ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଉଦ୍ୟାନ କୃଷି ଉପରେ ନିର୍ଭରଶୀଳ କୃଷକଙ୍କ ବିକାଶ ସହିତ ଗ୍ରାହକମାନଙ୍କୁ ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ପାନୀୟ ଯୋଗାଇଦେବା ଲାଗି ବଜାରରେ ପ୍ରବେଶ କରିଛି ତାଜା ଫଳର ପଲ୍ପରୁ ପ୍ରସ୍ତୁତ ଶୁଦ୍ଧ ଫଳରସ ‘ଏହା’। ଓଡ଼ିଶାର କଂପାନି ଆଗ୍ରି ଲିଙ୍କ୍ ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ବର୍ତମାନ ଏହାର ଲିଚୁ ଓ ଆମ୍ବ ଜୁସ୍ ବଜାରକୁ ଛଡ଼ାଯାଇଛି। ଆଗକୁ ଆଉ ଚାରୋଟି ଭେରାଇଟି ବଜାରରେ ଉପଲବ୍ଧ ହେବାକୁ ଯାଉଛି।

ଏହି ଜୁସର ସ୍ୱତନ୍ତ୍ରତା ଦେଉଛି ଏହା ତାଜା ଫଳର ପଲ୍ପରୁ ପ୍ରସ୍ତୁତ। ଆଗାମୀ ଦିନରେ ‘ଏହା’ ବ୍ରାଣ୍ଡକୁ ଭାରତର ୧୦ଟି ଶ୍ରେଷ୍ଠ ପାନୀୟ ମଧ୍ୟରେ ସାମିଲ୍ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଓଡ଼ିଆ କୃଷି ଉଦ୍ୟୋଗୀ ତଥା ଆଗ୍ରି ଲିଙ୍କର ପ୍ରତିଷ୍ଠାତା ଓ ମ୍ୟାନେଜିଂ ଡିରେକ୍ଟର ଲେଫ୍ଟେନଣ୍ଟ କର୍ଣ୍ଣେଲ୍ ଅସିତ୍ ମହାପାତ୍ର।

ବଜାରରେ ବିଭିନ୍ନ ବ୍ରାଣ୍ଡ ଓ ବିଭିନ୍ନ କିସମର ଫଳରସ ମିଳୁଛି। ତେବେ ଅନେକ ଜୁସରେ ନାନା ପ୍ରକାରର ରାସାୟନିକ ଦ୍ରବ୍ୟ ମିଶୁଥିବାରୁ ତାହା ପାଟିକୁ ସୁଆଦିଆ ଲାଗିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ଶୁଦ୍ଧ ଫଳରସରୁ ପ୍ରସ୍ତୁତ ‘ଏହା’ରେ କୌଣସି ପ୍ରକାର ପ୍ରିଜରଭେଟିଭ୍ ମିଶୁ ନାହିଁ ବୋଲି ଏହାର ପ୍ରତିଷ୍ଠାତା ଗ୍ରାହକମାନଙ୍କୁ ସୂଚନା ଦେଇଛନ୍ତି ।

‘ଏହା’ ଜୁସ ଅନ୍ୟ ଏକ ସ୍ୱତନ୍ତ୍ରତା ହେଉଛି ଏଥିରେ ଆଲୋଭେରାର ମିଶ୍ରଣ। ଆଲୋଭେରା ସ୍ୱାସ୍ଥ୍ୟ ପାଇଁ ହିତକର। ବିଶେଷକରି ତ୍ୱଚା, କେଶ ଏବଂ ପେଟଜନିତ ସମସ୍ୟାର ସମାଧାନ କରିବାରେ ଏହା ସହାୟକ ହୋଇଥାଏ। ‘ଏହା’ ବ୍ରାଂଡର ଜୁସରେ ଆଲୋଭେରା ସହ ଆବଶ୍ୟକ ପରିମାଣର ‘ଭିଟାମିନ୍-ଏ’ ଏବଂ ‘ଭିଟାମିନ୍-ସି’ ମଧ୍ୟ ରହିଛି ଯାହାକି ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର ।

ପ୍ରଥମ ଦଫାରେ ‘ଏହା’ ୧୦ଟି ଜିଲ୍ଲାର ୨୫୦୦ରୁ ଅଧିକ ଆଉଟଲେଟ୍ ଓ ଛୋଟ ବଡ଼ ଦୋକାନରେ ମିଳୁଛି। ୨୦୦ ଗ୍ରାମ ପରିମାଣର ଟେଟ୍ରା ପ୍ୟାକର ଦର ରହିଛି ୧୫ ଟଙ୍କା। ଆଗାମୀ ଦିନରେ ଏହା ବିଭିନ୍ନ ପରିମାଣର ପ୍ୟାକେଟ ତଥା ବୋତଲରେ ମିଳିବ।

