ଛନ୍ଦା ମିଶ୍ର

ନିଶା ବିପକ୍ଷରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକଙ୍କୁ ଦେବା ହୃଦୟର ଗଭୀରତମ ପ୍ରଦେଶରୁ ଛୋଟ ଏକ ଧନ୍ୟବାଦ। ଏହି ଧନ୍ୟବାଦଟି ସେମାନଙ୍କ ମନୋବଳକୁ କରୁ ସୁଦୃଢ଼, ସେମାନଙ୍କ ଉତ୍ସାହକୁ କରୁ ବହୁଗୁଣିତ।

ଏକ ପ୍ରମୁଖ ଖବରକାଗଜରେ ପାଖାପାଖି ହୋଇ ଦୁଇଟି ଖବର ବାହାରିଥିଲା। ଦୁଇବନ୍ଧୁ ଟାଙ୍ଗିଆଟି ମାନ କାନ୍ଧରେ ପକାଇ ସକାଳୁ ବାହାରିଗଲେ କାମରେ। ଦିନ ତମାମର କଠିନ ପରିଶ୍ରମ ପରେ ମିଳିଥିବା ମଜୁରି ଧରି ଘରକୁ ଫେରିବା ରାସ୍ତାରେ ପଡ଼ୁଥିବା ମଦ ଦୋକାନରେ ଅଟକିଗଲା ତାଙ୍କର ପାଦ ଦିଓଟି।

ପିଆପିଇ ପରେ ମନବୋଧ ହେବାରୁ ଜଣେ ଘରକୁ ଫେରିବାକୁ ଚାହିଁଲା, ମାତ୍ର ଅନ୍ୟ ଜଣକ ଆଉ ଟିକେ ପିଇବା ପାଇଁ ପ୍ରଥମ ବନ୍ଧୁକୁ ଅନୁରୋଧ କଲା। ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାରୁ, ଦ୍ୱିତୀୟ ବନ୍ଧୁଟି ହେଲା ଉତ୍‌କ୍ଷିପ୍ତ ଓ ଅଚିରେ ତା’ ଟାଙ୍ଗିଆ ଚୋଟରେ ପ୍ରଥମ ବନ୍ଧୁର ମୁଣ୍ଡ ଲୋଟିଲା ଭୂଇଁରେ। ଦ୍ୱିତୀୟ ଘଟଣାଟି ଥିଲା ଏହିପରି – ପୁଅଟି ମଦପିଇ ଘରକୁ ଆସି, ଆହୁରି ମଦ ପିଇବା ପାଇଁ ମା’କୁ ପଇସା ମାଗିଲା। ହେଲେ ଗରିବ ମା’ଟି ପାଖରେ ପଇସା ନଥିବାରୁ ସେ ପୁଅକୁ ମନା କରିବା ସହ ବେଶି ମଦ ପିଇବା ଭଲ ନୁହେଁ ବୋଲି କହିଲା। ତତ୍‌କ୍ଷଣାତ୍‍ ପୁଅଟି ପାଖରେ ପଡିଥିବା କାଠଫାଳିଆରେ ମା’ର ମୁଣ୍ଡ ଫଟାଇ ଶରୀରଟିକୁ ଟଙ୍ଗାଇ ଦେଇଛି ଚାଳରେ।

ଏ ତ ଥିଲା ଆର୍ଥିକ ଅନଗ୍ରସର ଲୋକଙ୍କ କଥା। ମାତ୍ର ଧନିକ ଗୋଷ୍ଠୀରେ ଏହିପରି ଦୃଷ୍ଟାନ୍ତର ଅଭାବ ନାହିଁ। ନେପାଳର ରାଜକୁମାର ମଦ୍ୟପାନ କରି ମତ୍ତ ହୋଇ ସମଗ୍ର ରାଜପରିବାରକୁ କରିଥିଲେ ନିପାତ। ସଲମାନ ଖାନ୍‌ଙ୍କ ଦ୍ୱାରା ରାସ୍ତାକଡ଼ରେ ଶୋଇଥିବା ନିରୀହଙ୍କ ମୃତ୍ୟୁ ହେଉ ଅବା ମନୁ ଶର୍ମାଙ୍କ ଦ୍ୱାରା ଜେସିକାଲାଲ ମର୍ଡର କେସ୍। ପ୍ରତ୍ୟେକଟିରେ ମୁଖ୍ୟ ଭୂମିକା ତୁଲାଇଛି ନିଶା ରାକ୍ଷସ। ତେବେ ଏହି ନିଶା ରାକ୍ଷସ ଦ୍ୱାରା ଘଟି୍ଥିବା ଏହି ଦୁର୍ଘଟଣାଗୁଡ଼ିକ ନିତି ଘଟୁଥିବାରୁ ଆଉ ଆମ ହୃଦୟକୁ ଆନ୍ଦୋଳିତ କରିପାରୁନାହିଁ। ଓଲଟି ପାଲଟିଗଲାଣି ଦେହସୁହା।

ସମଗ୍ର ପୃଥିବୀରେ ଘଟୁଥିବା ଅଘଟଣଗୁଡ଼ିକ ମଧ୍ୟରୁ ୯୫% ଘଟିଥାଏ ନିଶାଗ୍ରସ୍ତ ବ୍ୟକ୍ତିଙ୍କ ଦ୍ୱାରା। କିଛି ଲୋକଲୋଚନକୁ ଆସେ ଓ କିଛି ଆସିପାରେନା। ଥରେ ମୁଣ୍ଡକୁ ନିଶା ଚଢ଼ିଗଲା ପରେ, ମାନବ ସାଜେ ଦାନବ। ହରାଇଦିଏ ନିଜର ହିତାହିତ ଜ୍ଞାନ ଟିକକ, ଲୋକ ପାଇଥାଏ ତା’ର ବିଚାର ଶକ୍ତି। ଫଳରେ ଠିକ୍‌ଭୁଲର ପାର୍ଥକ୍ୟ ବୁଝିବା ପୂର୍ବରୁ ଘଟାଇଚାଲେ ନାନାପ୍ରକାର ଦୁଷ୍କର୍ମ।

ବ୍ୟକ୍ତିଟିର ନିଶାସେବନ ପାଇଁ ତା’ ପରିବାର ସହେ ସାମାଜିକ, ମାନସିକ ଓ ଶାରୀରିକ ନିର୍ଯାତନା। ଅନ୍ୟମାନଙ୍କ ପାଇଁ ସେ ପାଲଟିଯାଏ ପୁଳାଏ ଆବର୍ଜନା। କିନ୍ତୁ ସେଥିପ୍ରତି ତା’ର ନଥାଏ ନିଘା। ନିଶାସେବନର ସମୟ ଉପନୀତ ହେଲା ମାତ୍ରେ ନିଶା ରାକ୍ଷସଟି ବ୍ୟକ୍ତିକୁ ଏପରି କିଲିବିଲି କରିପକାଏ ଯେ ସେ ଘୃଣ୍ୟରୁ ଘୃଣ୍ୟତର କାର୍ଯ୍ୟ କରିବା ପାଇଁ ମଧ୍ୟ ପଛାଏ ନାହିଁ। ଫଳସ୍ୱରୂପ କେତେ ଘର ଭାଙ୍ଗେ, କେତେ ପିଲା ବାପଛେଉଣ୍ଡ ହୁଅନ୍ତି ଓ କେତେ ମହିଳା ନିଜ ମୁଣ୍ଡରୁ ସିନ୍ଦୁର ପୋଛନ୍ତି ତା’ର ହିସାବ କେହି ରଖେନା।

