ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗକୁ ବନ୍ଦ କରିଦିଆଯିବ। ଗଠନ କରାଯିବ ଉଚ୍ଚ ଶିକ୍ଷା ଆୟୋଗ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମୋଦି ସରକାରଙ୍କ ଏହି ନିଷ୍ପତ୍ତି ପଛରେ କାରଣ ହେଉଛି ଉଚ୍ଚ ଶିକ୍ଷା କ୍ଷେତ୍ରରେ ‘ଇନ୍ସପେକ୍ଟର ରାଜ’ ଶେଷ କରିବା।

ମାନବ ସମ୍ବଳ ବିକାଶ ବିଭାଗ ତାର ୱେବସାଇଟରେ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଅପଲୋଡ଼ କରିଛି। ଏଥିରେ ଜନସାଧାରଣଙ୍କ ମତ ଲୋଡ଼ାଯାଇଛି। ନୂଆ ଆୟୋଗର ନାମ ହେବ ହାୟାର ଏଜୁକେସନ କମିଶନ ଅଫ ଇଣ୍ଡିଆ ବା ଏଚଇସିଆଇ।

ଏହାପରେ ୧୯୫୬ରୁ ଚାଲିଆସିଥିବା ୟୁଜିସି ଇତିହାସର ବସ୍ତୁ ପାଲଟିଯିବ। ଚିଠା ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ଯେ ନୂଆ ଆୟୋଗର କାର୍ଯ୍ୟ ବ୍ୟାପକ ହେବ ଏବଂ ଶିକ୍ଷକ ପ୍ରଶିକ୍ଷଣ, ଶିକ୍ଷାର ମୂଲ୍ୟାୟନ ଓ ଶିକ୍ଷା ସମ୍ପର୍କିତ ଟେକ୍ନୋଲଜି ଉପରେ ଏଣିକି ଗୁରୁତ୍ୱ ଆରୋପ କରାଯିବ।

ୟୁଜିସି ଭଳି କେବଳ ଗ୍ରାଣ୍ଟ ଦେବାରେ ନୂଆ ଆୟୋଗର ଭୂମିକାକୁ ସୀମିତ ରଖାଯିବ ନାହିଁ। ଅନୁଦାନ କଥା ଏବେ ସିଧା ମନ୍ତ୍ରାଳୟ ବୁଝିବ। ଏହି ନୂଆ କମିଶନରେ ୧୨ ଜଣ ସଦସ୍ୟ ରହିବେ। ଏମାନଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିବେ। ତେବେ ଆୟୋଗର ମୁଖ୍ୟ ଓ ଉପମୁଖ୍ୟ ଏହି ସଦସ୍ୟଙ୍କ ଭିତରେ ଗଣା ହେବେ ନାହିଁ। ଯେଉଁମାନେ ନୂଆ ଆୟୋଗ ସମ୍ପର୍କରେ ନିଜ ମତ ରଖିବାକୁ ଚାହିଁବେ ଜୁଲାଇ ୭ ସନ୍ଧ୍ୟା ୫ ଟା ସୁଦ୍ଧା ତାହା କରିପାରିବେ।

Comment