ଓଡ଼ିଶାଲାଇଭ୍ ବ୍ୟୁରୋ
ଖାଦ୍ୟ ଅପମିଶ୍ରଣକାରୀ ସାବଧାନ! ଏଣିକି ଖାଦ୍ୟରେ ଅପମିଶ୍ରଣ କଲେ ଗଣିବାକୁ ପଡ଼ିବ ଜରିମାନା ଏବଂ ଭୋଗିବାକୁ ପଡ଼ିବ ଆଜୀବନ କାରାଦଣ୍ଡ।
ଖାଦ୍ୟ ଅପମିଶ୍ରଣ ଭଳି ଏକ ଘୃଣ୍ୟ କାର୍ଯ୍ୟକୁ ରୋକିବା ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ)। ଖାଦ୍ୟ ଅପମିଶ୍ରଣକାରୀଙ୍କୁ ଆଜୀବନ କାରାଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଦେଶରେ ଖାଦ୍ୟ ଦ୍ରବ୍ୟର ମାନ ନିୟନ୍ତ୍ରଣ ପାଇଁ ଗଠିତ ଏହି କର୍ତ୍ତୃପକ୍ଷ।
ଅତୀତରେ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ୧୯୫୪ ମସିହାରେ ପ୍ରଣୀତ ଅପମିଶ୍ରଣ ନିରୋଧୀ ଆଇନକୁ ଅପସାରଣ କରାଯାଇ ୨୦୦୬ ମସିହାରେ ଖାଦ୍ୟ ନିରାପତ୍ତା ଏବଂ ମାନକ ଆଇନ ପ୍ରଚଳିତ ହୋଇଥିଲା। ଏବେ ଏହି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି ଏଫ୍ଏସ୍ଏସ୍ଏଆଇ।
ଆଇନର ଧାରା-୫୯ରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ ଚିଠା ପ୍ରସ୍ତାବରେ ଅପମିଶ୍ରଣ କ୍ଷେତ୍ରରେ ପ୍ରଯୁଜ୍ୟ ୭ ବର୍ଷ କାରାଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ସୁପାରିସ କରାଯାଇଛି। ସେହିଭଳି ଜରିମାନା ପରିମାଣ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। କୌଣସି ପ୍ରକାର ଅପମିଶ୍ରଣ କ୍ଷେତ୍ରରେ ଏହା ଲାଗୁ କରାଯାଇପାରିବ।
ଅନ୍ୟ ଭାଷାରେ, ଅପମିଶ୍ରଣ ଦ୍ୱାରା ଗ୍ରାହକଙ୍କର ବାସ୍ତବ କ୍ଷତି ହେଉ କି ନ ହେଉ, ଏହାକୁ ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରାଯିବ। ଅପମିଶ୍ରଣ ପାଇଁ ଦାୟୀ ଉଭୟ ବ୍ୟକ୍ତିବିଶେଷ ବା ବ୍ୟବସାୟିକ ସଂସ୍ଥା ପ୍ରତି ଏହା ଲାଗୁ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ଚିଠା ପ୍ରସ୍ତାବରେ କୁହାଯାଇଛି।
ଦେଶରେ ଅପମିଶ୍ରଣର ହାର ଉଦବେଗଜନକ ଭାବେ ବୃଦ୍ଧି ପାଇଥିବା ହୃଦୟଙ୍ଗମ କରି କର୍ତ୍ତୃପକ୍ଷ ଏହି ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବା ସହିତ ଏ ସମ୍ପର୍କରେ ବିଭିନ୍ନ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ିଛନ୍ତି।
