ଛନ୍ଦା ମିଶ୍ର

ଜନ୍ମ ଓ ମୃତ୍ୟୁ ଉଭୟ ଅବସ୍ଥା ପରିଚାଳିତ ହୁଏ ବିଧାତା ଦ୍ୱାରା। କିଏ ଆଗ ଯିବ ଓ କିଏ ଯିବ ପଛରେ ତାହା ତା’ର ନିଷ୍ପତ୍ତି। ଯେଉଁ ନିଷ୍ପତ୍ତି ନେବାପାଇଁ ଆମର କୌଣସି ଅଧିକାର ନାହିଁ ସେ ବିଷୟରେ ଭାବି, ନିଜକୁ ଦୋଷଦେଇ ଲାଭ ବା କଣ?

ଅନେକ ଦିନ ଧରି ପାରାଲିସିସରେ ଆକ୍ରାନ୍ତ ହୋଇ ରମାକାନ୍ତବାବୁ ବିଛଣାରେ ପଡିରହିଲେ। ସେହି ଶେଯରେ ପଡି ଖାଦ୍ୟଗ୍ରହଣ କରିବା ସହ ସେଇଠି ଝାଡାପରିସ୍ରା ଆଦି ମଧ୍ୟ କରୁଥିଲେ। ତେବେ ତାଙ୍କର ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହେଉଥିଲା ପତ୍ନୀ ସୁଲୋଚନାଙ୍କ ଦ୍ୱାରା। ସକାଳୁ ଶେଯରେ ଦାନ୍ତ ଘଷାଇବାଠାରୁ ଆରମ୍ଭ କରି ଉଷୁମ ପାଣିରେ ଦେହ ହାତକୁ ପୋଛି ପାଉଡର ଲଗାଇବା, ସମୟକୁ ଜଗି ଖାଦ୍ୟ ଓ ଔଷଧ ଖୁଆଇବା, ପାଖରେ ବସି ପେପର ପଢ଼ି ଶୁଣାଇବା ଆଦି ଯାବତୀୟ କାର୍ଯ୍ୟ ଠିକ୍ ଏକ ତାଲିମପ୍ରାପ୍ତ ନର୍ସଟିଏ ଭଳି ସୁଲୋଚନା କରିଯା’ନ୍ତି ଖୁବ୍ ଆନନ୍ଦରେ।

ଏକମାତ୍ର ପୁତ୍ର ବିବେକ ବାଙ୍ଗାଲୋରରୁ ଫୋନ୍ କରେ। ଲୋକଟାଏ ରଖ ବୋଲି ବାରମ୍ବାର କହେ। ହେଲେ ସୁଲୋଚନା ତା’ କଥା ଟାଳିଯା’ନ୍ତି। କହନ୍ତି – “ମତେ ଟିକେ ଶାରୀରିକ ପୀଡା ହେଲେ ବି ଢେର ମାନସିକ ଶାନ୍ତି ମିଳୁଛି”।

ଗଲା ଫେବୃଆରିରେ ରମାକାନ୍ତ ବାବୁ ଚାଲିଗଲେ। ବିବେକ ନିଜ ପରିବାର ସହ ଆସି ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସାରିଯିବାକୁ ବାହାରିଲା। ଗଲାବେଳକୁ ସାଥିରେ ବୋଉଙ୍କୁ ନେଇଯିବା ପାଇଁ ଜିଦ୍ କଲା। ବୋହୂଟି ମଧ୍ୟ ଏଠି ଶାଶୁ ଏକାକୀ ରହିଲେ, ବାଙ୍ଗାଲୋରରେ ସେମାନେ ଶାନ୍ତିରେ ରହିପାରିବେ ନାହିଁ ବୋଲି ଯୁକ୍ତି ଦର୍ଶାଇ, ଶାଶୁଙ୍କୁ ସାଙ୍ଗରେ ଯିବାପାଇଁ ଅନେକ ଅନୁନୟ ବିନୟ ହୋଇ କହିଲା। ହେଲେ ସୁଲୋଚନାଙ୍କର ଏକା ଜିଦ୍ ସେ ସ୍ୱାମୀଙ୍କର ବର୍ଷିକିଆ ନ ଯାଉଣୁ ଘର ଛାଡି କୁଆଡେ ଯିବେନାହିଁ।

