ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଆହେ ନୀଳ ଶଇଳ’କୁ ବିକୃତ କରି ବିବାଦ ଘେରକୁ ଆସିଥିବା ଗାୟିକା ସୋନା ମହାପାତ୍ରଙ୍କ ଷ୍ଟାଇଲକୁ ନାପସନ୍ଦ କରିଛନ୍ତି ଓଡ଼ିଶାର ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତି ଜଗତର ବ୍ୟକ୍ତିତ୍ୱ

ସାଲବେଗଙ୍କ ଲୋକପ୍ରିୟ ଜଗନ୍ନାଥ ଜଣାଣ ‘ଆହେ ନୀଳ ଶଇଳ’କୁ କଦର୍ଥ କରି ଗାଇ ବିବାଦରେ ଫଶିଛନ୍ତି ବଲିଉଡ ଗାୟିକା ସୋନା ମହାପାତ୍ର। ଏନେଇ ସୋସିଆଲ ମିଡିଆରେ ସୋନା ସମାଲୋଚନାର ଶିକାର ହୋଇଥିବା ବେଳେ ଓଡ଼ିଶାର ବୁଦ୍ଧିଜୀବୀ, ସଙ୍ଗୀତ ନିର୍ଦ୍ଦେଶକ ଏବଂ କଣ୍ଠଶିଳ୍ପୀମାନେ ଏହାକୁ ନିନ୍ଦା କରିଛନ୍ତି। ହେଲେ ସୋନା ଏସବୁ ମତକୁ ଗ୍ରହଣ କରିବାକୁ ନାରାଜ। ସମାଲୋଚକଙ୍କୁ ଜବାବ ଦେଇ ଚାଲିଛନ୍ତି ସୋନା।

ସୋନାଙ୍କର ଏଭଳି ଔଦ୍ଧତ୍ୟକୁ ନେଇ ଓଡ଼ିଆ ସଂସ୍କୃତି ତଥା ଭାଷାସାହିତ୍ୟ ସହିତ ଜଡ଼ିତ ବ୍ୟକ୍ତିମାନେ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି।

ଗୀତର ଆବେଗ ଓ ବ୍ୟାକରଣ ଅକ୍ଷତ ରହିବା ଦରକାର: ସାତକଡ଼ି ହୋତା

ପାରମ୍ପରିକ ତଥା ଲୋକପ୍ରିୟ ଭଜନ ଏବଂ ଜଣାଣର ଯେଉଁ ନିର୍ଦ୍ଦିଷ୍ଟ ସ୍ୱର ରହିଛି ତାହା ଅକ୍ଷୁର୍ଣ୍ଣ ରହିବା ଆବଶ୍ୟକ। ବତ୍ତର୍ମାନ ପିଢ଼ିର ଗାୟକମାନେ ପାରମ୍ପରିକ ସଙ୍ଗୀତ ପରିବେଷଣ କରିବା ବେଳେ ମୂଳ ସ୍ୱରରେ ଯେମିତି ବ୍ୟତିକ୍ରମ ନହୁଏ ସେଥିପ୍ରତି ଧ୍ୟାନ ଦେବା ଦରକାର। ଗୀତ ପରିବେଷଣ ବେଳେ ଆବେଗ, ଶୈଳୀ, ବ୍ୟାକରଣ ଅକ୍ଷତ ରହିଲେ ଶ୍ରୁତିକଟୁ ହୁଏ ଏବଂ ଶ୍ରୋତାଙ୍କୁ ଭଲ ଲାଗିଥାଏ ବୋଲି ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା କହିଛନ୍ତି।

