ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିପାଇଁ ଚାଲିଥିବା ନିର୍ମାଣ ଏବଂ ପ୍ରସ୍ତୁତି କାର୍ଯ୍ୟକୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି ଦେଖିଥିଲେ।

ଆସନ୍ତା ନଭେମ୍ବର- ଡିସେମ୍ବର ମାସରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ଷ୍ଟାଡିୟମର ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ପୁନର୍ଗଠନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟର ଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକଟ କରିଛନ୍ତି।

“କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯଥା ସମୟରେ ଚାଲିଥିବାରୁ ମୁଁ ବହୁତ ଖୁସି। ବିଶ୍ୱକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ହକି କମ୍ପ୍ଲେକ୍ସର ଦର୍ଶକ କ୍ଷମତା ୮ରୁ ୧୫,୦୦୦କୁ ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ଅଧିକ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଆସି ବିଶ୍ୱକପ୍‌ ଦେଖିବାର ସୁଯୋଗ ପାଇବେ”, କହିଛନ୍ତି ମୁଖ୍ୟମନ୍ତ୍ରୀ।

 “ଷ୍ଟାଡିୟମରେ ଚାଲିଥିବା କାର୍ଯ୍ୟ ସନ୍ତୋଷଜନକ। ଷ୍ଟାଡିୟମରେ ନୂଆ ଟର୍ଫ ବିଛା ସରିଛି। ଉଭୟ ଅଭ୍ୟାସ ଓ ମୁଖ୍ୟ ପିଚ୍‌ର ଫ୍ଲଡଲାଇଟ୍‌ରେ ଉନ୍ନତି ଅଣାଯାଇଛି। ଷ୍ଟାଡିୟମର ନିକଟସ୍ଥ ରାସ୍ତାଗୁଡିକ ଚଉଡା କରାଯାଉଛି ଓ ନୂଆ ଗେଟ୍‌ ମଧ୍ୟ ସ୍ଥାପନ କରାଯିବ। ଏଥିସହିତ ସ୍ଥାୟୀ ସିସିଟିଭି କ୍ୟାମେରା ମଧ୍ୟ ଷ୍ଟାଡିୟମରେ ଲଗାଯିବ”, କହିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ତଥା କମିଶନର ବିଶାଲ ଦେବ।

ସେ ଆହୁରି ମଧ୍ୟ କହିଛନ୍ତି, “ବିଶ୍ୱକପ ଆୟୋଜନରେ ସାରା ବିଶ୍ୱରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ସ୍ଥାନ ତଥା ପରିଚୟ ଦେବାକୁ ଆମେ ପ୍ରୟାସ ଜାରି ରଖିଛୁ। ପୁଣି ଆସନ୍ତା ମାସରେ ଲଣ୍ଡନରେ ଆୟୋଜନ ହେବାକୁଥିବା ମହିଳା ହକି ବିଶ୍ୱକପ୍‌ରେ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ର ପ୍ରଚାର କରିବାକୁ ଆମେ ନିଷ୍ପତ୍ତି ନେଇଛୁ”।

ମୁଖ୍ୟମନ୍ତ୍ରୀଙ୍କ ସହ ଇଡକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ସିଂ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ତଥା କମିଶନର ବିଶାଲ ଦେବ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆର ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

Comment