ଡକ୍ଟର ଗୀତା ଦାସ
ସୁସଙ୍ଗ ଓ କୁସଙ୍ଗ ଉଭୟ ଗୋଟିଏ ପିଲାର ଜୀବନକୁ ବହୁ ଭାବରେ ପ୍ରଭାବିତ କରିଥାଏ। ତେବେ ଏହି ପ୍ରଭାବର ଗଭୀରତା ପାରିବାରିକ, ପାରିପାର୍ଶ୍ୱିକ ଓ ପିଲାର ନିଜସ୍ୱ ମାନସିକ ସ୍ଥିତି ଉପରେ ନିର୍ଭର କରିଥାଏ।
ଯେଉଁ ପିଲା ମନରେ ପରିବାର ଓ ସମାଜର ନୀତିଶିକ୍ଷା ଓ ଧାରଣା ବଦ୍ଧମୂଳ ହୋଇ ରହିଛି, ସେ ଅନ୍ୟାନ୍ୟ ପ୍ରଭାବର ସଂସ୍ପର୍ଶରେ ଆସିଲେ ମଧ୍ୟ ବିଶେଷ ପ୍ରଭାବିତ ହୁଏ ନାହିଁ। ଏଥିଲାଗି ଅନେକ ପିଲା କୁସଂସର୍ଗରେ ଆସିଲେ ମଧ୍ୟ ନିଜେ ସେଭଳି ସଂସର୍ଗ ତ୍ୟାଗ କରନ୍ତି। ଅନ୍ୟ ଲୋକ ଅପରାଧ କରି ଲାଭବାନ୍ ହେଉଛି ଦେଖି ମଧ୍ୟ ସେ ପଥରେ ଆଗେଇଯାଆନ୍ତି ନାହିଁ। ନିଜକୁ ବିଭିନ୍ନ ପ୍ରଲୋଭନରୁ ରକ୍ଷା କରିପାରନ୍ତି। କେଉଁ ପ୍ରକାର ଚାଲିଚଳଣି ନିଜ ପାଇଁ ଶ୍ରେୟସ୍କର ସେକଥା ସେମାନେ ସନ୍ତୁଷ୍ଟ ଭାବରେ ଜାଣିଥାଆନ୍ତି। ସେଥିଲାଗି ବିପଥରେ ଯାଆନ୍ତି ନାହିଁ। ଯିଏ ଏ ଶିକ୍ଷା ଅନ୍ତରରୁ ଗ୍ରହଣ କରି ନାହିଁ, ତା’ ମନରେ ବିଭିନ୍ନ ପ୍ରଭାବ ଆଲୋଡ଼ନ ସୃଷ୍ଟି କରେ। ଯେତେବେଳେ ଯେଉଁଟା ଭଲ ଲାଗେ ସେ ସେତେବେଳେ ସେହି ଅନୁସାରେ କାମ କରେ।
ଯିଏ ଅନ୍ୟ ଲୋକ ଦ୍ୱାରା ସହଜରେ ପ୍ରଭାବିତ ହୁଏ, ସେ କୁସଂସର୍ଗରେ ପଡ଼ିଲେ ସହଜରେ ବାହାରି ଆସିପାରେ ନାହିଁ। ଯଦି ଘରଲୋକ ଜଗି ରହି ସବୁବେଳେ ତା’ର ଗତିବିଧି ନିୟନ୍ତ୍ରଣ କରି ତାକୁ ସଂକୀର୍ଣ୍ଣ ପରିଧି ମଧ୍ୟରେ ଭଲ ସଂସର୍ଗରେ ରଖନ୍ତି, ତେବେ ସେ ଭଲ ବାଟରେ ଚାଲିଥିବ।
ମାତ୍ର ଘରଲୋକଙ୍କର ଆଖିର ଆଢ଼ୁଆଳ ହେଲେ ସେ କ’ଣ କରିବ ସେକଥା ଠିକ୍ ଭାବରେ କହିବା କଷ୍ଟ। ଏଭଳି ଲୋକ ଯେଉଁ ଦଳରେ ମିଶନ୍ତି ସେ ଦଳର ଚଳଣି ଅନୁସାରେ ଚଳନ୍ତି। ଏମାନଙ୍କ ମନରେ ସ୍ଥାୟୀ ନୀତିବୋଧ ଗଢ଼ି ଉଠି ନ ଥିବାରୁ ଏମାନେ ସହଜରେ ଅନ୍ୟ ଲୋକର ମତାମତ, ନୀତି ଓ ଆଦର୍ଶ ଦ୍ୱାରା ପ୍ରଭାବିତ ହୁଅନ୍ତି। ତେଣୁ କୁସଂସର୍ଗରେ ପ୍ରଭାବ ଏମାନଙ୍କର ସ୍ୱଭାବ ଓ ବ୍ୟକ୍ତିତ୍ୱରେ ତ୍ରୁଟି ସୃଷ୍ଟି କରିଥାଏ।
