ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆ ଏବଂ ଅନ୍ୟ ଗଣମାଧ୍ୟମରେ ସୋନାଙ୍କ ବିରୋଧରେ ସ୍ୱର ଯେତେ ତୀବ୍ର ହେଉଛି, ସେ ନିଜେ ନିଜ ସପକ୍ଷରେ ସେତିକି ଢୋଲ ପିଟି ଚାଲିଛନ୍ତି

ଭକ୍ତ ସାଲବେଗଙ୍କୁ ‘ସାଲେବେଗ’ ବୋଲି କହିବା ସହ ପ୍ରସିଦ୍ଧ ଜଗନ୍ନାଥ ଜଣାଣ ‘ଆହେ ନୀଳ ଶ‌ଇଳ ପ୍ରବଳ ମତ୍ତ ବାରଣ’କୁ କଦର୍ଥ କରି ଗାଇଥିବା ସୋନା ମହାପାତ୍ରଙ୍କର ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି କୌଣସି ଖାତିର ନାହିଁ। ଗତ ଦୁଇଦିନ ଧରି ସୋସିଆଲ ମିଡିଆରେ ଅନେକ ଲୋକ ସୋନାଙ୍କର ଏହି ତ୍ରୁଟିପୂର୍ଣ୍ଣ ଗାୟକ ଶୈଳୀ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସୋନା ନିଜର ଭୁଲ ପାଇଁ କ୍ଷମା ମାଗିବା ଦରକାର ଏବଂ ସେ ୟୁଟ୍ୟୁବରେ ଅପଲୋଡ କରିଥିବା ଭିଡିଓକୁ କାଢିନେବା ଉଚିତ ବୋଲି ଅନେକ ମତ ପ୍ରକାଶ ପାଇଛି। କିନ୍ତୁ ଏସବୁ ଜନମତ ପ୍ରତି ସୋନାଙ୍କର କୌଣସି ପରବାୟ ନାହିଁ।

ଓଡ଼ିଶାର ଖବରକାଗଜ, ଟେଲିଭିଜନ ଏବଂ ବିଭିନ୍ନ ଏବଂ ବିଭିନ୍ନ ଅନଲାଇନ ମିଡିଆରେ ସୋନାଙ୍କର ପ୍ରଦର୍ଶନ ଉପରେ ସମାଲୋଚନା ହୋ‍ଇଛି। ଓଡ଼ିଆ ଭାଷା, ସଙ୍ଗୀତ ଏବଂ ସଂସ୍କୃତି ସହିତ ଜଡ଼ିତ ବ୍ୟକ୍ତିମାନେ ମଧ୍ୟ ଗଣମାଧ୍ୟମରେ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ମୋଟାମୋଟି ଭାବେ ବିଭିନ୍ନ ମହଲରେ ଏବଂ ମିଡିଆରେ ସୋନାଙ୍କୁ ନେଇ ଯେଉଁ ପ୍ରତିକ୍ରିୟା ଉଠିଛି, ତା’ର ମର୍ମ ହେଉଛି: ଆହେ ନୀଳ ଶ‍ଇଳ ଭଳି ଏକ ଭକ୍ତିଭରା ଜଣାଣକୁ ଏଭଳି ବେପରୁଆ ଢଙ୍ଗରେ ତଥା ତ୍ରୁଟିପୂର୍ଣ୍ଣ ଭାବେ ପରିବେଷଣ କରି ଓଡ଼ିଶାରେ ଜନ୍ମିତ ସୋନା ମହାପାତ୍ର କେବଳ ଜଣେ କଳାକାର ହିସାବରେ ଭୁଲ କରିନାହାନ୍ତି, ବରଂ ଓଡ଼ିଆମାନଙ୍କ ପ୍ରତି ଅପମାନ କରିଛନ୍ତି।

ଭୁଲ ପାଇଁ କୌଣସି ଅନୁଶୋଚନା ନାହିଁ

କିନ୍ତୁ ଏସବୁ ମତାମତ, ପ୍ରତିକ୍ରିୟା ବା ପରାମର୍ଶର ସାମାନ୍ୟ ପ୍ରଭାବ ସୋନାଙ୍କ ଉପରେ ପଡ଼ିପାରିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ସୋନା ମହାପାତ୍ର ବିଭିନ୍ନ ସୋସିଆଲ ମିଡିଆରେ ଘନ ଘନ ଲୋକଙ୍କ କ୍ଷୋଭ ଓ ପ୍ରତିକ୍ରିୟାର ଉତ୍ତର ଦେଇଚାଲିଛନ୍ତି। ଏହି ଜବାବ ଦେବାବେଳେ ସୋନା ମହାପାତ୍ରଙ୍କ ମନରେ ସାମାନ୍ୟ ଦୁଃଖ ବା ଅନୁଶୋଚନା ଥିବା ଭଳି ମନେହେଉନାହିଁ। ବରଂ ସୋନା ଅତି ଯତ୍ନବାନ ହୋ‍ଇ ନିଜ ସପକ୍ଷରେ ଓକିଲାତି କରିବା ସହ ବିଭିନ୍ନ ଅଭିଯୋଗର କଡ଼ା ତଥା ପାଲଟା ଜବାବ ଦେବାକୁ ପଛାଉନାହାନ୍ତି।

