ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର କୌଣସି ରାଜ୍ୟରେ ହଠାତ୍‌ ସରକାର ଭାଙ୍ଗିଗଲେ ରାଷ୍ଟ୍ରପତି ଶାସନ ଜାରି ପାଇଁ ବିଚାର କରାଯାଇଥାଏ। ତେବେ ଜାମ୍ମୁ ଓ କାଶ୍ମୀରରେ ଏହାକୁ ରାଜ୍ୟପାଳ ଶାସନ କୁହାଯାଏ କାହିଁକି?

ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ବିଜେପି ନିକଟରେ ମେହବୁବା ମୁଫ୍‌ତିଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବାରୁ ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଜାରି ହୋଇଛି। ଏହାକୁ ମିଶାଇ ୧୯୭୭ ମସିହା ପରଠାରୁ ନବମ ଥର ପାଇଁ ରାଜ୍ୟରେ ଲାଗୁ ହୋଇଛି ରାଜ୍ୟପାଳଙ୍କ ଶାସନ।

ସାଧାରଣତଃ ଅନ୍ୟ ରାଜ୍ୟମାନଙ୍କରେ ସ୍ଥାନୀୟ ସରକାରର ପତନ ପରେ ସମ୍ବିଧାନର ଧାରା ୩୫୬ ଅନୁସାରେ ରାଷ୍ଟ୍ରପତି ଶାସନ ଜାରି ହୋଇଥାଏ। କିନ୍ତୁ ଜାମ୍ମୁ ଓ କାଶ୍ମୀରରେ ଏପରି ହୁଏନାହିଁ। ସେଠାରେ ରାଜ୍ୟପାଳଙ୍କ ଶାସନ ଜାରି ହୋଇଥାଏ। ଏହାର କାରଣ ଜାମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିଛି।

ରାଜ୍ୟର ସମ୍ବିଧାନର ଧାରା ୯୨ରେ ଉଲ୍ଲେଖ ରହିଛି ଯେ, ଯଦି ଜାମ୍ମୁ ଓ କାଶ୍ମୀରରେ ରାଜନୈତିକ ସଙ୍କଟ ସୃଷ୍ଟି ହୁଏ କିମ୍ବା ସମ୍ବିଧାନ ଅନୁସାରେ ପରିଚାଳିତ ଶାସନ ବିଫଳ ହୁଏ ତାହେଲେ ରାଷ୍ଟ୍ରପତିଙ୍କ ଅନୁମୋଦନ ନେଇ ରାଜ୍ୟରେ ଛଅମାସ ପାଇଁ ରାଜ୍ୟପାଳଙ୍କ ଶାସନ ଲାଗୁ କରାଯାଇପାରିବ। ଏହି ସମୟରେ ବିଧାନସଭା ନିଲମ୍ବିତ ରହିଥାଏ। ବିଧାନସଭା ନିଲମ୍ବନ ହେବାର ଅର୍ଥ ବିଧାୟକମାନେ ସେମାନଙ୍କର ପଦବୀ ହରାଇବେ ନାହିଁ। କିନ୍ତୁ ସେମାନେ କୌଣସି ଆଇନ ପ୍ରଣୟନ କରିପାରିବେ ନାହିଁ। ଏହି ସମୟରେ ରାଜ୍ୟପାଳଙ୍କ ନିକଟରେ ରହିଥାଏ ଆଇନ ପ୍ରଣୟନର ଅଧିକାର। ଅବଶ୍ୟ ରାଜ୍ୟପାଳ ଚାହିଁଲେ ବିଧାନସଭାକୁ ଭଙ୍ଗ ବି କରିପାରିବେ।

ସେହିପରି ଯଦି ରାଜ୍ୟରେ ଛଅମାସ ଧରି ରାଜ୍ୟପାଳ ଶାସନ ଜାରି ରହେ ଏବଂ ଏହି ସମୟ ମଧ୍ୟରେ ସେଠାରେ କୌଣସି ସରକାର ଗଠିତ ହୋଇପାରେନାହିଁ, ତେବେ ସମ୍ବିଧାନର ଧାରା ୩୫୬ ଅନୁସାରେ ସେଠାରେ ରାଜ୍ୟପାଳ ଶାସନର ଅବଧିକୁ ବୃଦ୍ଧି କରାଯାଇପାରିବ। କିନ୍ତୁ ସେତେବେଳେ ତାହା ରାଷ୍ଟ୍ରପତି ଶାସନରେ ପରିଣତ ହୋଇଯିବ। ଅବଶ୍ୟ ଉଭୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟପାଳ ସରକାର ପରିଚାଳନା କରିଥାନ୍ତି।

ଅନ୍ୟପଟେ ଯଦି ରାଜ୍ୟପାଳ ତାଙ୍କର ଶାସନ ସମୟରେ ବା ରାଷ୍ଟ୍ରପତି ଶାସନ ସମୟରେ ବିଧାନସଭା ଭଙ୍ଗ କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଛଅମାସ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ବିଧାନସଭା ଭଙ୍ଗ ହେବାର ଛଅମାସ ମଧ୍ୟରେ ଯଦି ନିର୍ବାଚନ କମିଶନ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ କରନ୍ତି ନାହିଁ, ତାହେଲେ ତାଙ୍କୁ ଏ ସଂପର୍କରେ କାରଣ ଦର୍ଶାଇବାକୁ ପଡେ଼।

ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ଥିବା ଏନ ଏନ୍ ଭୋରା ପୂର୍ବରୁ ୨୦୦୮, ୨୦୧୫, ୨୦୧୬ରେ ରାଜ୍ୟପାଳ ଶାସନ ସମୟରେ କ୍ଷମତାରେ ଥିଲେ। ଭୋରାଙ୍କ ଦଶବର୍ଷର ରାଜ୍ୟପାଳ କାର୍ଯ୍ୟକାଳରେ ଚଳିତଥରକୁ ମିଶାଇ ଚତୁର୍ଥ ଥର ପାଇଁ ଲାଗୁ ହୋଇଛି ରାଜ୍ୟପାଳ ଶାସନ।

ଚଳିତମାସ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା। କିନ୍ତୁ ଅମରନାଥ ଯାତ୍ରାକୁ ଦୃଷ୍ଟିରେ ରଖି ଯାତ୍ରା ସରିବା ପର୍ଯ୍ୟନ୍ତ ସେ କ୍ଷମତାରେ ରହିବେ ବୋଲି ଜଣାପଡ଼ିଛି।

Comment