ପ୍ରଧାନତଃ ଦୁଇ ପ୍ରକାରର ପିଲା ଏଭଳି ସଂସର୍ଗ ଦ୍ୱାରା ପ୍ରଭାବିତ ହୋଇଥାଆନ୍ତି।
(କ) କେତେକ ପିଲାଙ୍କର ବୟସ ତୁଳନାରେ ମାନସିକ ପରିପକ୍ୱତା ହୋଇନଥାଏ। ଏମାନେ ନିଜ ବୟସ ତୁଳନାରେ ଅଳ୍ପ ବୟସର ପିଲା ପରି ବ୍ୟବହାର କରାନ୍ତି। ସେମାନଙ୍କର ବୁଦ୍ଧିବୃତ୍ତି ଠିକ୍ ଥାଏ। ଅନେକେ ପୁଣି ବେଶି ବୁଦ୍ଧିମାନ୍ ପରି ଜଣାଯାଆନ୍ତି; ମାତ୍ର ଚାଲିଚଳଣିରେ ପିଲାଳିଆ ଢଙ୍ଗ ରହିଥାଏ। ଯଥା- ପିଲାକୁ ମାନସାଙ୍କ ପଚାରିଲେ ସେ ନିର୍ଭୁଲ୍ ଉତ୍ତର ଦେବ ମାତ୍ର ମାଆ ଖାଇବାକୁ ନ କହିବା ଯାକେ ସେ ନ ଖାଇ ଭୋକରେ ବୁଲୁଥିବ କିମ୍ବା ମା’ କୋଳରେ ନ ବସିଲେ ସେ ବହି ପଢ଼ିବ ନାହିଁ। କେବଳ ମା’ କୋଳରେ ବସିଲେ ଯାଇ ପଢ଼ା ଆରମ୍ଭ କରିବ।
ଏହିଭଳି ବିଭିନ୍ନ ଲକ୍ଷଣରୁ ଦେଖାଯାଏ ଯେ ସେମାନଙ୍କର ପିଲାଳିଆ ଢଙ୍ଗ ବହୁତ ବୟସ ହେବା ଯାକେ ରହିଛି। ଏପରି ପିଲାକୁ ଘରଲୋକ ବିଶେଷ ଦାୟିତ୍ୱପୂର୍ଣ୍ଣ କାମ ଦିଅନ୍ତି ନାହିଁ, କ’ଣ କରିବାକୁ ହେବ ସେ କଥା ସବୁବେଳେ ବତାଉଥାନ୍ତି ଓ ସବୁ କଥାରେ ବେଶି ବେଶି ଜଗନ୍ତି। ଫଳରେ ସେମାନଙ୍କର ମନ ପରିପକ୍ୱ ହେବାକୁ ଆହୁରି ସମୟ ଲାଗେ।
ପିଲାର ସ୍ୱଭାବ ପିଲାଳିଆ ବୋଲି ତାକୁ ପିଲାଭଳିଆ ଚଳେଇଲାରୁ ତା’ର ସ୍ୱଭାବର ସଂଶୋଧନ ହୁଏ ନାହିଁ। ଏପରି ପିଲାର ବୟସ ହେଲେ ସେ ସ୍କୁଲ, କଲେଜ ଗଲେ ସେଠି ବାହାର ଲୋକର ପ୍ରଭାବ ଦ୍ୱାରା ସହଜରେ ପ୍ରଭାବିତ ହୋଇଥାଏ। ଯେଉଁ ପିଲାର ମାନସିକ ପରିପକ୍ୱତା ଥିବାରୁ ବୁଝିବିଚାରି କାମ କରେ, ସେ ଅନ୍ୟର ମତାମତ, ନୀତି ଓ ଆଦର୍ଶ ଗ୍ରହଣଯୋଗ୍ୟ କି ନାହିଁ ସେକଥା ବିବେଚନା କରିପାରେ। କେତେକ କ୍ଷେତ୍ରରେ ସେ ବାହାରର ପ୍ରଭାବକୁ ପ୍ରତିରୋଧ କରେ ଓ କେତେକ କ୍ଷେତ୍ରରେ ସେ ଏହାକୁ ଗ୍ରହଣ କରେ।