ମୋଟାମୋଟି ଭାବେ ସୋନାଙ୍କ ଜବାବର ଅର୍ଥ ହେଉଛି: ମୋର ଯେମିତି ଇଛା ହେଲା ମୁଁ ଗାଇଲି। ତମର କ’ଣ ଗଲା? ଏପରିକି ତାଙ୍କର ବିଭିନ୍ନ ପ୍ରତିକ୍ରିୟାଜନିତ ପୋଷ୍ଟରେ ସେ ତାଙ୍କ ଭିତରର ଔଦ୍ଧତ୍ୟକୁ ପ୍ରକାଶ କରିବାକୁ ପଛାଉନାହାନ୍ତି।


ନିଜ ଢୋଲ ପିଟୁଛନ୍ତି ସୋନା

ସୋନା ମହାପାତ୍ର ଲୋକଙ୍କ ମୂଳ ପ୍ରତିକ୍ରିୟା ଉପରେ ସିଧାସଳଖ ଜବାବ ନରଖି ଓଲଟା ଲୋକଙ୍କ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ପ୍ରଶ୍ନ ପଚାରିଛନ୍ତି। ମଙ୍ଗଳବାର ଦିନ ସେ ଏକାଧିକ ଟୁଇଟ୍‌ କରି କହିଛନ୍ତି ଯେ, ଲୋକଙ୍କୁ ଖାଲି ତାଙ୍କର ଭୁଲ ଦେଖାଯାଉଛି। ଆହେ ନୀଳ ଶ‍ଇଳ ଗୀତ ଗାଇବା ବେଳେ ସେ ମୁଣ୍ଡରେ ଚନ୍ଦନ ଚିତା କରିଥିଲେ। ଏହା ଭକ୍ତି ଭାବନାର ଏକ ନିଦର୍ଶନ। ସେହିପରି ସେ ଅଣ୍ଟାରେ ରୂପାର କମରପେଟି ବାନ୍ଧିଥିଲେ, ଯାହାକି ଓଡ଼ିଶୀ ନୃତ୍ୟ ସମୟରେ ବ୍ୟବହାର କରାଯାଏ।

ସେହିପରି ଓଡ଼ିଶାର କୋଟପାଡ଼ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ସ୍ୱତନ୍ତ୍ର ହାତବୁଣା କପଡ଼ାରେ ତିଆରି ଗାଉନ୍‍ ପିନ୍ଧିଥିଲେ ସୋନା। ତେବେ ଏସବୁ ସାଂସ୍କୃତିକ ଏବଂ ଓଡ଼ିଶା ସହ ସଂପୃକ୍ତ ଦିଗଗୁଡ଼ିକ କ’ଣ କାହା ଆଗରେ ପଡ଼ିଲାନି ବୋଲି ସୋନା ଓଲଟା ପ୍ରଶ୍ନ କରିଛନ୍ତି।

ସୋମବାର ଦିନ ସୋନା ମହାପାତ୍ର ଟୁଇଟରରେ ଗୋଟିଏ ପ୍ରତିକ୍ରିୟାର ଜବାବ ଦେଇ ଲେଖିଥିଲେ ଯେ ଓଡ଼ିଆ ତାଙ୍କର ପ୍ରଥମ ଏବଂ ଏପରିକି ଦ୍ୱିତୀୟ ଭାଷା ନୁହେଁ। ତେଣୁ ଓଡ଼ିଆ ଗୀତ ଗାଇବା ବେଳେ ଯଦି ସେ କିଛି ଭୁଲ କରିଥା’ନ୍ତି, ତାହା କ’ଣ ଏକ ବଡ଼ ଅପରାଧ – ଏହି କଥା କହିବାକୁ ଚାହିଁଛନ୍ତି ବଲିଉଡ ଗାୟିକା ସୋନା ମହାପାତ୍ର। ସୋସିଆଲ ମିଡିଆ ଏବଂ ଅନ୍ୟ ଗଣମାଧ୍ୟମରେ ସୋନାଙ୍କ ବିରୋଧରେ ସ୍ୱର ଯେତେ ତୀବ୍ର ହେଉଛି, ସୋନା ନିଜ ସପକ୍ଷରେ ସେତିକି ଢୋଲ ବଜାଇ ଚାଲିଛନ୍ତି, ଏହାହିଁ ସବୁଠାରୁ ଦୁର୍ଭାଗ୍ୟର କଥା ବୋଲି ମତପ୍ରକାଶ ପାଇଛି।


Comment