ସୋନାଙ୍କ ଅପରାଧ ଅକ୍ଷମଣୀୟ: ଡକ୍ଟର ସଙ୍ଗୀତା ଗୋସାଇଁ

ସୋନା ମହାପାତ୍ର ପବ୍ଳିସିଟି ପାଇବା ପାଇଁ ଏପରି ଜାଣିଶୁଣି କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଲୋକପ୍ରିୟ ଜଣାଣକୁ କଦର୍ଥ କରି ସେ ଯେଉଁ ଅପରାଧ କରିଛନ୍ତି ତାହା ଅକ୍ଷମଣୀୟ। ଓଡ଼ିଆ ହୋଇ ଠିକ୍‌ଭାବେ ଓଡ଼ିଆ ଶବ୍ଦ ଉଚ୍ଚାରଣ କରି ନପାରିବା ବଡ ଲଜ୍ଜାଜନକ ବିଷୟ। ଯଦି ସେ ପାରମ୍ପରିକ ଗୀତକୁ କଦର୍ଥ କରି ଗାଇ ଗର୍ବିତ, ତେବେ ଏଥିପାଇଁ ସଙ୍ଗୀତଜଗତ ତାଙ୍କୁ କେବେ ବି କ୍ଷମା କରିବନି। ଯଦି ସୋନା ମହାପାତ୍ର ନିଜ ଭୁଲ ସ୍ୱୀକାର କରିବେ, ତେବେ ତାଙ୍କୁ କ୍ଷମା କରିଦିଆଯିବ ବୋବୋଲି କହିଛନ୍ତି ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଡକ୍ଟର ସଙ୍ଗୀତା ଗୋସାଇଁ।

ସୋନା କ୍ଷମା ମାଗିବା ଦରକାର: ଶାନ୍ତିଲତା ବାରିକ

ଜଗନ୍ନାଥଙ୍କ ଲୋକପ୍ରିୟ ଜଣାଣକୁ ବିକୃତ କରି ଗାଇ ସାବାସୀ ନେବା ଆଦୌ ଠିକ୍ ନୁହେଁ। ଏଥିପାଇଁ ସୋନାଙ୍କୁ କ୍ଷମା ମାଗିବା ଦରକାର। ସେ ହୁଏତ ପବ୍ଲିସିଟି ପାଇବା ପାଇଁ ଜାଣିଶୁଣି ବିବାଦ ଘେରରେ ରହିବାକୁ ଚାହୁଁଛନ୍ତି। ହେହେଲେ ପବ୍ଳିସିଟି ପାଇବା ପାଇଁ ଅନେକ ପନ୍ଥା ରହିଛି। ଜଗନ୍ନାଥଙ୍କ ଜଣାଣକୁ କଦର୍ଥ କରି ଗାଇ ପବ୍ଲିସିଟି ନେବାର ମାନେ କିଛି ନାହିଁ ବୋଲି କହିଛନ୍ତି ବିଶିଷ୍ଟ ଭଜନ ଗାୟିକା ଶାନ୍ତିଲତା ବାରିକ।

ଓଡ଼ିଆ ଜାତିର ସମ୍ମାନ ହାନି ହୋଇଛି: କେଦାର ମିଶ୍ର

ଭକ୍ତ ସାଲବେଗଙ୍କ ଭକ୍ତିଭରା ଜଣାଣକୁ ବିକୃତ ଭାବେ ଗାଇଛନ୍ତି ସୋନା ମହାପାତ୍ର। ତାଙ୍କ ମନ୍ଦ ଉଦ୍ଦେଶ୍ୟକୁ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିବା ଦରକାର। ସୋନାଙ୍କର ଓଡ଼ିଆ ଭାଷା ପ୍ରତି ପ୍ରୀତି ନାହିଁ କି ଜାତି ପ୍ରତି ସମ୍ମାନ ନାହିଁ। ସୋନା ଜଗନ୍ନାଥ ଜଣାଣକୁ କଦର୍ଥ କରି ଗାଇ ଓଡ଼ିଆ ଜାତିର ସମ୍ମାନ ହାନି କରିଥିବା କହିଛନ୍ତି ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର।

ସୋନା ଭୁଲ୍ ମାଗନ୍ତୁ: ଲକ୍ଷ୍ମୀକାନ୍ତ ପାଲିତ

ଓଡ଼ିଆ ଗୀତ ପରିବେଷଣ କରିବା ବେଳେ ସୋନା ମହାପାତ୍ରଙ୍କୁ ସଂଯତ ରହିବା ଦରକାର। ସେ ଗୀତ ବିକୃତ ଭାବେ ଗାଇ ବାରମ୍ବାର ବିବାଦରେ ରହୁଛନ୍ତି। ଶବ୍ଦ ଉଚ୍ଚାରଣ ବେଳେ ସେ ଅଦୌ ସଚେତନ ହେଉନାହାନ୍ତି। ବାରମ୍ବାର ଏଭଳି ଭୁଲ୍ କରିଚାଲିଛନ୍ତି। ଏଥିପାଇଁ ତାଙ୍କୁ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶ ତଥା କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ।

(ସାକ୍ଷାତ – ସୁଶ୍ରୀସ୍ମିତା ବେହେରା)

Comment