ଆଉ କେତେକ ଅବସ୍ଥାରେ ସେ ନେତୃତ୍ୱ ନେଇ ନିଜର ପ୍ରଭାବରେ ଅନ୍ୟକୁ ପ୍ରଭାବିତ କରେ। ତେଣୁ ସମସ୍ତ ସଂସର୍ଗର ପ୍ରଭାବରେ ପ୍ରଭାବିତ ହୋଇଥାଆନ୍ତି ବୋଲି ଭାବିବା ଠିକ୍ ନୁହେଁ। ମାତ୍ର ଆମ ଦେଶରେ ପ୍ରଚଳିତ ଧାରଣା ହେଉଛି- ପିଲା ସଙ୍ଗଦୋଷରୁ ଖରାପ ହୋଇଥାଏ, ସେଥିଲାଗି ଘରଲୋକ ପିଲାଙ୍କୁ ଘର ବାହାର ଲୋକ ବା ବାହାର ପିଲାଙ୍କ ସହିତ ମିଶିବାକୁ ଦିଅନ୍ତି ନାହିଁ।
ପିଲାଠାରେ କୌଣସି ଅବାଞ୍ଛିତ ଗୁଣ ଦେଖିଲେ ଅନ୍ୟ ଲୋକର କୁଶିକ୍ଷାରୁ ଏପରି ହେଉଛି ବୋଲି କୁହନ୍ତି। ଏଠି ଭାବିବା କଥା ଯେ ପିଲା କାହିଁକି ଅନ୍ୟ ଲୋକର କୁଶିକ୍ଷା ଗ୍ରହଣ କରୁଛି?
ଆହୁରି ଭାବିବା କଥା ଯେ ବର୍ତ୍ତମାନର ସହରିଆ ସମାଜରେ ପିଲାଙ୍କର ଗତିବିଧିର ପରିଧି ଅତି ବିସ୍ତୃତ। ପୁରାତନ ପଲ୍ଲୀ ସମାଜର ସଂକୀର୍ଣ୍ଣ ସୀମା ଭିତରେ ପିଲାଙ୍କୁ ସବୁବେଳେ ଆଖି ସାମ୍ନାରେ ଜଗି ଚଳେଇବା ସମ୍ଭବ ହେଉଥିଲା। ବର୍ତ୍ତମାନ ପିଲାଙ୍କୁ ସହଜରେ ସେପରି ଚଳାଇବା ସମ୍ଭବ ନୁହେଁ। ଛୋଟିଆ ଜାଗାରେ ସମସ୍ତେ ସମସ୍ତଙ୍କୁ ଜାଣନ୍ତି। ବଡ଼ ସହରରେ ସବୁବେଳେ ଅଜଣା ଅଶୁଣା ଲୋକଙ୍କର କରଲଗା ହୋଇ ରହିବାକୁ ପଡ଼ୁଛି। ସ୍କୁଲ ଗଲାଦିନଠାରୁ ପିଲା ଘର ବାହାରେ ବେଶି ସମୟ କଟାଉଛି। ତେଣୁ ଅନ୍ୟ ପିଲାଙ୍କର ପ୍ରଭାବରୁ ତାକୁ ଦୂରେଇ ରଖିବା କଷ୍ଟ।
ସେହିପରି ସେ ସିନେମା, ଥିଏଟର ଦେଖିବ, ଖବର କାଗଜ ପଢ଼ିବ, ଗଳ୍ପ ଉପନ୍ୟାସ ବା ରାଜନୀତିକ ସାହିତ୍ୟ ପଢ଼ି ଭିନ୍ନ ଭିନ୍ନ ଭାବଧାରାର ସଂସ୍ପର୍ଶରେ ଆସିବ। ସେ ଦେଖିବ ଯେ ଘର ଲୋକଙ୍କର ମତାମତ ଓ ଚିନ୍ତାଧାରା ସହିତ ବାହାର ଲୋକଙ୍କର ଚିନ୍ତାଧାରାରେ ବହୁ ପାର୍ଥକ୍ୟ ରହିଛି। ଘରଲୋକ ଯେଉଁସବୁ କାର୍ଯ୍ୟକଳାପକୁ ଅନ୍ୟାୟ ଓ ଅସଂଗତ ବୋଲି ଭାବନ୍ତି ଅନ୍ୟ ଲୋକମାନେ ସେ ସବୁ କାର୍ଯ୍ୟକୁ ଅନ୍ୟାୟ ଓ ଅସଙ୍ଗତ ବୋଲି ଭାବନ୍ତି ନାହିଁ। କାହା କଥା ଠିକ୍? କେଉଁ ବାଟରେ ତା’ର ଯିବା ଉଚିତ। ଏସବୁ ପ୍ରଶ୍ନ ପିଲା ମନରେ ଆସିବ। ଭାବିଚିନ୍ତି ବିଭିନ୍ନ ଜୀବନଧାରାକୁ ପରସ୍ପର ସହିତ ତୁଳନା କରି ଲୋକ ନିଜ ଜୀବନର ପନ୍ଥା ସ୍ଥିର କରେ। ଯାହାର ଏ ଶିକ୍ଷା ନାହିଁ, ସେ ପାଖଲୋକଙ୍କର ପ୍ରଭାବ ଦ୍ୱାରା ପ୍ରଭାବିତ ହୋଇ ଜୀବନ ବିତାଏ।
ସେଥିଲାଗି ବାହାର ଦୁନିଆକୁ ଭୟକରି ପିଲାକୁ ଘର କୋଣରେ ରଖିବା ଅପେକ୍ଷା କେମିତି ସେ ବାହାର ଦୁନିଆ ସହିତ ଚଳିବ ସେ ଶିକ୍ଷା ମୂଳରୁ ଦେଲେ ପିଲାର ମଙ୍ଗଳ ହେବ। ଗୋଟାଏ ବୟସ ପରେ ମା’ ଚଢ଼େଇ ନିଜ ଛୁଆକୁ ପକ୍ଷ ଆଢ଼ୁଆଳରେ ନ ରଖି ଦୂରକୁ ଉଡ଼ିଯିବାକୁ ଶିଖାଏ। ବାହାର ବିପଦରୁ ପିଲା ନିଜକୁ କେମିତି ରକ୍ଷା କରିବ ସେ କଥା ସେ ଚଢ଼େଇ ଛୁଆକୁ ଶିକ୍ଷା ଦିଏ। ଫଳରେ ଦୂରଦୂରାନ୍ତକୁ ଊଡ଼ିଗଲେ ମଧ୍ୟ ଛୁଆ ଚଢ଼େଇ ନିଜ ବସାକୁ ଫେରି ଆସିପାରେ। ମଣିଷ ଛୁଆକୁ ମଧ୍ୟ ଏହି ଶିକ୍ଷା ଦେବା ଦରକାର। ନଚେତ ସେ ଅନ୍ୟ ଲୋକର କୁପ୍ରଭାବରୁ ନିଜକୁ ମୁକୁଳେଇବାକୁ ଶିଖିବ ନାହିଁ।
(ଖ) ଅନେକ ପିଲାଙ୍କର ମାନସିକ ପରିପକ୍ୱତା ଥିବା ସତ୍ତ୍ୱେ ସେମାନେ ସାମାଜିକ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଥିବାରୁ ଘରର ଓ ନିଜ ସମାଜର ଶିକ୍ଷାକୁ ବର୍ଜନ କରି ନୂଆ ସମାଜର ଶିକ୍ଷା ଓ ଚଳଣିକୁ ଗ୍ରହଣ କରିବାକୁ ଚାହାନ୍ତି। ଏ କ୍ଷେତ୍ରରେ ସେମାନେ ନୂଆ ସମାଜର ଭଲ ଓ ଖରାପ ଉଭୟ ଦିଗକୁ ନିର୍ବିଚାର ଭାବରେ ଗ୍ରହଣ କରୁଥିବାରୁ ସହଜରେ ବାହାର ଦୁନିଆର କୁପ୍ରଭାବରେ ପଡ଼ନ୍ତି। ବର୍ତ୍ତମାନ ସମୟରେ ବହୁ ଲୋକ ନିଜ ଗାଁ ଛାଡ଼ି ଚାକିରି କରି ନୂଆ ନୂଆ ସହରରେ ଯାଇ ରହୁଛନ୍ତି। ସେମାନଙ୍କ ଭିତରୁ ଅନେକେ ନିପଟ ମଫସଲର ଲୋକ।
