ଓଡ଼ିଶାଲାଇଭ୍‍ ବ୍ୟୁରୋ

ବ୍ରାଜିଲ ସହ ଭଉଣୀ ସମ୍ପର୍କ ଯୋଡିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛିସିଷ୍ଟରଷ୍ଟେଟ ରିଲେସନସିପ’ କାର୍ଯ୍ୟକ୍ରମ

ବ୍ରାଜିଲ ସହ ଭଉଣୀ ସମ୍ପର୍କ ଯୋଡିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହାକୁ କୁହାଯାଉଛି ‘ସିଷ୍ଟର-ଷ୍ଟେଟ ରିଲେସନସିପ’। ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଏ ପି ପାଢ଼ୀ ଓ ବ୍ରାଜିଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଅଶୋକ କୁମାର ଦାସଙ୍କ ମଧ୍ୟରେ ଏ ସମ୍ପର୍କରେ ବୁଧବାର ଦିନ ସଚିବାଳୟରେ ଆଲୋଚନା ହୋଇଛି। ଏହି ବୈଠକରେ ରାଷ୍ଟ୍ରଦୂତ ଶ୍ରୀ ଦାସ ସମ୍ପର୍କର ଏକ ସମ୍ଭାବ୍ୟ ଚିତ୍ର ଉପସ୍ଥାପନ କରିଥିଲେ।

ସାଂସ୍କୃତିକ, ଅର୍ଥନୈତିକ, ବୌଦ୍ଧିକ ଓ ଟେକ୍ନୋଲଜି କ୍ଷେତ୍ରରେ ବହୁ କଥା ବିନିମୟ ହୋଇପାରିବ ବୋଲି ଶ୍ରୀ ଦାସ କହିଥିଲେ। ଯୋଗ, ଆୟୁର୍ବେଦ, ବୁଦ୍ଧ-ପର୍ଯ୍ୟଟନ, ହସ୍ତତନ୍ତ, ଭେଷଜ-ପର୍ଯ୍ୟଟନ, ଐତିହ୍ୟ-ପର୍ଯ୍ୟଟନ ଓ ସୁନାରୁପା ଅଳଙ୍କାର ଆଦି ବିଭିନ୍ନ ପ୍ରକାର ସମ୍ଭାବନା ରହିଛି ବୋଲି ସେ କହିଥିଲେ।

ବ୍ରାଜିଲରେ ଭାରତର ଚେରମୁଳି ଔଷଧର ଚାହିଦା ଖୁବ୍ ରହିଛି ବୋଲି ସେ ପ୍ରକାଶ କରିଥିଲେ। ଅର୍ଥନୈତିକ କ୍ଷେତ୍ରରେ ବ୍ରାଜିଲର କିଛି ପୁଞ୍ଜିନିବେଶକାରୀ ଓଡ଼ିଶାରେ ଅର୍ଥ ଖଟାଇ ପାରନ୍ତି ବୋଲି ଶ୍ରୀ ଦାସ ଆଶାପୋଷଣ କରିଥିଲେ। ଆନ୍ତର୍ଜାତିକ ବାଣିଜ୍ୟ ମେଳା ଓ ପୁଞ୍ଜି ବିନିଯୋଗ ମେଳାରେ ମଧ୍ୟ ମିଳିତ ଭାବେ ବ୍ରାଜିଲ ଓ ଓଡ଼ିଶା ଅଂଶଗ୍ରହଣ କରିବା ସମ୍ଭବ ବୋଲି ସେ କହିଥିଲେ।

ଷ୍ଟାର୍ଟଅପ, କ୍ରୀଡ଼ା ଓ ସାଂସ୍କୃତିକ ବିନିମୟ ମାଧ୍ୟମରେ ଉଭୟ ପକ୍ଷ ଫାଇଦା ଉଠାଇ ପାରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଆଲୋଚନା ସମୟରେ ଭୁବନେଶ୍ୱର ଦେଶର ସ୍ପୋର୍ଟସ କ୍ୟାପିଟାଲ ହେବାକୁ ଯାଉଥିବା ଶୁଣି ଶ୍ରୀ ଦାସ ତାହାର ପ୍ରଶଂସା କରିଥିଲେ। ଶିଳ୍ପବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରାଙ୍କୁ ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନୋଡାଲ ଅଫିସର କରାଯାଇଛି। ସେ ଏ ନେଇ ସମସ୍ତ ବିଷୟ ବୁଝାବୁଝି କରିବେ ଓ ବ୍ରାଜିଲ ସହିତ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଉଦ୍ୟମ କରିବେ।

Comment