ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନବରଙ୍ଗପୁର, ନୂଆପଡ଼ା ଓ କନ୍ଧମାଳରେ ମାଓ ପୋଷ୍ଟର
  • ଗଛ କାଟି ରାସ୍ତା ଅବରୋଧ
  • ନବରଙ୍ଗପୁର ରାଇଘରରେ ଜଗନ୍ନାଥଙ୍କ ରଥରେ ଦେଖିବାକୁ ମିଳିଲା ମାଓପୋଷ୍ଟର

ସରକାରଙ୍କ ଉଦାସୀନତା ପ୍ରତିବାଦରେ ୨୪ ଘଣ୍ଟିଆ ଓଡ଼ିଶା ଓ ଛତିଶଗଡ଼ ବନ୍ଦ ଡାକର ଦେଇଛି ମାଓ ସଂଗଠନ। ସିପିଆଇ (ମାଓବାଦୀ) ସଂଗଠନ ପକ୍ଷରୁ ଦିଆଯାଇଛି ଏହି ବନ୍ଦ ଡାକରା। ସୋମବାର ସକାଳୁ ଓଡ଼ିଶାର ମାଓପ୍ରବଣ ଜିଲ୍ଲାରେ ମାଓବାଦୀମାନେ ପୋଷ୍ଟର ମାରି ଏହି ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ଵାନ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାର ରାଇଘର ସହରରେ ନିର୍ମାଣାଧୀନ ଶ୍ରୀ ଜଗନ୍ନାଥଙ୍କ ରଥରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ମାଓବାଦୀଙ୍କ ମେନପୁର ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି।  ସେହିପରି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଏହାଛଡ଼ା ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି।

ବାଲିଗୁଡ଼ା-ଦାରିଙ୍ଗିବାଡ଼ି ରାସ୍ତାର ପଟାଙ୍ଗୀ ନିକଟରେ ବାମପନ୍ଥୀ ଉଗ୍ରବାଦୀମାନେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି।

ଉଦ୍ଧାର କରାଯାଇଥିବା ମାଓପୋଷ୍ଟରରେ ହିନ୍ଦୀ ଭାଷାରେ ଲେଖାଥିବା ଦେଖିବାକୁ ମିଳଛି। ଏସସି, ଏସଟି ଏବଂ ଗରିବ ଲୋକମାନଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦୃଷ୍ଟି ଦେଉନଥିବା ମାଓବାଦୀମାନେ ଅଭିଯୋଗ କରିଛନ୍ତି। ବିକାଶ ନାଁରେ ଏମାନଙ୍କୁ ସ୍ଥାନାନ୍ତର କରାଯାଉଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ବର୍ତମାନ ଜାରି ରହିଥିବା ଗ୍ରୀନ ହଣ୍ଟ କମ୍ବିଂ ଅପରେସନକୁ ବିରୋଧ କରି ମଧ୍ୟ ମାଓବାଦୀମାନେ ଅଡିଓ ଟେପ୍ ଜାରି କରିଛନ୍ତି।

ଅନ୍ୟପକ୍ଷରେ ମାଓବାଦୀଙ୍କ ବନ୍ଦ ଡାକରାକୁ ଦେଖି ସୁରକ୍ଷାବାହିନୀ ପକ୍ଷରୁ ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

Comment