ଓଡ଼ିଶାଲାଇଭ୍ ବ୍ୟୁରୋ

ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ। ଗଜପତି ଜିଲ୍ଲାପାଳ ଅନୁପମ ଶାହା ପାରାଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌରପାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ।

ବ୍ଲାକବୋର୍ଡରେ ଅଙ୍କାଯାଇଥିଲା ଭାରତ ମାନଚିତ୍ର। ମଝିରେ ବଡ଼ବଡ଼ ଅକ୍ଷରରେ ଲେଖାଥିଲା ଭାରତ। ଏହାର ଚର୍ତ୍ତୁଦିଗରେ ରହିଥିବା ପଡୋଶୀ ଦେଶ କେଉଁ ସାଗର ରହିଛି ଏନେଇ ମହେନ୍ଦ୍ରଗିରି ପୌରପାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଢ଼ାଯାଇଥିଲା। ବିଦ୍ୟାଳୟର କୌଣସି ଶିକ୍ଷକ-ଶିକ୍ଷୟତ୍ରୀ ପଢ଼ାଇନଥିଲେ ପିଲାଙ୍କ ଶ୍ରେଣୀ ନେଉଥିଲେ ଗଜପତି ଜିଲ୍ଲାପାଳ ଅନୁପମ ଶାହ।

୯ମ ଶ୍ରେଣୀ ପିଲାଙ୍କୁ ଭୂଗୋଳ ପଢ଼ାଇବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା। ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ ଜିଲ୍ଲାପାଳ। ସ୍କୁଲରେ ଥିବା ଗୋପବନ୍ଧୁ କକ୍ଷକୁ ଯାଇଥିଲେ ସେ। ସେଠାରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢ଼ାଇଥିଲେ ଭୂଗୋଳ।

ଉପସ୍ଥାନକୁ ନେଇ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିଥିଲେ। ୯ମ ଶ୍ରେଣୀରେ ପିଲା ସଂଖ୍ୟା ୬୦ଥିବାବେଳେ ଉପସ୍ଥିତ ଥିଲେ ମାତ୍ର ୨୭ଜଣ।

ସମସ୍ତ ଛାତ୍ରଛାତ୍ରୀ ଯେମିତି ସ୍କୁଲକୁ ଆସିବେ ସେ ପ୍ରତି ଦୃଷ୍ଟି ଦେବାକୁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତାଗିଦ କରିଥିଲେ ଜିଲ୍ଲାପାଳ। ସାଙ୍ଗରେ ଥିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ।

‘ମୋ ସ୍କୁଲ’ ଆନୁକଲ୍ୟରେ ‘ଟିଚ୍‌ ଗଜପତି’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଯେଉଁଥିରେ ସ୍ୱେଚ୍ଛାକୃତ ଭାବରେ ଯିଏ ଶିକ୍ଷକତା କରିବା ପାଇଁ ଚାହୁଁଛନ୍ତି ନିଜର ଶିକ୍ଷାଗତ ଯୋଗ୍ୟତା ଓ ଇଚ୍ଛା ଅନୁସାରେ ସେ ଆସିକି ସ୍କୁଲରେ କିଛି ସମୟ ପାଇଁ କିଛି ବିଷୟ ପିଲାଙ୍କୁ ପଢ଼ାଇପାରିବେ। ଆଶା ଅଛି ଏହା ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଏହାଦ୍ଵାରା ଏକ ଶୈକ୍ଷିକ ବାତାବରଣ ସୃଷ୍ଟି ହେବ।”, କହିଛନ୍ତି ଜିଲ୍ଲାପାଳ।

Comment