ପ୍ରଣିଧାନଯୋଗ୍ୟ ଯେ ୨୦୧୬ ମସିହାରେ କ୍ଷୀର ଅପମିଶ୍ରଣକାରୀଙ୍କୁ ଆଜୀବନ କାରାଦଣ୍ଡ ଦେବା ପାଇଁ ଆଇନରେ ସଂଶୋଧନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। କ୍ଷୀର ଶିଶୁମାନଙ୍କର ପ୍ରମୁଖ ଆହାର ହୋଇଥିବାରୁ ଏହାର ଅପମିଶ୍ରଣକୁ ସାମାନ୍ୟ ଅପରାଧ ରୂପେ ଗ୍ରହଣ ନ କରିବା ପାଇଁ ଏବଂ ଭାରାତୀୟ ଦଣ୍ଡବିଧି ଆଇନର ଏ ସଂପର୍କିତ ଧାରାରେ ସଂଶୋଧନ ପାଇଁ କୋର୍ଟ ସରକାରଙ୍କୁ କହିଥିଲେ।
ସେତେବେଳେ ଭାରତୀୟ ଦଣ୍ଡବିଧି ଆଇନର ୨୭୨ ଧାରା (ଖାଦ୍ୟ ଏବଂ ପାନୀୟ ଅପମିଶ୍ରଣ) ସଂଶୋଧନ କରି ଦଣ୍ଡ ଅବଧିକୁ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ବଢ଼ାଇ ଥିବା ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶଂସା କରିଥିଲେ। ଏବେ ସାରା ଦେଶର ସମସ୍ତ ଖାଦ୍ୟଦ୍ରବ୍ୟ କ୍ଷେତ୍ରରେ ଏହି ଆଜୀବନ କାରାଦଣ୍ଡାଦେଶ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୃପକ୍ଷ।
ଅନ୍ୟ ଏକ ଘଟଣାକ୍ରମରେ ସମସ୍ତ ଖାଦ୍ୟ ଓ ପାନୀୟ ପ୍ୟାକେଟ୍ ଉପରେ ସତର୍କତା ସୂଚନା ପ୍ରଦାନ କରିବାକୁ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜସ୍ଥାନ ଜୟପୁରର କନ୍ଜ୍ୟୁମର ୟୁନିଟି ଆଣ୍ଡ ଟ୍ରଷ୍ଟ ସୋସାଇଟି ଇଣ୍ଟରନ୍ୟାସନାଲ ନାମକ ସଂସ୍ଥା।
ଖାଦ୍ୟ ଓ ପାନୀୟ ପ୍ୟାକେଟ୍ର ସମ୍ମୁଖ ଭାଗରେ ଏହି ସୂଚନା ସମ୍ବଳିତ ଲେବଲ ଲଗାଇବା ପାଇଁ ପ୍ରସ୍ତାବ ଦେବା ସହିତ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ହୃଦ୍ଘାତ ଏବଂ ଅନ୍ୟାନ୍ୟ ହୃଦ୍ରୋଗଜନିତ ମୃତ୍ୟୁ ହାର ନିୟନ୍ତ୍ରଣ ପାଇଁ ଏହା ଜରୁରୀ।
ପ୍ୟାକେଟ୍ ଖାଦ୍ୟ ବା ପାନୀୟରେ ଥିବା ଚର୍ବିଜାତୀୟ ଉପାଦାନ ସମେତ ସୋଡିୟମ୍, ଶର୍କରା ଏବଂ ଅନ୍ୟାନ୍ୟ ହାନିକାରକ ଉପାଦାନ ସଂପର୍କରେ ଗ୍ରାହକଙ୍କୁ ସବିସ୍ତୃତ ସୂଚନା ଦେବା ସହିତ ସତର୍କ କରାଇଦେବା ବିଧେୟ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।
ଦେଶରେ ଅପମିଶ୍ରଣର ହାର ବଢ଼ି ଚାଲିଥିବା ବେଳେ ଅପମିଶ୍ରଣକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ଆଇନରେ ବ୍ୟବସ୍ଥା ରହିବା ଏକ ସମୟୋପଯୋଗୀ ପ୍ରସ୍ତାବ ଏବଂ ସରକାର ଏହାକୁ ଅବିଳମ୍ବେ ଗ୍ରହଣ କରିନେବେ ବୋଲି ଆଶା କରାଯାଉଛି।








ଖାଦ୍ୟ ଅପମିଶ୍ରଣକାରୀ ସାବଧାନ! ଏଣିକି ଖାଦ୍ୟରେ ଅପମିଶ୍ରଣ କଲେ ଗଣିବାକୁ ପଡ଼ିବ ଜରିମାନା ଏବଂ ଭୋଗିବାକୁ ପଡ଼ିବ ଆଜୀବନ କାରାଦଣ୍ଡ।