ସହରର ଶିଳ୍ପାଞ୍ଚଳରେ ଅନ୍ୟ ଭାଷାଭାଷୀ ଲୋକଙ୍କ ସହିତ ସାହିପଡ଼ିଶା ହୋଇ ରହିଲା ବେଳକୁ ସେମାନଙ୍କୁ ମାଡ଼ି ମାଡ଼ି ପଡ଼ୁଛି। ନିଜକୁ ବୋକାପରି ଲାଗୁଛି। ସେଥିରେ ପିଲା ଯେତେବେଳେ ଘରଲୋକଙ୍କୁ ଅନ୍ୟ ଲୋକଙ୍କ ସହିତ ତୁଳନା କରୁଛି, ସେତେବେଳେ ସେ ଘରଲୋକଙ୍କର ମଫସଲିଆ କଥାବାର୍ତ୍ତା ଓ ଢଙ୍ଗଢ଼ାଙ୍ଗ ଦେଖି ସେମାନଙ୍କୁ ମରହଟ୍ଟିଆ ବୋଲି ଭାବୁଛି। ଏଇ ଅବସ୍ଥାରେ ସେ ନିଜର ସିଆଣିଆ ସହରିଆ ସାଙ୍ଗର ନିର୍ଦ୍ଦେଶ ଅନୁସାରେ ଚଳିବାକୁ ଚାହେଁ। ସେମାନଙ୍କର ଚାଲିଚଳଣ ଅନୁସରଣ କରେ। କ୍ରମେ କ୍ରମେ ସେହିମାନେ ହିଁ ତା’ର ଆଦର୍ଶ ହୋଇଉଠନ୍ତି। ସେ ଘରଲୋକଙ୍କଠାରୁ ସାଙ୍ଗପିଲାଙ୍କୁ ବଡ଼ ବୋଲି ମଣେ। ଘରଲୋକଙ୍କର ମନ ମୁତାବକ କାମ କରି ପ୍ରଶଂସା ପାଇବାଠାରୁ ସାଙ୍ଗପିଲାଙ୍କର ପସନ୍ଦ ହେଲାପରି କାମ କରି ସେମାନଙ୍କଠାରୁ ‘ବାହାବା’ ଶୁଣିବାକୁ ସେ ବେଶି ମୂଲ୍ୟ ଦିଏ।
ଏଇ ଅବସ୍ଥାରେ ତା’ର ସାଙ୍ଗମାନେ ଯଦି ସିନେମା ଟିକଟ କଳାବଜାରରେ ବିକି ପଇସା କରନ୍ତି, ତେବେ ସେ ଏପରି କାମ ଅନ୍ୟାୟ ଭାବି ରହିଯାଏ ନାହିଁ। ସେ ମଧ୍ୟ କଳାବଜାରରେ ଟିକଟ ବିକେ। ବାପା ପକେଟରୁ ପଇସା ଚୋରିକରି ସାଙ୍ଗପିଲାଙ୍କୁ ଖୁଆଇ ବାହାଦୁରି ଦେଖାଏ। ବିନା ଟିକଟରେ କେମିତି ବସ୍ରେ ଯିବାଆସିବା କରୁଛି ସେକଥା କହି ଗର୍ବ ବୋଧ କରେ। ନିଜର ସାହସୀ ଓ ସିଆଣିଆ ପଣ ଦେଖାଇବା ଲାଗି ଅନେକ ସମୟରେ ଏପରି ଲଘୁ ଅପରାଧ କରୁ କରୁ ସେ ଗୁରୁ ଅପରାଧ କରିଥାଏ।
