ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସ୍ମାର୍ଟ ସିଟିରେ ଘଣ୍ଟାଏ କାଚିଲା ବର୍ଷା
  • ରାଜରାସ୍ତାରେ ଦେଢ଼ ଫୁଟର ପାଣି
  • ଭାସିଲା କାର୍, ଅଟୋ
  • ବସ୍ତିରେ ପଶିଲା ପାଣି

ସାମ୍ନାକୁ ଆସିଲା ସ୍ମାର୍ଟ ସିଟି ଭୁବନେଶ୍ୱରର ଅସଲ ଚିତ୍ର। ଅସରାଏ ବର୍ଷାରେ ବେହାଲ ହୋଇଯାଇଛି ଭୁବନେଶ୍ୱର। ଶନିବାର ଅପରାହ୍ଣରେ ଘଣ୍ଟାଏ ବର୍ଷାରେ ରାଜଧାନୀ ରାଜରାସ୍ତାରେ ପାଣି ଲହଡ଼ି ଭାଙ୍ଗିଛି। ବର୍ଷା ପାଣିରେ କାର୍, ସାଇକେଲ, ଅଟୋ ଭାସିଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱରର ସୌଭାଗ୍ୟ ନଗର, ଇସ୍କନ ମନ୍ଦିର, ସିଆର୍‌ପି ଛକ, ଆଚାର୍ଯ୍ୟ ବିହାର ରାସ୍ତାରେ ଏଭଳି ଚିତ୍ର ଲୋକଙ୍କୁ ଚକିତ କରିଛି। ବର୍ଷା ଆରମ୍ଭରୁ ଯଦି ଏମିତି ଆଗକୁ ତାହାଲେ କ’ଣ ହେବ ବୋଲି ପ୍ରଶ୍ନ ଉଠିଛି।

ବର୍ଷା ପାଣି ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ଅସରାଏ ବର୍ଷାରେ ବନ୍ୟା ହେଉଥିବାରୁ ରାଜଧାନୀର ପ୍ରମୁଖ ଅଞ୍ଚଳ ଜଳମଗ୍ନ ହୋଇଯାଉଛି। ଏଥିପାଇଁ ଜାଇକାର ଅଧାପନ୍ତରିଆ କାମକୁ ଲୋକେ ଦାୟୀ କରିଛନ୍ତି। ଜାଇକା ଠିକ୍ ସମୟରେ କାମ ସାରୁ ନଥିବାରୁ ରାଜଧାନୀବାସୀଙ୍କ ମନରେ ଅସନ୍ତୋଷ ବଢ଼ିଛି। ରାସ୍ତାରେ ଦେଢ଼ ଫୁଟ ପାଣି ଚାଲିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି।

ବିଭିନ୍ନ ବସ୍ତିରେ ମଧ୍ୟ ପାଣି ପଶିଯାଇଛି। ତଳିଆ ଘରେ ପାଣି ପଶିଯିବାରୁ ଲୋକେ ଚିନ୍ତାରେ ପଡ଼ିଛନ୍ତି।

Comment