ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ତାଙ୍କର ସହଯୋଗୀ ଦିଲ୍ଲୀ ଉପରାଜ୍ୟପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଉପ-ରାଜ୍ୟପାଳ କାର୍ଯ୍ୟାଳୟ ଆଗରେ ଅନଶନ ଓ ଧାରଣାରେ ବସିବାକୁ କିଏ ଅନୁମତି ପ୍ରଦାନ କରିଛି ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ।

ଦିଲ୍ଲୀ ବିଜେପି ନେତା ବିଜେନ୍ଦ୍ର ଗୁପ୍ତା କରିଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି କଡ଼ା ଟିପ୍ପଣୀ ଦେଇଛନ୍ତି।

କେଜିରିଓ୍ଵାଲ୍‌ଙ୍କ ସହ ତାଙ୍କ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦର୍‌ ଜୈନ୍‌ ଏବଂ ଗୋପାଳ ରାୟ ଗତ ସୋମବାରଠାରୁ ଉପ-ରାଜ୍ୟପାଳ ଅନୀଲ ବୈଜାଲ୍‌ଙ୍କ ଆବାସିକ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଛନ୍ତି। ତାଙ୍କର ଦାବି ଆଇଏଏସ୍‌ ଅଧିକାରୀମାନେ ଧର୍ମଘଟ ବନ୍ଦ କରନ୍ତୁ ଏବଂ ଦିଲ୍ଲୀ ସରକାରଙ୍କୁ କାର୍ଯ୍ୟ କରିବାକୁ ସୁଯୋଗ ଦିଅନ୍ତୁ।

ରବିବାର ଦିନ ଆଇଏଏସ୍‌ ଅଧିକାରୀମାନେ କହିଛନ୍ତି ଯେ ସେମାନେ ଧର୍ମଘଟ କରିନାହାନ୍ତି ଓଲଟି ସେମାନଙ୍କୁ ରାଜନୈତିକ ସ୍ୱାର୍ଥରେ ଉପଯୋଗ କରାଯାଉଛି। ଅଯଥାରେ ସେମାନଙ୍କୁ ବଳି ପକାଯାଉଛି।

ଧାରଣାରେ ବସିଥିବା ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦର୍‌ ଜୈନ୍‌ଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ତୁରନ୍ତ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅରବିନ୍ଦ କେଜିରିଓ୍ଵାଲ୍‌ଙ୍କ ଏହି ଧାରଣାକୁ ଦେଶର ବହୁ ରାଜନୈତିକ ନେତା ସମର୍ଥନ କରିଛନ୍ତି। ରବିବାର ନୀତି ଆୟୋଗ ବୈଠକ ପାଇଁ ଦିଲ୍ଲୀ ଯାଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେରଳ ମୁଖ୍ୟମନ୍ତ୍ରୀ ବିଜୟନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଅରବିନ୍ଦ କେଜିରିଓ୍ଵାଲ୍‌ଙ୍କୁ ଭେଟିଥିଲେ।

Comment