଉ ଏ ଲୋକ ଗୁଡା ପ୍ରତି ମୁହୂର୍ତ୍ତରେ ମତେ ମରଣ କଥା ମନେ ପକାଇ ଦେଇ ବ୍ୟତିବ୍ୟସ୍ତ କରିପକାଇଲେଣି। ଆଜିଠୁ ମୁଁ ଆଉ କାହାକୁ ଭେଟିବି ନାହିଁ।”

ଠିକ୍ ସେହିପରି ଆଉ ଏକ ଘଟଣା। ଜଣେ ବନ୍ଧୁଙ୍କ ଯୁବକ ପୁତ୍ରଟି ନିହାତି ଏକ ମାମୁଲି କାରଣକୁ ନେଇ ଆତ୍ମହତ୍ୟାର ପଥ ବାଛିନେଲା। ଭାଷାରେ ସାନ୍ତ୍ୱନା ଦେବା କଷ୍ଟକର ଜାଣି ଚୁପ ରହିବାକୁ ଶ୍ରେୟ ମଣିଲୁ। ଠିକ୍ ଦୁଇଦିନ ପରେ ଫୋନ କରି ବନ୍ଧୁ ନେହୁରା ହେଲେ, ଯେପରି ହେଉ ଯାଇ ପହଞ୍ଚିବା ପାଇଁ ଗଲୁ। ଯାଇ ପହଞ୍ଚିଲା ପରେ ଦେଖିଲୁ, ଘରର ଅନ୍ୟାନ୍ୟ ସଦସ୍ୟମାନେ ମୃତକ୍ରିୟାର ପାରମ୍ପରିକ ରୀତିନୀତିଗୁଡ଼ିକ କିପରି ଠିକ୍ ଭାବେ ସମ୍ପାଦନ ହେବ ତାହା ବୁଝୁଛନ୍ତି ଏବଂ ବନ୍ଧୁ ଓ ବନ୍ଧୁପତ୍ନୀ ଦୁହେଁ ଗୋଟିଏ କୋଠରିରେ କବାଟ ଆଉଜାଇ ବସିଛନ୍ତି।

ଆମେ ଆସିଛୁ ବୋଲି ଖବର ପାଇ ବନ୍ଧୁ ସଙ୍ଗେସଙ୍ଗେ ଆମକୁ ଭିତରକୁ ନେଇଯାଇ କବାଟ ଆଉଜାଇ ନେଲେ। ଆମେ ଚୁପ୍ ହୋଇ ବସିଥାଉ। କିଏ ପରୀକ୍ଷାରେ ଫେଲ ହୋଇଛି ଯେ ପାସ କରିଯିବ। ନାଁ କିଏ ଘରଛାଡି ପଳେଇ ଯାଇଛି ଯେ ଧୈର୍ଯ୍ୟଧରି ଫେରିଆସିବ କହି ଆଶ୍ୱାସନା ଦେବୁ। ଏଠି ଯୁବକ ପୁତ୍ରଟିଏ ପିତାମାତାଙ୍କୁ ହତବାକ୍ କରି ଚାଲିଯାଇଛି। ଯେଉଁଠିକୁ ଯାଇଛି, ସେଠୁ କେହି କେବେ ଫେରେନି। ବନ୍ଧୁ ଓ ବନ୍ଧୁପତ୍ନୀ ଦୁହେଁ କାନ୍ଦିକାନ୍ଦି କିପରି ଏତେ ଛୋଟ ପିଲାଟା ଏପରି ଚରମ ନିଷ୍ପତ୍ତି ନେଇଗଲା, ବାପା ମା’ଙ୍କ କଥା ସୁଦ୍ଧା ଟିକିଏ ଚିନ୍ତା କଲାନି, ଏସବୁ କହି ନିଜ ମନର ଦୁଃଖକୁ ଆମ ସହିତ ବାଣ୍ଟି ଚାଲିଥାନ୍ତି।

