ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପିର ଦୁଇ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଏବଂ ବିଜୟ ମହାପାତ୍ର।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ବିଜେପି ଶାସକ ବିଜେଡିକୁ ଘେରୁଥିବା ବେଳେ ବିଜେପି ଭିତରେ କନ୍ଦଳ ଦେଖାଦେଇଛି। ବିଜେପିର ଦୁଇ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଏବଂ ବିଜୟ ମହାପାତ୍ର ମୁହାଁମୁହିଁ ହୋଇଛନ୍ତି।

ମେଣ୍ଟ ଶାସନ ବେଳେ ବିଜେପି ହାତରେ ଆଇନ ବିଭାଗ ଥିଲା। ସେତେବେଳେ ବିଜେପି ଶ୍ରୀମନ୍ଦିର ଅବ୍ୟବସ୍ଥା ଦୂର କରିବା ପାଇଁ ବିଜେପି କ’ଣ କରିଥିଲା ବୋଲି ବିଜୟ ପ୍ରଶ୍ନ ଉଠାଇବା ପରେ ବିଶ୍ୱଭୂଷଣ ଏହାର ଜବାବ ଦେବାକୁ ଆଗେଇ ଆସିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ବିଶ୍ୱଭୂଷଣ ବିଜୟଙ୍କୁ କଡ଼ା ଜବାବ ଦେଇଛନ୍ତି।

“ବିଜେପି ଶ୍ରୀମନ୍ଦିରର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ୨୦୦୦ରୁ ୨୦୦୪ ଭିତରେ ଜଗନ୍ନାଥ ମନ୍ଦିରରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା। ଜଗନ୍ନାଥ ଟେମ୍ପୁଲ ଆକ୍ଟର ସଂସ୍କାର କରାଯାଇଥିଲା। ସେତେବେଳେ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ହୋଇଥିଲେ ଗଜପତି ମହାରାଜ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଜଣେ ଅଧିକାରୀଙ୍କୁ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା। ଆର୍‌ଡିସି ରାଙ୍କର ଆଉ ଜଣେ ଆଇଏଏସ୍ ଅଫିସରଙ୍କୁ ମୁଖ୍ୟ ପ୍ରଶାସକ କରାଯାଇଥିଲା। ଯୁଗ୍ମ ସଚିବ ରାଙ୍କର ଦୁଇ ଜଣ ଅଧିକାରୀଙ୍କୁ ନୀତି ପ୍ରଶାସକ ଏବଂ ଉନ୍ନୟନ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଥିଲା। ଅତିରିକ୍ତ ଏସ୍‌ପି ରାଙ୍କର ଜଣେ ଅଫିସରଙ୍କୁ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଥିଲା”, କହିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ।

ଏ ସମ୍ପର୍କରେ ହୁଏତ ବିଜୟବାବୁ ଜାଣି ନାହାନ୍ତି। ବିଜୟବାବୁ ସବୁ ବୁଝି ବିଚାରି ମନ୍ତବ୍ୟ ଦେବା ଠିକ୍ ଥିଲା ବୋଲି ବିଶ୍ୱଭୂଷଣ କହିଛନ୍ତି।

ଶ୍ରୀମନ୍ଦିରର ଆୟ ବଢ଼ାଇବା ପାଇଁ ମନ୍ଦିର ବାହାରେ ଥିବା ମନ୍ଦିର ପ୍ରଶାସନ ଅଫିସରେ ଦାନବାକ୍ସ ବସା ଯାଇଥିଲା। ଭୁବନେଶ୍ୱର ଜୟଦେବ ଭବନ ନିକଟରେ ଏକ ସୂଚନା କେନ୍ଦ୍ର ନିର୍ମାଣ କରାଯାଇଥିଲା। ସେଠାରେ ମଧ୍ୟ ଦାନ ବାକ୍ସ ବସାଯାଇଥିଲା। ଆନନ୍ଦ ବଜାର ନବୀକରଣ ଏବଂ ମେଘନାଦ ପାଚେରୀ ଚାରପଟେ ହାଇମାଷ୍ଟ ଲାଇଟ୍ ଲଗାଯାଇଥିଲା।

ବିଶ୍ୱଭୂଷଣଙ୍କ ମନ୍ତବ୍ୟର କାଉଣ୍ଟର ଆଟାକ କରିଛନ୍ତି ବିଜୟ। ସେ କହିଛନ୍ତି ଯେ ମୁଁ ବିଶ୍ୱଭୂଷଣଙ୍କ ନାଁ ଧରିନି। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ  ମନ୍ତବ୍ୟ ଉପରେ ମତ ରଖିଥିଲି। ୧୯୮୫ରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା। ଚାବି କୁଆଡ଼େ ଗଲା ସେ ସମ୍ପର୍କରେ ୧୯୮୫ରୁ ୨୦୧୮ରେ ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନେ କହିପାରିବେ।

LEAVE A REPLY

Please enter your comment!
Please enter your name here