ଏପରି ପିଲାଙ୍କୁ ଭଲବାଟକୁ ଆଣିବା ଅପେକ୍ଷାକୃତ ସହଜସାଧ୍ୟ। କାରଣ ଏମାନଙ୍କର ମୂଳ ସ୍ୱଭାବରେ କୌଣସି ତ୍ରୁଟି ନଥାଏ। ଅସ୍ୱାଭାବିକ ଉଗ୍ରତା, ଅକାରଣ ବିଦ୍ୱେଷ, ବଡ଼ମାନଙ୍କ ପ୍ରତି ବିରୋଧୀ ମନୋଭାବ ଇତ୍ୟାଦି ଲକ୍ଷଣଗୁଡ଼ିକ ଏମାନଙ୍କର ବ୍ୟକ୍ତିତ୍ୱରେ ପ୍ରାୟ ଦେଖାଯାଏ ନାହିଁ। ଏମାନେ ସୁସ୍ଥ ଓ ସ୍ୱାଭାବିକ। ସେମାନଙ୍କ ମନରେ ନ୍ୟାୟ ଓ ଅନ୍ୟାୟବୋଧର ସୀମା ଅସ୍ପଷ୍ଟ ହେବାର ପ୍ରଧାନ କାରଣ ହେଉଛି ଯେ, ଏ ବିଷୟରେ ସେମାନେ ନିଜ ସାମାଜିକ ପରିବେଶରୁ କୌଣସି ସ୍ଥିର ନିର୍ଦ୍ଦେଶ ପାଉନାହାନ୍ତି। ଆଇନ ଅମାନ୍ୟ କରିବାଟା ପ୍ରକୃତରେ ଅପରାଧ କି ନୁହେଁ- ସେ ବିଷୟରେ ମଧ୍ୟ ନିର୍ଦ୍ଦିଷ୍ଟ ମତାମତ ନାହିଁ।
କେତେକ ଅବସ୍ଥାରେ ଆଇନ ଅମାନ୍ୟ କରିବାଟା ଭଲ କଥା ଓ ଆଉ କେତେକ କ୍ଷେତ୍ରରେ ଏହାକୁ ଅପରାଧ ବୋଲି ବିଚାର କରାଯାଉଛି। କଳାବଜାର, ଠକାମି, ଲାଞ୍ଚ ବର୍ତ୍ତମାନ ସମାଜରେ ଚଳିଯାଉଛି। ସେପରି କାମକୁ କେତେ ଲୋକ ଅନ୍ୟାୟ କହିଲେ ମଧ୍ୟ ଆଉ କେତେକ ଲୋକ ଅନ୍ୟାୟର ବୋଲି ଭାବୁନାହାନ୍ତି। ଯଦି ତା’ର ସାଙ୍ଗମାନେ ଏସବୁ କାମକୁ ଅପରାଧ ବୋଲି ଧରୁନାହାନ୍ତି ସେ କାହିଁକି ଏ ସବୁକୁ ଅନ୍ୟାୟ ବୋଲି ଭାବିବ?
ଏପରି ପିଲାଙ୍କୁ ଅନ୍ୟ ପରିବେଶରେ ରଖିଲେ ଓ ସତ୍ପଥରେ ଚଳିବାର ସୁଯୋଗ ଦେଲେ, ଏମାନେ ଠିକ୍ ବାଟକୁ ଫେରିଆସିବେ। ସମାଜରୁ ଦୁର୍ନୀତି ଯେତେ କମିଯିବ ସେତେ ଏଭଳି ଅପରାଧୀଙ୍କ ସଂଖ୍ୟା କମିଯିବ।
(ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଲେଖିକା। ଦୀର୍ଘ ବର୍ଷରୁ ସେ କାନାଡାର ଆଲବର୍ଟା ସହରରେ ରହୁଛନ୍ତି। ତାଙ୍କର ବିଭିନ୍ନ ଓଡ଼ିଆ ବହି ଭିତରେ ‘କୈଶୋରରୁ ଯୌବନ’ ଏକ ଲୋକପ୍ରିୟ କୃତି। ଏହି ପୁସ୍ତକର ବିଭିନ୍ନ ଭାଗ ବା ଅଂଶକୁ ସାଧାରଣରେ ପ୍ରକାଶିତ ଓ ପ୍ରସାରିତ କରିବା ଲାଗି ଲେଖିକା ଓଡ଼ିଶାଲାଇଭକୁ ସଦୟ ଅନୁମତି ପ୍ରଦାନ କରିଛନ୍ତି। -ସମ୍ପାଦକ)