ଏହି ସମୟରେ ବନ୍ଧୁଙ୍କୁ କେହିଜଣେ ଫୋନ କଲେ ଓ “ପିଲାଟା କିପରି ମଲା, କାହିଁକି ମୂଷାମରା ଔଷଧ ଖାଇଦେଲା, ମୂଷାମରା ଔଷଧକୁ ସବୁବେଳେ ପିଲାଙ୍କଠାରୁ ଲୁଚେଇ କରି ରଖିବା କଥା। ଆତ୍ମହତ୍ୟାର କାରଣ କଣ, କିଏ କହୁଛି ସେ କୁଆଡେ କାହାକୁ ପ୍ରେମ କରୁଥିଲା। ଏହା ସତ ନାଁ ଆଉ କିଛି କାରଣ ଅଛି।” – ଆଦି କହି ଚାଲିଥାନ୍ତି।

ବନ୍ଧୁ ଜଣକ କହିଲେ, “ମୁଁ ଏବେ କିଛି କହିବାର ଅବସ୍ଥାରେ ନାହିଁ। ଏହାପରେ ମଧ୍ୟ, ଫୋନ କରିଥିବା ସେ ଭଦ୍ରବ୍ୟକ୍ତି ଜଣକ, ଏ ବିଷୟରେ ନଜର ଜିଜ୍ଞାସା ଜାହିର କରିବାରେ ଲାଗିଥାନ୍ତି। ଉକ୍ତ ବ୍ୟକ୍ତିଙ୍କ ଫୋନ ରଖିଲା ପରେ ଲାଗ ଲାଗ ଆଉ ଦୁଇଟି ଫୋନ ଠିକ୍ ସେହିଭଳି ଭାବରେ ଆସିଲା।

ସବୁବେଳେ ଖୁବ ଶାନ୍ତ ରହୁଥିବା ବନ୍ଧୁଜଣକ, ଲ୍ୟାଣ୍ଡଫୋନଟିକୁ ଟାଣିଆଣି ତଳେ କଚାଡି ଦେଲେ ଓ ‘ମୁଁ ଆଉ କାହାକୁ କୌଣସି ଉତ୍ତର ଦେଇପାରିବି ନାହିଁ’କହି ତଳେ ବସିପଡି ଖୁବ ଜୋରରେ କାନ୍ଦିବାରେ ଲାଗିଲେ। ସେ ଅବସ୍ଥାରେ ତାଙ୍କ ପିଠି ଆଉଁଶି ଦେଇ ପାଣି ଗ୍ଲାସେ ପିଇବାକୁ ଦେବାଛଡା ଅନ୍ୟ କୌଣସି ଉପାୟ ଆଉ ଆମକୁ ଦିଶିଲା ନାହିଁ।

ଏହିଭଳି ଦୁଃଖଦ ପରିସ୍ଥିତି ସମସ୍ତଙ୍କ ଜୀବନରେ ଆସିଥାଏ। ସାଧାରଣତଃ ଆମେ ଯାଇଥାଉ ଦୁଃଖି ବ୍ୟକ୍ତିଟିକୁ ସାନ୍ତ୍ୱନା ଦେବାପାଇଁ, ହେଲେ ନିଜ ଅଜାଣତରେ ତା ସଦ୍ୟ ହୋଇଥିବା କ୍ଷତଟିକୁ ରାମ୍ପିବିଦାରୀ ତାକୁ କ୍ଷତାକ୍ତ କରିଦେଉ। ଦୁଃଖି ଲୋକଟିର କଟା ଘାଆରେ ଚୂନ ଦେଇ ତାକୁ ଆହୁରି ଯନ୍ତ୍ରଣାରେ ସଢ଼ିବାକୁ ଛାଡିଦେଉ।  ଯାହାର କ୍ଷତଟି ହୋଇଛି ସେ ହିଁ ବୁଝିପାରିବ ତା’ର ଯନ୍ତ୍ରଣା। ଆମେ ଉପରଠାଉରିଆ ଭାବେ ଦେଖି କେତେ କଷ୍ଟ ହେଉଥିବ ଅନୁମାନ କରିବା ସମ୍ଭବପର ନୁହେଁ।