ବିବେକ ନିରାଶ ହୋଇ ସପରିବାର ଫେରିଗଲା ନିଜ କର୍ମସ୍ଥଳୀକୁ। ବର୍ତ୍ତମାନ ସୁଲୋଚନା ହୋଇଗଲେ ପୂରା ଏକୁଟିଆ। ଗୋଟିଏ ବେଳା ରାନ୍ଧିଦେଲେ ଆରବେଳାକୁ ଆଉ ରାନ୍ଧିବାକୁ ପଡୁ ନଥିଲା। ପୂଜାପାଠ, ବାଡିବଗିଚା ଓ ସାଇପଡିଶାଙ୍କ ସହ ଯେନତେନ ପ୍ରକାରେଣ ସମୟ ବିତିବା ଆରମ୍ଭ ହୋଇଥିଲା।

ସୁଲୋଚନାଙ୍କ ବଡ଼ଭାଇ ସୁରେନ୍ଦ୍ର। ବାଲେଶ୍ୱରରେ ନିଜ ପୁତ୍ରମାନଙ୍କ ପାଖରେ ରହନ୍ତି। ରମାକାନ୍ତଙ୍କ ମୃତ୍ୟୁ ସମୟରେ ସେ ନିଜେ ରୋଗଗ୍ରସ୍ତ ହୋଇ ହାସ୍ପାତାଲରେ ପଡିଥିବାରୁ ଭଉଣୀ ପାଖକୁ ଆସିପାରିନଥିଲେ। ଦେହ ଭଲ ହେଲା ପରେ, ଭଉଣୀକୁ ଯାଇ ଦେଖିଆସିବେ ବୋଲି ଚିନ୍ତାକରି ଆସି ପହଞ୍ଚିଲେ ସୁଲୋଚନାଙ୍କ ପାଖରେ।

ଭାଇଙ୍କୁ ଏତେଦିନ ପରେ ଦେଖି ସୁଲୋଚନା ଅତ୍ୟନ୍ତ ଭାବପ୍ରବଣ ହୋଇ କାନ୍ଦିଉଠିଲେ ଓ ନିଜର ଦୁଃଖ ବଖାଣି ଚାଲିଲେ। ରମାକାନ୍ତ ସୁଲୋଚନାଙ୍କୁ ଛାଡି ପ୍ରଥମେ ଇହଧାମ ତ୍ୟାଗ କରିଥିବାରୁ ସେ ଅହ୍ୟ ସୁଲକ୍ଷଣୀ ହୋଇପାରିଲେ ନାହିଁ ଓ ଏ ଦୃଷ୍ଟିରୁ ଦେଖିଲେ ଭାଉଜ (ସୁରେନ୍ଦ୍ରଙ୍କ ପତ୍ନୀ) ଅତ୍ୟନ୍ତ ସୌଭାଗ୍ୟବତୀ। ଅନେକ ଜନ୍ମର ପୁଣ୍ୟ ବଳରେ ଜଣେ ହାତରେ ଶଙ୍ଖା ଓ ସିନ୍ଥିରେ ସିନ୍ଦୁର ଧରି ମଶାଣିକୁ ଯାଏ। ମାତ୍ର ରମାକାନ୍ତ ତାଙ୍କୁ ଠକି ପ୍ରଥମେ ଚାଲିଯାଇଥିବାର ଏ ସୌଭାଗ୍ୟରୁ ସେ ବଞ୍ଚିତ ହେଲେ ବୋଲି କହିଲେ।

ଏସବୁ କଥା ଶୁଣି ବଡଭାଇ ସୁରେନ୍ଦ୍ର ସାନଭାଉଣୀ ସୁଲୋଚନାଙ୍କୁ ପାଖରେ ବସାଇ ଅତ୍ୟନ୍ତ ସ୍ନେହଭରେ କହିଲେ – ମା’ ଆଜି ତତେ ପ୍ରଶ୍ନଟିଏ ପଚାରୁଛି। ତା’ର ଉତ୍ତର ଦେ। ସୁଲୋଚନା ପ୍ରଶ୍ନିଳ ଦୃଷ୍ଟିରେ ଚାହିଁବାରୁ ସୁରେନ୍ଦ୍ର କହିଲେ – କହିଲୁ ଦେଖି ସୁଲକ୍ଷଣା କିଏ? ଯିଏ ସ୍ୱାମୀକୁ ବେସାହାରା କରି ପ୍ରଥମେ ଚାଲିଗଲା ନା ଯାହାକୁ ସ୍ୱାମୀର ସେବା କରିବାର ସୌଭାଗ୍ୟପ୍ରାପ୍ତ ହେଲା, ଯାହା କୋଳରେ ଶାନ୍ତିରେ ଶୋଇ ସ୍ୱାମୀଟି ଶେଷନିଃଶ୍ୱାସ ତ୍ୟାଗ କଲା?