ମଦ ଯେଉଁଠି, ସମସ୍ତ ମନ୍ଦଗୁଣର ସମାହାର ମଧ୍ୟ ସେଇଠି, ଏହା ଜାଣି ମଧ୍ୟ ଆଜି ମଦ୍ୟପାନର ବହୁଳ ପ୍ରସାର ହେବାରେ ଲାଗିଛି। ଏବେ ବିବାହ, ବ୍ରତ ଏପରି କି ସାଧାରଣ ଜନ୍ମଦିନ ଉତ୍ସବରେ ମଧ୍ୟ ମଦ୍ୟପାନର ଆୟୋଜନ କରାନଗଲେ ଅତିଥି ହେଉଛନ୍ତି ରୁଷ୍ଟ। ପୁରୁଷ, ମହିଳା ନିର୍ବିଶେଷରେ ବର୍ତ୍ତମାନ ଏହାକୁ ଏକ ଷ୍ଟାଟସ୍ ସିମ୍ବଲ ହିସାବରେ ଗ୍ରହଣ କରାଗଲାଣି। ମାଙ୍ଗଳିକ ଉତ୍ସବଗୁଡ଼ିକରେ ଏହାକୁ ବର୍ଜନ କରିବାକୁ କୁହାଗଲେ, ଆୟୋଜକ ନିଜର ଆଶଙ୍କା ବ୍ୟକ୍ତ କରୁଛନ୍ତି ଯେ, ଅତିଥି ଉତ୍ସବରେ ଯୋଗ ନ ଦେଇପାରନ୍ତି!

ମଦ୍ୟପାନ ସହିତ ଆନନ୍ଦର କାଳେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ଅବଶ୍ୟ ଆମ ଭଳି ସ୍ୱଳ୍ପ ବୁଦ୍ଧିସମ୍ପନ୍ନ ମଣିଷ ଏହା ବୁଝିବାକୁ ଅକ୍ଷମ ଯେ, ଉତ୍ସବର ସୁନ୍ଦର ପରିବେଶ, ବନ୍ଧୁ ମିଳନ ଓ ଖାଦ୍ୟସାମଗ୍ରୀର ବିପଣୀ ମଧ୍ୟରେ ଖୁସି ନ ହୋଇ, ମାତାଲ ହୋଇ ମାଟିରେ ଗଡ଼ିବାରେ କି ଆନନ୍ଦ ଅଛି! ସେ ବନ୍ଧୁମାନଙ୍କ ଉପସ୍ଥିତି ମଧ୍ୟ କେତେଦୂର କାମ୍ୟ, ଯେଉଁମାନେ ଏହି ନିଶାର ଆକର୍ଷଣରେ ହିଁ ଏପରି ଅନୁଷ୍ଠାନଗୁଡ଼ିକୁ ଆସିବା ପାଇଁ ନିଜର ସମ୍ମତି ପ୍ରଦାନ କରନ୍ତି?

ଉତ୍ତରପ୍ରଦେଶର ଜଣେ ସମାଜସେବୀ, ନିଜ ପୁତ୍ରର ବିବାହ ପାଇଁ ଛାପିଥିବା ନିମନ୍ତ୍ରଣପତ୍ରରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ, ‘କୌଣସି ବ୍ୟକ୍ତି ନିଶାସେବନ କରି ଉତ୍ସବରେ ଯୋଗଦେବା ପାଇଁ ଆସିବେ ନାହିଁ, ଏହା ଆମର ବିନମ୍ର ଅନୁରୋଧ।’ ଖବରଟି କହେ, ତାଙ୍କର ଅନେକ ବନ୍ଧୁ, ଏହି ଛୋଟ ଅନୁରୋଧଟି ରକ୍ଷା କରିଥିଲେ।

ଠିକ୍ ସେମିତି ମଦ୍ୟପାନର ସୁଅ ଛୁଟେ, ପୂଜାପାର୍ବଣର ଋତୁ ଆସିଲେ। ପୂଜାମଣ୍ଡପର କର୍ମକର୍ତ୍ତା। ମଦ୍ୟପାନ ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରି ଖର୍ଚ୍ଚ ତାଲିକା ପ୍ରସ୍ତୁତ କରନ୍ତି। ଏହି ସମୟରେ ପୂର୍ବରୁ ମଦ୍ୟପାନରେ ଅଭ୍ୟସ୍ତ ନ ଥିବା ଅନେକ ଯୁବକ ମଦ ଢୋକେ ପିଇବା ନିହାତି ଜରୁରୀ ବୋଲି ପାଇଥାନ୍ତି ଗୁରୁମନ୍ତ୍ର ଏବଂ ଭାବନ୍ତି ଯେ ଆମେ ଯେତେବେଳେ ଚାହିଁବୁ ଏ ଅଭ୍ୟାସଟିକୁ ପରିତ୍ୟାଗ କରିପାରିବୁ। କିନ୍ତୁ ତାହା ଭୁଲ୍ ପ୍ରମାଣିତ ହୁଏ।