ନିଜକୁ ଖୁବ୍ ଦୟାବାନ ଓ ତାକୁ ନିଜର ଦୟାର ପାତ୍ର ବୋଲି ଭାବି ଗୁଡାଏ ଉପଦେଶ ଦେଇ ଦେବାଦ୍ୱାରା ଆମ କର୍ତ୍ତବ୍ୟ ସମାପ୍ତ ହୋଇଯାଏ ବୋଲି ଆମେ ଭାବୁ। ଦେହରେ ଯାହାର ଆବୁ ହୋଇଥିବ, ସେ କି ଜାଣିବ ବଥର ବ୍ୟଥା, ଅନ୍ୟକୁ ଉପଦେଶ ଦେବା ଆଗରୁ, ଥରେ ନିଜ ମଧ୍ୟକୁ ଝାଙ୍କି ଦେଖନ୍ତୁ, କଣ କହିଥିଲେ ବା କରିଥିଲେ ଏହିଭଳି ଏକ ପରିସ୍ଥିତିରେ ଆପଣଙ୍କୁ ଆଶ୍ୱାସନା ମିଳିଥାନ୍ତା। ବାସ୍ ସେଇଆ ହିଁ କରନ୍ତୁ। କିଛି ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଦୁଃଖି ବ୍ୟକ୍ତିଟି ନିଜ ଦୁଃଖରୁ ଲାଘବ ତ ହେବ।

ଦୁଃଖ ସମୟରେ ପ୍ରକୃତ ବନ୍ଧୁଟିଏ ପାଖରେ ଥିଲେ ସାହସ ବଢେ। ଯଦି ପାରିବା, ତାକୁ ନିଜର କାନ୍ଧଟି ଦେଇପାରିବା ମୁଣ୍ଡ ରଖି କାନ୍ଦିବା ପାଇଁ। ଦୁଃଖ ଦୂର କରିବାର କ୍ଷମତା ତ ଆମ ପାଖରେ ନାହିଁ ତେବେ ଦୁଃଖ ବଢ଼ାଇବାର ଅଧିକାର ଆମକୁ ଦେଲା ପୁଣି କିଏ? ଏହି ସମୟରେ ଆମ କଥାବାର୍ତ୍ତା ଓ କାର୍ଯ୍ୟକଳାପରେ ଆମେ ଅତ୍ୟନ୍ତ ସଂଯମୀ ହେବା ନିତାନ୍ତ ଆବଶ୍ୟକ ହୋଇପଡେ।

ଜୀବନରେ ଅନେକ ସମସ୍ୟାପୂର୍ଣ୍ଣ ପରିସ୍ଥିତି ଆସେ। ଯେତେବେଳେ କୌଣସି ସମାଧାନର ପନ୍ଥା ଆଉ ଆଖିକୁ ଦିଶେ ନାହିଁ, ଚତୁଃପାଶ୍ୱର୍ରେ ସମସ୍ତ ରାସ୍ତା ଆମପାଇଁ ବନ୍ଦ ହୋଇ ସରିଥାଏ। ସେତେବେଳେ କେବଳ ଜଣେ ହିଁ ଅପେକ୍ଷା କରି ରହିଥାଏ ସାନ୍ତ୍ୱନା ଦେବାପାଇଁ – ସମୟ। କ୍ଷତି ତ ଭରଣା ହୋଇପାରେ ନାହିଁ। ହେଲେ ସମୟର ସୁଅରେ, କ୍ଷତ ଉପରେ ନିଶ୍ଚିତ ରୂପେ ଏକ କଅଁଳ ଆବରଣ ଢାଙ୍କି ହୋଇଯାଏ।

ସମୟ ଅସମୟରେ ସେ ଆବରଣକୁ ତଳୁ କ୍ଷତଟି କଷ୍ଟ ଦେଲେ ମଧ୍ୟ, ତାକୁ ସହନ କରିବାର ଦୃଢ଼ ଶକ୍ତି ମଧ୍ୟ ସମୟ ହିଁ ଦେଇଥାଏ।  ସମୟର ଚକ ଘୂରି ଚାଲିଛି। ଆଜି ଯିଏ ଉପରେ ଅଛି କାଲି ସେ ରହିବ ତଳେ। ତେଣୁ କାହା କଟା ଘାଆରେ ଚୂନ ଲେପିବା ଆଗରୁ, ଥରେ ନିଜ କଥା ଭାବିନେଲେ ସମସ୍ୟାଟି ହେବ ଦୂର।

(ସୌଜନ୍ୟ – ଭିନ୍ନ ମଣିଷ)

Comment