ଆଖିରୁ ଲୁହ ପୋଛି ସୁଲୋଚନା ବଡଭାଇଙ୍କୁ ଚାହିଁଲେ।

ସୁରେନ୍ଦ୍ର କହିଚାଲିଥାନ୍ତି- ଜାଣୁ, ତୋ ଭାଉଜ ଚାଲିଗଲା ପରେ ଆଜି ମୁଁ କେତେ ଏକୁଟିଆ? ବୋହୂ ତା ମନମୁତାବକ ରାନ୍ଧି ଥୋଇଦେଇଯାଏ। ସେ ଜାଣେ ଯେ, ମୁଁ ଜଣେ ଖାଦ୍ୟପ୍ରିୟ ଲୋକ। ତୋ ଭାଉଜ ଥିଲେ ଏପରି କେବେହେଲେ ହୁଅନ୍ତା ନାହିଁ। ତେବେ, ପ୍ରଥମରୁ ହିଁ ମୋର ଛୋଟବଡ ସବୁକଥାରେ ମୁଁ ନିର୍ଭର କରୁଥିଲି ତା’ ଉପରେ। ମୋ ଖାଇବା, ପିନ୍ଧିବା, ମୋ ଦେହପା କଥା ବୁଝିବା ସହ ମାର ଯାବତୀୟ ହାନିଲାଭ ଓ ସୁଖଦୁଃଖ ମୁଁ ମନଖୋଲି କେବଳ ତା ସହିତ ହିଁ ବାଣ୍ଟିପାରୁଥିଲି। ବର୍ତ୍ତମାନ ପୁଅବୋହୂ ଅଛନ୍ତି। ଝିଅ ଜୋଇଁ ଆସନ୍ତି, ହେଲେ ତା ପରି ମୋ ମନ ଜାଣି କାମ କିଏ କରିଦେବ?

ସୁରେନ୍ଦ୍ର ଅତ୍ୟନ୍ତ ତଲ୍ଲୀନ ହୋଇ କହିଚାଲିଥିଲେ – କେଉଁ ପୁରାଣ ଯୁଗରୁ ବିଶ୍ୱାସ ରହିଛି ଯେ, ବିବାହ ସ୍ଥିରୀକୃତ ହୁଏ ଦେବତାମାନଙ୍କ ଦ୍ୱାରା। ଜନ୍ମଜନ୍ମାନ୍ତରର ବନ୍ଧନରେ ଆବଦ୍ଧ ହୁଅନ୍ତି ଦୁଇଟି ଅପରିଚିତ ବ୍ୟକ୍ତି। ସମୟକ୍ରମେ ଦୁହେଁ ଦୁହିଙ୍କ ଉପରେ ଏତେମାତ୍ରାରେ ନିର୍ଭରଶୀଳ ହୋଇଉଠନ୍ତି ଯେ, ଜଣଙ୍କ ବିନା ଅନ୍ୟ ଜଣକ ନିଜ ଜୀବନକୁ ନିରର୍ଥକ ମନେ କରେ।

ପ୍ରକୃତିଦତ୍ତ ନିୟମକ୍ରମେ, ନାରୀର ହୃଦୟ ଅତ୍ୟନ୍ତ କୋମଳ। ସେ ସ୍ନେହମୟୀ ଓ ଧୈର୍ଯ୍ୟବତୀ। ଏହି ସହଜାତ ଗୁଣ ଯୋଗୁ ନିଜ ସୁଖଦୁଃଖରେ ଅନ୍ୟମାନଙ୍କୁ ଭାଗୀଦାର କରିବାପାଇଁ କୁଣ୍ଠାବୋଧ କରେନାହିଁ ନାରୀଟିଏ। ବେଶି ଦୁଃଖ ସମୟରେ ନାରୀଟି କାନ୍ଦି ପକାଇ ନିଜ ମନକୁ ହାଲୁକା ଓ ସହଜ କରିପାରୁଥିଲା ବେଳେ ଠିକ୍ ବିପରୀତ ସ୍ଥିତିର ସମ୍ମୁଖୀନ ହୁଏ ପୁରୁଷଟିଏ।

