ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାର ପାନପୋଷ ରୋଡରେ ଥିବା ତାରିଣୀ ମାତା ମନ୍ଦିରର ପ୍ରସାଦକୁ ମିଳିଲା ନୂଆ ପରିଚୟ। ପ୍ରସାଦ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ପାଇଁ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କ (ଏଫଏସଏସଏଆଇ) ପକ୍ଷରୁ ‘ଭୋଗ’(Blissful Hygienic offering to God) ପ୍ରମାଣପତ୍ର ମିଳିଛି।

ଦେଶର ବିଭିନ୍ନ ସ୍ମାର୍ଟ ସିଟି ମଧ୍ୟରେ ସ୍ଥାନୀୟ ଖାଦ୍ୟ ପଦାର୍ଥକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ‘ଇଟ୍ ସ୍ମାର୍ଟ ସିଟି ଚାଲେଞ୍ଜ’ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବେଳେ ରାଉରକେଲା ସ୍ମାର୍ଟ ସିଟିର ଅଧିକାରୀମାନେ ବିଭିନ୍ନ ସ୍ଥାନୀୟ ଖାଦ୍ୟ ଯାଞ୍ଚ କରି ତା’ର ଲୋକପ୍ରିୟତା ଓ ଗୁଣବତ୍ତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପ୍ରସାଦର ସ୍ୱଚ୍ଛତା ଓ ମାନକୁ ଆଧାରକରି ରାଉରକେଲା ସ୍ମାର୍ଟ ସିଟିର ପରାମର୍ଶକ୍ରମେ ତାରିଣୀ ମାତା ମନ୍ଦିର ସମିତି ପକ୍ଷରୁ ଏଫଏସଏସଏଆଇ ନିକଟରେ ‘ଭୋଗ’ପ୍ରମାଣପତ୍ର ଲାଗି ଆବେଦନ କରାଯାଇଥିଲା।

ଏହି ପ୍ରକ୍ରିୟା ଅଧୀନରେ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୋଗ ପ୍ରସ୍ତୁତ କରୁଥିବା ତାରିଣୀ ମାତା ମନ୍ଦିରର ୨ ଜଣ ପୂଜାରୀଙ୍କୁ ଅନଲାଇନରେ ତାଲିମ ଦିଆଯାଇଥିଲା। ପ୍ରସାଦ ପ୍ରସ୍ତୁତି ଏବଂ ବଣ୍ଟନରେ ସ୍ୱଚ୍ଛତା ଓ ଶୁଦ୍ଧତା ବଜାୟ ରହିବା ସହ ମନ୍ଦିର ଆଖପାଖ ପରିବେଶ କିପରି ସଫା ସୁତୁରା ରହିବ ସେ ବିଷୟରେ ମଧ୍ୟ ଏହି ପ୍ରଶିକ୍ଷଣ ବେଳେ ପରାମର୍ଶ ଦିଆଯାଇଥିଲା।

ବିଭିନ୍ନ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନରେ ପ୍ରସ୍ତୁତ ପ୍ରସାଦ କିପରି ସ୍ୱଚ୍ଛ, ବିଶୁଦ୍ଧ ଓ ସୁସ୍ଥ ହୋଇପାରିବ ସେଥିପାଇଁ ଏଫଏସଏସଏଆଇ ପକ୍ଷରୁ ଏହି ପ୍ରମାଣପତ୍ରର ବ୍ୟବସ୍ଥା କରାଯାଇଛିା ପ୍ରସାଦ ପ୍ରସ୍ତୁତି ସହ ଏହାର ବଣ୍ଟନ ବେଳେ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ତା’ସହ ପ୍ରସାଦ ପ୍ରସ୍ତୁତିରେ ସଂପୃକ୍ତ ବ୍ୟକ୍ତିଙ୍କ ତାଲିମ ଉପରେ ଜୋର ଦିଆଯାଉଛି। ଏହି ‘ଭୋଗ’ ପ୍ରମାଣପତ୍ର ପାଇବାରେ ରାଉରକେଲାର ତାରିଣୀ ମାତା ମନ୍ଦିର ଓଡ଼ିଶାରେ ପ୍ରଥମ।

ଏହି ବିଶେଷ ମାନ୍ୟତା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଦିବ୍ୟଜ୍ୟୋତି ପରିଡ଼ା ମନ୍ଦିର ପରିଚାଳନା ସମିତି ଏବଂ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରମାଣପତ୍ର ତାରିଣୀ ମନ୍ଦିରର ପ୍ରସାଦ ସେବନ କରୁଥିବା ଭକ୍ତ ତଥା ସ୍ଥାନୀୟ ବାସିନ୍ଦା ଏବଂ ରାଉରକେଲା ସହରବାସୀଙ୍କ ପାଇଁ ଏକ ଖୁସିର କଥା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏହି ମାନ୍ୟତା ପାଇଁ ତାରିଣୀ ମାତା ମନ୍ଦିରର ସମସ୍ତ କର୍ମକର୍ତ୍ତାଙ୍କ ସହିତ ମନ୍ଦିର ସମିତିର ସଭାପତି ନିର୍ମଳ ଚନ୍ଦ୍ର ରାଉତରାୟ, ସମ୍ପାଦକ ଦିବ୍ୟ ସିଂ ଏବଂ କୋଷାଧ୍ୟକ୍ଷ କାଶୀନାଥ ସାହୁ ରାଉରକେଲା ସ୍ମାର୍ଟ ସିଟି ସିଇଓ ତଥା ମହାନଗର କମିଶନରଙ୍କୁ ଧନ୍ୟବାଦ ଦେଇଛନ୍ତି।ରାଉରକେଲା ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ୱାଗତିକା ବେହେରା ଏହି ପ୍ରମାଣପତ୍ର ମିଳିବା ନେଇ ଖୁସି ପ୍ରକାଶ କରିଛନ୍ତି। ନିୟମିତ ପ୍ରସାଦ ପ୍ରସ୍ତୁତ କରୁଥିବା ସହରର ଅନ୍ୟ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଆଗାମୀ ଦିନରେ କିପରି ଏହି ମାନ୍ୟତା ପାଇବେ ସେଦିଗରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

ଗତ ଅଗଷ୍ଟ ମାସରେ ହୋଇଥିବା ‘ଇଟ୍ ସ୍ମାର୍ଟ ସିଟି ଚାଲେଞ୍ଜ’କାର୍ଯ୍ୟକ୍ରମରେ ରାଉରକେଲା ସହର ଭାଗ ନେଇଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟସାମଗ୍ରୀ ଏବଂ ଏଥିରେ ଥିବା ପୁଷ୍ଟିକର ଗୁଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏହାଛଡ଼ା ରାଉରକେଲା ସହରର ବିଭିନ୍ନ ସ୍ଥାନରେ ମିଳୁଥିବା ଖାଦ୍ୟର କିପରି ଗୁଣବତ୍ତା ବଜାୟ ରହିବ ଏବଂ ଜନସାଧାରଣ କିପରି ଉନ୍ନତମାନର ଖାଦ୍ୟ ପାଇପାରିବେ ସେନେଇ ସଚେତନ କରାଯାଇଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ ହୋଟେଲ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଆଦି ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରାଯାଇଥିଲା।

Comment