ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏନ୍‌କାଉଣ୍ଟର ପରେ ଟିଟୋ ସ୍ତ୍ରୀ ପୋଲିସ ବିରୋଧରେ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ।

“ମୋ ସ୍ୱାମୀ ପୂର୍ବରୁ ଅପରାଧୀ ଥିଲେ। ହେଲେ ସେ ଏବେ ଅପରାଧୀ ନାହାନ୍ତି। ୫ ବର୍ଷ ହେଲା ବଦଳି ଗଲେଣି। ଅପରାଧୀ ଥିବା ବେଳେ ପୋଲିସ କିଛି କରିପାରିଲା ନାହିଁ। ସେ ଭଲ ଲୋକ ହେବାକୁ ଚେଷ୍ଟା ଚଳାଇଥିବା ବେଳେ ପୋଲିସ ତାଙ୍କୁ ଏନକାଉଣ୍ଟର କରୁଛି। ପୋଲିସ କାହାକୁ ଭଲ ଲୋକ ହେବାକୁ ସୁଯୋଗ ଦେଉନି”, ଏହା କହିଛନ୍ତି ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀ ବେନଜିର।

ଗ୍ୟାଙ୍ଗଷ୍ଟର ଟିଟୋକୁ ଚଣ୍ଡିଖୋଲ ପାଖରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଟିମ୍ ଏନ୍‌କାଉଣ୍ଟର କରିଥିଲେ। ଟିଟୋର ବାମପଟ ଆଣ୍ଠୁ ତଳେ ଗୁଳି ବାଜିବାରୁ ସେ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅଛି। ଖବରପାଇ ଟିଟୋର ସ୍ତ୍ରୀ କଟକ ବଡ଼ ମେଡିକାଲକୁ ଯାଇଥିଲେ। କିନ୍ତୁ ପୋଲିସ ତାଙ୍କୁ ଟିଟୋ ପାଖକୁ ଛାଡ଼ି ନଥିଲା।

ବେନଜିର୍ ଆହୁରି କହିଛନ୍ତି ଯେ ଟିଟୋ ଆଜି କେନ୍ଦ୍ରାପଡ଼ା ଡିଲାରପୁରସ୍ଥିତ ଘର ଆଗରେ ଥିବା ଅଫିସରେ ବସିଥିଲେ। ଏହି ସମୟରେ ୩ଟି ବାଇକରେ ୮ ଜଣ ଲୋକ ଆସି ତାଙ୍କୁ ଗାଡ଼ିରେ ନେଇଯାଇଥିଲେ। ଆମେ କିଛି ବୁଝିପାରିଲୁ ନାହିଁ। ଟିଭିରୁ ଜାଣିଲୁ ଯେ ତାଙ୍କୁ ଚଣ୍ଡିଖୋଲ ପାଖରେ ପୋଲିସ ଏନକାଉଣ୍ଟର କରିଛି।

ଟେଣ୍ଡରଫିକ୍ସିଂ, ଦାଦାବଟି, ଗୁଳିକାଣ୍ଡ ଆଦି ଘଟଣାରେ ଟିଟୋ ନାଁରେ ବିଭିନ୍ନ ଥାନାରେ ରହିଛି ମାମଲା। ଟିଟୋକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲେ ମଧ୍ୟ ଗ୍ୟାଙ୍ଗଷ୍ଟର ଟିଟୋ ପୋଲିସ ଆଖିରେ ଧୂଳି ଦେଇ ବାହାରେ ବୁଲୁଥିଲା। ଟିଟୋ ଗାଁରେ ଥିବା ଖବର ପାଇ କ୍ରାଇମବ୍ରାଞ୍ଚ ଟିମ୍ ତାକୁ ଉଠାଇ ନେଇଥିବା କୁହାଯାଉଛି। ହେଲେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

Comment