ଓଡ଼ିଶାଲାଇଭ୍‍ ବ୍ୟୁରୋ

ଟ୍ରାଇବାଲ କୁଇନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି କୋରାପୁଟର ପଲ୍ଲବୀ ଦୁରୁଆ।

ସର୍ବଭାରତୀୟ ସ୍ତରରେ ପୁଣି ଓଡ଼ିଆଙ୍କ କମାଲ। ପଲ୍ଲବୀ ଦୁରୁଆ ନାମକ ଜଣେ ଆଦିବାସୀ ଝିଅ ସମଗ୍ର ଦେଶରେ ଟ୍ରାଇବାଲ କୁଇନ ପ୍ରତିଯୋଗିତାରେ ପ୍ରଥମ ହୋଇଛନ୍ତି। ଟିଟିଲାଗଡ଼ର ପଞ୍ଚମୀ ମାଝୀ ଓ ମୟୁରଭଞ୍ଜର ରଶ୍ମିରେଖା ହଂସଦା ଏହି ସୁନ୍ଦରୀ ପ୍ରତିଯୋଗିତାରେ ଦ୍ୱିତୀୟ ଓ ତୃତୀୟ ରନର୍ସ ଅପ ହୋଇପାରିଛନ୍ତି।

ରବିବାର ଦିନ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଥିବା ଆଦି ରାଣୀ କଳିଙ୍ଗ ଟ୍ରାଇବାଲ କୁଇନ ପ୍ରତିଯୋଗିତାରେ କୋରାପୁଟର ପଲ୍ଲବୀ ଦୁରୁଆ ପ୍ରଥମ ସ୍ଥାନ ଅଧିକାର କରିବା ସହ ମୁକୁଟ ପିନ୍ଧିଛନ୍ତି। ଏ ତିନିଜଣଙ୍କୁ ନେଇ ମୁମ୍ବାଇର ଜଣେ ପ୍ରଯୋଜକ ଏକ ଛୋଟ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରୁଛନ୍ତି।

“ଅନେକ ଆଦିବାସୀ ଝିଅ ପାଠ ପଢିବା କିମ୍ବା ବିଭିନ୍ନ ଯାଗାକୁ ବୁଲିବାର ଅନୁମତି ପାଇନଥାନ୍ତି। ଏହି କ୍ରାଉନ ପାଇବା ପରେ ମୁଁ ଭାବୁଛି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିବି, ଯାହାଫଳରେ କି ସେମାନେ ଅନ୍ଧବିଶ୍ୱାସ ଭିତରୁ ବାହାରି ଆସିପାରିବେ”,କହିଛନ୍ତି ପଲ୍ଲବୀ।

ସାତଟି ବିଭିନ୍ନ କ୍ୟାଟଗରୀରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା : ଆଦିବାସୀ ଅଳଙ୍କାର, ଫୋଟୋଜିନିକ ମୁହଁ, ଦେହର ରଙ୍ଗ, ଶ୍ରେଷ୍ଠ ବ୍ୟକ୍ତିତ୍ୱ, ଶ୍ରେଷ୍ଠ ଅଳଙ୍କାର ସଜ୍ଜା, ନିଜ ସଂସ୍କୃତିକୁ ଭଲ ଭାବରେ ଫୁଟାଇବା ଓ ଶ୍ରେଷ୍ଠ ପ୍ରତିଭା।

ଓଡ଼ିଶା ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ୨୦ ଜଣ ଫାଇନାଲିଷ୍ଟ ଯୋଗ ଦେଇ ନିଜର ପ୍ରତିଭାକୁ ସାମ୍ନାରେ ରଖିଥିଲେ। ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଜୁରୀର ଅଧ୍ୟକ୍ଷା ଥିଲେ। ଆଦିବାସୀ ସଂସ୍କୃତି ଓ ପରମ୍ପରାର ପ୍ରସାର ପାଇଁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here