ଓଡ଼ିଶାଲାଇଭ୍ ବ୍ୟୁରୋ

- ଶୁକ୍ରବାରଠାରୁ ନିଖୋଜ ଥିଲେ ଦିନୁ ଆଲେକ୍ସ
- ଦିନୁଙ୍କ ରୁମ୍ରୁ ମିଳିଲା ସୁଇସାଇଡ ନୋଟ୍
- ଦୁଇ ଦିନ ପରେ ନଦୀରୁ ମିଳିଲା ଦିନୁଙ୍କ ମୃତଦେହ
ଫିଫା ବିଶ୍ୱକପ୍ରେ ଶୁକ୍ରବାର ଏକ ମ୍ୟାଚରେ ଆର୍ଜେଣ୍ଟିନା ପରାସ୍ତ ହେବା ପରେ ଜୀବନ ହାରିଛନ୍ତି ଲିଓନେଲ ମେସିଙ୍କର ପ୍ରଶଂସକ ଦିନୁ ଆଲେକ୍ସ। ଆର୍ଜେଣ୍ଟିନା ପରାଜିତ ହେବା ପରେ ଦିନୁ ଶୁକ୍ରବାର ସକାଳୁ ନିଖୋଜ ହୋଇଯାଇଥିଲେ। ରବିବାର ତାଙ୍କ ମୃତଦେହ କୋଟୟମ ନିକଟସ୍ଥ ମୀନାଚିଲ୍ ନଦୀପଠାରୁ ଉଦ୍ଧାର କରାଯାଇଛି।
ମାଲାୟଲମ ଭାଷାରେ ସେ ଏକ ସୁଇସାଇଡ୍ ନୋଟ୍ ଲେଖିଛନ୍ତି।
ଏଥିରେ ଦିନୁ ଲେଖିଛନ୍ତି, “ଏହି ବିଶ୍ୱରେ ମୋ ପାଇଁ ଆଉ କିଛି ଦେଖିବାର ନାହିଁ। ମୁଁ ମରିବା ପାଇଁ ଯାଉଛି। ମୋ ମରିବା ପାଇଁ କେହି ଦାୟୀ ରହିବେ ନାହିଁ।”
କେରଳର ଦିନୁ ଆଲେକ୍ସ କେବେ ଫୁଟବଲ ଖେଳି ନାହାନ୍ତି। କିନ୍ତୁ ସେ ଫୁଟବଲ ମ୍ୟାଚ ଦେଖବାକୁ ଭଲ ପାଆନ୍ତି। ଆର୍ଜେଣ୍ଟିନା ଫୁଟବଲର ଲିଓନେଲ ମେସିଙ୍କର ସେ ହେଉଛନ୍ତି ବଡ଼ ପ୍ରଶଂସକ। କେରଳର ଏକ ପ୍ରାଇଭେଟ କମ୍ପାନିରେ ଦିନୁ ଆକଉଣ୍ଟାଣ୍ଟ ଭାବେ ଚାକିରି କରିଥିଲେ। ଶୁକ୍ରବାର ହୋଇଥିବା ମ୍ୟାଚରେ ଆର୍ଜେଣ୍ଟିନା ନିଶ୍ଚିନ୍ତ ଜିତିବ ଏବଂ ମେସି ଭଲ ସ୍କୋର କରିବେ ବୋଲି ଦିନୁ ତାଙ୍କ ବନ୍ଧୁମାନଙ୍କୁ କହିଥିଲେ।
“ରାତି ୧୧ଟା୩୦ ପର୍ଯ୍ୟନ୍ତ ଦିନୁ ଟିଭିରେ ମ୍ୟାଚ ଦେଖୁଥିଲା। ଯଦି ଆର୍ଜେଣ୍ଟିନା ପରାଜିତ ହୁଏ ତାହାଲେ ସେ କାହା ଆଗରେ ମୁହଁ ଦେଖାଇ ପାରିବ ନାହିଁ ବୋଲି କହୁଥିବା ମୁଁ ଶୁଣିଛି”, ଏହା କହିଛନ୍ତି ଦିନୁ ଆଲେକ୍ସଙ୍କ ବାପା ପିଭି ଆଲେକ୍ସାଣ୍ଡାର।
ଶୁକ୍ରବାର ସକାଳୁ ଦିନୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ଘର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିବା ପରେ ଦିନୁ ରୁମ୍ରୁ ସୁଇସାଇଡାଲ ନୋଟ ଦେଖିବାକୁ ପାଇଥିଲେ।