ନିକଟରେ ଭୁବନେଶ୍ୱରରେ ଏହି ଜୁସର ବଧିବଦ୍ଧ ବଜାର ପ୍ରବେଶ କରାଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ କୋଣରୁ ଡିଲରମାନେ ଯୋଗଦେଇଥିଲେ। ଭାରତର ପାନୀୟ ଶିଳ୍ପରେ ୪୨ ବର୍ଷର ଅଭିଜ୍ଞତା ରଖିଥିବା ତଥା ଘରେ ଘରେ ଫ୍ରୁଟି ଜୁସକୁ ପରିଚିତ କରାଇଥିବା ଆଶିଷ ଚାଟାର୍ଜୀ ଏହି  କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ବର୍ତମାନ ସେ ଆଗ୍ରି ଲିଙ୍କର ଉପଦେଷ୍ଟା ଅଛନ୍ତି। ‘ଏହା’ର ଗୁଣାତ୍ମକ ମାନ ଉପରେ ଜୋର୍‌ ଦେଇ ସେ କହିଥିଲେ ଯେ ଓଡ଼ିଶାରୁ ପ୍ରସ୍ତୁତ ଏହି ପାନୀୟ ଦିନେ ଦେଶ ବିଦେଶରେ ନାଁ କରିବ।

ଏହି ଅବସରରେ ଉଦ୍ୟୋଗର ଯୁଗ୍ମ ପ୍ରତିଷ୍ଠାତା ତଥା କଂପାନିର ନିର୍ଦ୍ଦେଶିକା ଶର୍ମିଲି ମହାପାତ୍ର କହିଥିଲେ, ‘ମୂଳ ସଂସ୍କୃତ ଶବ୍ଦରୁ ‘ଏହା’ର ନାଁ ବଛାଯାଇଛି। ‘ଏହା’ ଖୁବ୍ ଶୀଘ୍ର ଲୋକମାନଙ୍କର ଅତି ନିକଟତର ହୋଇପାରିବ ବୋଲି ମୋର ବିଶ୍ୱାସ’’ ।

ବର୍ତ୍ତମାନ ‘ଏହା’ ଜୁସର ପ୍ୟାକେଜିଂ ଭାରତର ଏକ ଅଗ୍ରଣୀ ପାନୀୟ ଉତ୍ପାଦନକାରୀ ପ୍ଲାଂଟରେ କରାଯାଉଛି। ତେବେ ଆଗ୍ରି ଲିଙ୍କ୍ ଖୁବ୍ ଶୀଘ୍ର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସ୍ୱୟଂସମ୍ପୂର୍ଣ୍ଣ ଜୁସ୍ ପ୍ରୋସେସିଂ ପ୍ଲାଂଟ ନିର୍ମାଣ କରିବ। ଏହି ଅବସରରେ ଆଗ୍ରି ଲିଙ୍କ୍ ଉଚ୍ଚମାନର ଫଳ ଉତ୍ପାଦନ କରିବା ପାଇଁ ରାଜ୍ୟବ୍ୟାପୀ ଚାଷୀମାନଙ୍କର ନେଟୱାର୍କ ସୁଦୃଢ଼ କରୁଛି। କମ୍ପାନିର ବିଶ୍ୱାସ ଚାଷୀମାନେ ଉଚିତ୍ ମୂଲ୍ୟ ଓ ଉତ୍ପାଦର ଯଥାର୍ଥ ବିକ୍ରୟ ମାଧ୍ୟମରେ ଲାଭବାନ୍ ହେବା ଉଚିତ। ଏହା ସହିତ ଆଗ୍ରି ଲିଙ୍କ୍ ସ୍ଥାନୀୟ ଫଳଚାଷୀମାନଙ୍କୁ ମଧ୍ୟ ଉତ୍ସାହିତ କରିବା ପାଇଁ ଉନ୍ନତ କିସମର ବିହନ ସହିତ ଅନ୍ୟାନ୍ୟ ବୈଷୟିକ ସହାୟତା ପ୍ରଦାନ କରିବ” ବୋଲି ‘ଏହା’ର ପ୍ରତିଷ୍ଠାତା କହିଛନ୍ତି।

ଅତୀତରେ ଶ୍ରୀ ମହାପାତ୍ର ଏକ ଘରୋଇ ଦୁଗ୍ଧ  କମ୍ପାନୀର  ଯୁଗ୍ମ-ପ୍ରତିଷ୍ଠାତା ରହିବା ସହ ଏହି ଉତ୍ପାଦକୁ ବଜାରରେ ଆଦୃତ କରାଇବା ସହ ଅନେକ ଦୁଗ୍ଧ ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲେ। ତେବେ ‘ଏହା’ ହେଉଛି ତାଙ୍କ ପ୍ରତିଷ୍ଠିତ କମ୍ପାନୀ ଆଗ୍ରି ଲିଙ୍କର ପ୍ରଥମ ଉତ୍ପାଦ।

LEAVE A REPLY

Please enter your comment!
Please enter your name here