ଯେତେବେଳେ ନେଡିଗୁଡ଼ କହୁଣିକୁ ବୋହିଯାଏ ‘ମଦ’ ପାଇଁ ସେମାନେ ନାନା ଦହଗଞ୍ଜ ହୋଇ ମଦ ଛାଡ଼ିବା ପାଇଁ ଚାହାନ୍ତି, ‘ମଦ’ କିନ୍ତୁ ସେମାନଙ୍କୁ ଏତେ ଭଲ ପାଇ ବସିଥାଏ ଯେ, ସେ ଆଉ ବ୍ୟକ୍ତିଟିକୁ ଛାଡ଼ି ରହିପାରେନା। ଏ ନର୍କରେ ଥରେ ପାଦ ଦେଲାପରେ ଚୋରାବାଲି ପରି ସମ୍ପୂର୍ଣ୍ଣ ବ୍ୟକ୍ତିଟିକୁ ଗିଳିସାରିଲା ପରେ ‘ମଦ’ ଯାଇ ଥୟ ଧରେ। ତେଣୁ ପୂଜାପାର୍ବଣ ସମୟରେ ଏହି ଯୁବକମାନଙ୍କ ଆତ୍ମୀୟମାନେ ଘୋର ଦୁଶ୍ଚିନ୍ତାରେ କାଳ କାଟନ୍ତି।

ମଦକୁ ବିରୋଧ କରୁଥିବା ଲୋକକୁ ଏଇ ଉଦ୍ଭଟ ଯୁକ୍ତି ଶୁଣିବାକୁ ମିଳେ ଯେ ଯଦି ମଦ ବନ୍ଦ କରିଦିଆଯାଏ ତାହେଲେ ବେଶ୍ ରାଜସ୍ୱ କ୍ଷତି ସହିବେ ସରକାର ଓ ଅନେକେ ମଧ୍ୟ ହୋଇଯିବେ ବେରୋଜଗାର। ମାତ୍ର ମଦ ସପକ୍ଷରେ ଯୁକ୍ତି କରୁଥିବା ଏହି ବ୍ୟକ୍ତିମାନେ ଜାଣନ୍ତି ନାହିଁ ଯେ, ମଦ ବିନା ହୋଇଥିବା କ୍ଷତି, ମଦ ପାଇଁ ହେଉଥିବା କ୍ଷତି ତୁଳନାରେ ଅତ୍ୟନ୍ତ ନଗଣ୍ୟ। ଯଦିଓ ଏପରି କୌଣସି ଉପାୟ ନାହିଁ ଯାହାଦ୍ୱାରା ସମଗ୍ର, ପୃଥିବୀ ସମ୍ପୂର୍ଣ୍ଣ ରୂପେ ନିଶାମୁକ୍ତ ହୋଇପାରିବ, କିନ୍ତୁ ବରଗଛର ଛୋଟ ମଞ୍ଜିଟି ଭିତରେ ବିରାଟ ବୋଧିଦ୍ରୁମର ସମ୍ଭାବନା ଥିଲା ପରି ନିଶା ସେବନ ନ କରୁଥିବା ପ୍ରତ୍ୟେକଟି ବ୍ୟକ୍ତି ଯଦି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଏହାକୁ ବିରୋଧ କରନ୍ତି ତେବେ ନିଶା ଏକ ବିଶାଳ ସମସ୍ୟା ହୋଇ ରହିବ ନାହିଁ। ତେଣୁ ଆସନ୍ତୁ, ନିଶା ବିପକ୍ଷରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକଙ୍କୁ ଦେବା ହୃଦୟର ଗଭୀରତମ ପ୍ରଦେଶରୁ ଛୋଟ ଏକ ଧନ୍ୟବାଦ। ଏହି ଧନ୍ୟବାଦଟି ସେମାନଙ୍କ ମନୋବଳକୁ କରୁ ସୁଦୃଢ଼, ସେମାନଙ୍କ ଉତ୍ସାହକୁ କରୁ ବହୁଗୁଣିତ।

(ସୌଜନ୍ୟ – ମୁଠେ ମହକ)

Comment