ଓଡ଼ିଶାଲାଇଭ୍ ବ୍ୟୁରୋ

ସର୍ଚ୍ଚ ଅପରେସନ ସମୟରେ ଯବାନଙ୍କୁ ଜଙ୍ଗଲରେ ଛାଡ଼ି ସାଥୀରେ ଯାଇଥିବା ଟିମ୍ ଚାଲି ଆସିଥିଲେ। ୪୮ ଘଂଟା ପରେ ନିଖୋଜ ହୋଇଯାଇଥିବା ଏସଏଏଫ ଯବାନ ସଚିନ ଶର୍ମାଙ୍କ ଶବ ବଟୋହୀ ଜଙ୍ଗଲରୁ ପୋଲିସ ଜବତ କରିଥିଲା। ଏବେ ଯବାନଙ୍କ ପରିଜନମାନେ ଏହି ମାମଲାରେ ପୋଲିସର ଭୂମିକା ପ୍ରତି ପ୍ରଶ୍ନ ଉଠାଇଛନ୍ତି।
ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ହୃଦୟକୁ ବିଦାରି ଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଚିତ୍ରକୂଟ ଜଙ୍ଗଲରେ ଡକାୟତମାନଙ୍କୁ ଧରିବା ଲାଗି ପୋଲିସ ଏବଂ ଏସଏଏଫର ଟିମ ଯାଇଥିଲା। କିନ୍ତୁ ଏହି ସର୍ଚ୍ଚ ଅପରେସନରେ ଏହି ଟିମର ଜଣେ ଯବାନ ଶୋଷରେ ଆଉଟୁପାଉଟୁ ହୋଇ ଜୀବନ ହରାଇଥିଲେ। ଅଭିଯୋଗ ହୋଇଛି ଯେ ଏହି ସର୍ଚ୍ଚ ଅପରେସନ ଯାଇଥିବା ଅନ୍ୟ ଯବାନମାନେ ଉକ୍ତ ଯବାନଙ୍କୁ ଜଙ୍ଗଲରେ ଛାଡ଼ି ଚାଲିଆସିଥିଲେ। ୪୮ ଘଣ୍ଟା ପରେ ଗାଏବ ଏସଏଏଫ ଯବାନ ସଚିନ ଶର୍ମାଙ୍କ ଶବ ବଟୋହୀ ଜଙ୍ଗଲରୁ ପୋଲିସ ଜବତ କରିଥିଲା। ଯବାନଙ୍କ ପରିବାର ଲୋକ ଏହି ମାମଲାରେ ପୋଲିସର ଭୂମିକା ପ୍ରତି ପ୍ରଶ୍ନ ଉଠାଇଛନ୍ତି।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଚିତ୍ରକୂଟ ଜଙ୍ଗଲରେ ଡକାୟତଙ୍କୁ ଧରିବା ଲାଗି ଏସଏଏଫ ଏବଂ ପୋଲିସ ଟିମ ଯାଇଥିଲା। ଏହି ଟିମ ଜଙ୍ଗଲରେ ଡକାୟତ ବବଲୀ କୋଲଙ୍କୁ ସନ୍ଧାନ କରୁଥିଲା। ସର୍ଚ୍ଚିଙ୍ଗ ଟିମରେ ଏସଏଏଫ ଯବାନ ସଚିନ ଶର୍ମା ମଧ୍ୟ ଡକାୟତ ପ୍ରଭାବିତ ଇଲାକା ଥରପାହାଡ଼ାକୁ ଯାଇଥିଲେ। ସର୍ଚ୍ଚିଙ୍ଗରୁ ଫେରୁଥିବା ସମୟରେ ସଚ୍ଚିନ ଶର୍ମାଙ୍କ ସହିତ ତିନି ଜଣ ଯବାନ ଗରମ ଓ ଶୋଷରେ ଅସୁସ୍ଥ ହୋଇପଡ଼ିଥିଲେ। ତିନିଜଣ ଯବାନଙ୍କୁ ଏକ ଗଛ ମୂଳେ ଛାଡ଼ି ବାକି ଟିମ୍ ପାଣି ଆଣିବା ଲାଗି ଆଗକୁ ଯାଇଥିଲେ। କିଛି ଘଣ୍ଟା ପରେ ଯବାନମାନେ ପାଣି ନେଇ ଫେରିବା ପରେ ଦେଖିଲେ ଯେ ବିଶ୍ରାମ ନେଇଥିବା ଯବାନମାନେ ସେଠାରେ ନାହାନ୍ତି।
ସର୍ଚ୍ଚିଂ ଟିମ୍ ବଗଧରା ପୋଷ୍ଟକୁ ଫେରି ଆସିଥିଲା। କିଛି ସମୟ ପରେ ଦୁଇଜଣ ଯବାନ ଶିବମୋହନ ଏବଂ ଅଶୋକ ଫେରିଆସିଥିଲେ କିନ୍ତୁ ସଚ୍ଚିନ ଫେରିନଥିଲେ। ତାଙ୍କୁ ଖୋଜିବା ଲାଗି ଟିମ୍ ପୁଣିଥରେ ଜଙ୍ଗଲକୁ ଯାଇଥିଲା ମାତ୍ର ସେ ମିଳିନଥିଲେ। ଏହାର ସୂଚନା ପୋଲିସକୁ ଦିଆଯାଇଥିଲା। ସତନା ଏସପି ପୋଲିସ ବାହିନୀଙ୍କ ସହିତ ସର୍ଚ୍ଚ ଆରମ୍ଭ କରିଦେଇଥିଲେ। ଦୁଇଦିନ ପରେ ରବିବାର ରାତିରେ ନିଖୋଜ ଯବାନଙ୍କ ଶବ ଉଦ୍ଧାର କରାଯାଇଥିଲା। ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ତାଙ୍କ ଘର ଭିଣ୍ଡରେ ବୋଲି ଜଣାପଡ଼ିଛି।
ଯବାନ ସଚିନ ଶର୍ମାଙ୍କ ପରିବାର ଲୋକମାନେ ସତନା ପୋଲିର ଭୂମିକା ପ୍ରତି ସନ୍ଦେହ ପ୍ରକଟ କରିଛନ୍ତି। ପୋଲିସର ଅବହେଳା ଯୋଗୁ ସଚିନଙ୍କ ପ୍ରାଣ ଯାଇଛି ଏବଂ ସେମାନେ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଶୋଷରେ ଆଉଟୁପାଉଟୁ ହୋଇ ଯବାନଙ୍କ ମୃତ୍ୟୁ ଘଟିଥିବା କଥାକୁ ସତନା ଏସପି ସ୍ୱୀକାର କରିଥିଲେ ମଧ୍ୟ ପୋଲିସର ଅବହେଳାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି।