ନିଜ ପୁରୁଷସୁଲଭ ସ୍ୱଭାବ, ତାକୁ ମନର ଦୁଃଖ ମନରେ ଚାପିରଖିବାକୁ କରିଥାଏ ବାଧ୍ୟ। ପ୍ରତ୍ୟେକ ଛୋଟବଡ଼ କାର୍ଯ୍ୟ ପାଇଁ ସେ ନିର୍ଭର କରିଆସିଥାଏ ପତ୍ନୀଟି ଉପରେ। ପତ୍ନୀଟି ବର୍ଷବର୍ଷ ଧରି ଅଭ୍ୟାସଗତ ଭାବେ କରିଆସୁଥିବା କାର୍ଯ୍ୟଟିକୁ ଅନ୍ୟଜଣେ ଠିକ୍ ସେହିପରି କରିପାରୁନାହିଁ ଦେଖି ସେ ବିଚଳିତ ବୋଧ କରେ। ନିଜର ଅନ୍ତର୍ମୁଖୀ ସ୍ୱଭାବ ଯୋଗୁ ମନର ବେଦନା ଅନ୍ୟ ଆଗରେ ପ୍ରକାଶ କରିବା ସମ୍ଭବପର ହୁଏନି। ନିଜ ଅନ୍ତର୍ମନରେ ନିଜ ସହ ଅନେକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇ ଖୁବଶୀଘ୍ର ହୋଇଉଠେ ବଦରାଗୀ ଓ ଚିଡଚିଡା।

ଆଜି ମୁଁ ତୋ ପାଖକୁ ଆସୁଆସୁ ତୁ କାନ୍ଦିପକାଇ ମନର ଅକୁହା ବ୍ୟଥାଗୁଡିକ ମୋ ଆଗରେ ବଖାଣି ଦେଇ ଆଶ୍ୱସ୍ତ ହୋଇପଡିଥିବୁ ହେଲେ ମୁଁ କୁଆଡେ ଯିବି? କାହାପାଖରେ ମନର ବ୍ୟଥାର ଉପଶମ ଖୋଜିବି? ତେବେ ଏ ଅହ୍ୟ ସୁଲକ୍ଷଣୀ, ଅହ୍ୟ ଡେଙ୍ଗୁରା ଆଦି ପ୍ରଥାଗୁଡ଼ିକ କାହିଁ କେଉଁ କାଳରୁ ଚାଳି ଆସିଥିଲେ ବି ବାସ୍ତବ କ୍ଷେତ୍ରରେ ଦେଖିଲେ ଜାୟା, ଜନନୀ ଓ ଭଗିନୀ ରୂପରେ ଯେଉଁ ନାରୀ ନିଜର କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରେ, ସେ ହିଁ ସୁଲକ୍ଷଣସମ୍ପନ୍ନ।

ଜନ୍ମ ଓ ମୃତ୍ୟୁ ଉଭୟ ଅବସ୍ଥା ପରିଚାଳିତ ହୁଏ ବିଧାତା ଦ୍ୱାରା। କିଏ ଆଗ ଯିବ ଓ କିଏ ଯିବ ପଛରେ ତାହା ତା’ର ନିଷ୍ପତ୍ତି। ଯେଉଁ ନିଷ୍ପତ୍ତି ନେବାପାଇଁ ଆମର କୌଣସି ଅଧିକାର ନାହିଁ ସେ ବିଷୟରେ ଭାବି, ନିଜକୁ ଦୋଷଦେଇ ଲାଭ ବା କଣ? ତେଣୁ ଏସବୁ ଅନ୍ଧବିଶ୍ୱାସରୁ ନିଜକୁ ମୁକୁଳାଇଦେ। ତୁ ଯେ ସୁଲକ୍ଷଣା ଏଥିରେ ସନ୍ଦେହ ବା କାହିଁ? ତୋରି ପାଇଁ ତ ରମାକାନ୍ତଙ୍କୁ କାହାର ଦୟାର ପାତ୍ର ହେବାକୁ ପଡିଲା ନାହିଁ।

ମରିବା ତ ସମସ୍ତେ, ହେଲେ ତାଙ୍କ ଭଳି ସୁଖ ମରଣ କେତେଜଣଙ୍କ ଭାଗ୍ୟରେ ଅଛି? ସୁଲୋଚନା ସବୁ ଶୁଣି କହିଲେ – ସତ କହିଲ ଭାଇ, ମୋରି କୋଳରେ ଶୋଇ ଖୁବ୍ ଶାନ୍ତିରେ ସେ ଶେଷନିଃଶ୍ୱାସ ତ୍ୟାଗ କଲେ। ମତେ ତାଙ୍କ ସେବା କରିବାର ସୌଭାଗ୍ୟପ୍ରାପ୍ତ ହୋଇଥିବାରୁ ମୁଁ ନିଶ୍ଚିତ ରୂପେ ଭାଗ୍ୟବତୀ।

(ସୌଜନ୍ୟ – ଭିନ୍ନ ମଣିଷ)

Comment