ଓଡ଼ିଶାଲାଇଭ୍‍ ବ୍ୟୁରୋ

ହେ ଭଗବାନ! ଈଶ୍ୱରଙ୍କ ସମ୍ମୁଖରେ ପାପ ସ୍ୱୀକାର କରିବା ବେଳେ ମହିଳା କହିଥିଲେ ତାଙ୍କ ସହିତ ହୋଇଥିବା ଯୌନ ଶୋଷଣର କାହାଣୀହେଲେ ପାଦ୍ରୀମାନେ ମିଶି ତାଙ୍କୁ କଲେ ଗଣ-ଯୌନଶୋଷଣ

ପାପ ଧୋଇବା କାର୍ଯ୍ୟରେ ଲିପ୍ତ ଲୋକ କୁକର୍ମରେ ଲିପ୍ତ ହୋଇ ପାପ ଅର୍ଜନ କରିବା ଘଟଣା ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ ଚର୍ଚ୍ଚାର ବିଷୟ ହୋଇଛି।

ଜଣେ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗକ୍ରମେ କେରଳର କୋଟ୍ଟାୟାମସ୍ଥିତ ଏକ ଚର୍ଚ୍ଚରେ କେତେଜଣ ପାଦ୍ରୀଙ୍କୁ ନିଲମ୍ବିତ କରାଯାଇଛି। ମହିଳାଙ୍କ ପତି ଅଭିଯୋଗ କରିଛନ୍ତି ଯେ ଏହି ପାଦ୍ରୀମାନେ ଚର୍ଚ୍ଚରେ ଈଶ୍ୱରଙ୍କ ସମ୍ମୁଖରେ ପାପ ସ୍ୱୀକାର କରିବା ଆଳରେ ମହିଳାଙ୍କ ସହିତ ଯୌନଶୋଷଣ କରିଥିଲେ।

ଏହି ପାଦ୍ରୀ ମହିଳାଙ୍କ ସ୍ୱୀକାରୋକ୍ତିର ବ୍ୟବହାର କରି ତାଙ୍କୁ ବ୍ଲାକମେଲ କରିଥିଲେ। ଚର୍ଚ୍ଚର ଲୋକ ସମ୍ପର୍କ ଅଧିକାରୀ ପିସି ଇଲିଆସ କହିଛନ୍ତି ଯେ ଏହି ମାମଲାରେ ଅନ୍ତରୀଣ ଯାଂଚ ଆରମ୍ଭ ହୋଇଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଯେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଅଭିଯୋଗ ଆସୁଛି। ତେଣୁ ଯାଂଚ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ମହିଳାଙ୍କ ପତି କହିଛନ୍ତି ଯେ ନୀରାନାମ ଧର୍ମପ୍ରାପ୍ତର ଅଧ୍ୟକ୍ଷଙ୍କ ନିକଟରେ ଗତ ମେ ୭ ତାରିଖରେ ସେ ଅଭିଯୋଗ ଦାଖଲ କରିଥିଲେ କିନ୍ତୁ ଚର୍ଚ୍ଚ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରୁଛି। ପୀଡ଼ିତ ମହିଳାଙ୍କ ପତି ଆହୁରି ଅଭିଯୋଗ କରିଛନ୍ତି ଯେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଯଥେଷ୍ଟ ପ୍ରମାଣ ରହିଛି। ଅଭିଯୁକ୍ତ ପାଦ୍ରୀଙ୍କ ମଧ୍ୟରୁ ୩ ଜଣ ନୀରାନାମ ପ୍ରାନ୍ତର ହୋଇଥିବା ବେଳେ ଜଣେ ଦିଲ୍ଲୀ ଏବଂ ଅନ୍ୟ ଜଣେ ଥୁମପାମୋନ ଧର୍ମପ୍ରାନ୍ତର ଅଟନ୍ତି।

କେରଳରେ ଗତ କିଛିଦିନ ହେବ ଏକ ଅଡିଓ ଟେପ ଭାଇରାଲ ହୋଇଛି। ଏଥିରେ ଜଣେ ମହିଳାଙ୍କ ପତି ତାଙ୍କ ପତ୍ନୀଙ୍କ ସହିତ ହୋଇଥିବା ଯୌନ ଶୋଷଣର ଦୁଃଖଦ କାହାଣୀ କହୁଛନ୍ତି। ଏହି କ୍ଲିପରେ ସେ କହିଛନ୍ତି ଯେ ଜଣେ ପାଦ୍ରୀ ବିବାହ ପୂର୍ବରୁ ତାଙ୍କ ପତ୍ନୀଙ୍କ ଯୌନଶୋଷଣ କରିଥିଲେ। ବିବାହ ପରେ ମଧ୍ୟ ପାଦ୍ରୀ ଜଣକ ତାଙ୍କ ସହିତ ଯୌନ ଦୁର୍ବ୍ୟବହାର କରିଥିଲେ।

ସେ କହିଛନ୍ତି ଯେ ବପତିସ୍ମା (ଈଶ୍ୱରଙ୍କ ସମ୍ମୁଖରେ ପାପ ସ୍ୱୀକାର କରିବା) ସମୟରେ ମହିଳା ଜଣକ ତାଙ୍କ ସହିତ ହୋଇଥିବା ଯୌନ ଶୋଷଣ ବିଷୟରେ କହିଥିଲେ। ଏହି ସମସ୍ୟାର ସମାଧାନ କରିବା ବଦଳରେ ଉକ୍ତ ପାଦ୍ରୀ ଜଣକ ମହିଳାଙ୍କୁ ଗାଳି ଦେବା ଆରମ୍ଭ କରିଦେଇଥିଲେ। ଦ୍ୱିତୀୟ ପାଦ୍ରୀ ଜଣକ ଏହି ଯୌନ ଉତ୍ପୀଡ଼ନ ବିଷୟରେ ଅନ୍ୟ ପାଦ୍ରୀମାନଙ୍କୁ କହିଦେଇଥିଲେ। ଏହାପରେ ସମସ୍ତେ ମିଶି ସମ୍ପୃକ୍ତ ମହିଳାଙ୍କୁ ଯୌନ ଶୋଷଣ କରିଥିଲେ।

ସମସ୍ତ ପାଦ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡ଼ିତାଙ୍କ ପରିଚୟ ଗୋପନ ରଖିବା ଲାଗି ତାଙ୍କ ପତି ଦାବି କରିଛନ୍ତି।

Comment