ଓଡ଼ିଶାଲାଇଭ୍ ବ୍ୟୁରୋ
ବେଲଜିୟମର ଆଣ୍ଟୱେର୍ପଠାରେ ଆସନ୍ତା ୧୪ରୁ ୨୧ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ୨୩ ବର୍ଷରୁ କମ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।
ଦଳରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଓଡ଼ିଶାର ଡିଫେଣ୍ଡର ଦୀପ୍ସାନ ତିର୍କି ଭାରତୀୟ ଦଳର ନେତୃତ୍ୱ ନେବେ। ଦଳରେ ଥିବା ଆଉ ୨ ଓଡ଼ିଆ ଖେଳାଳି ହେଲେ ଡିଫେଣ୍ଡର ନୀଲମ୍ ସଞ୍ଜୀପ ଖେସ୍ ଓ ଫରୱାର୍ଡ ଶିଳାନନ୍ଦ ଲାକ୍ରା।

ଦୀପ୍ସାନଙ୍କ ସହ ନୀଲମ୍ ସଞ୍ଜୀପ ଓ ଶିଳାନନ୍ଦ ଭାରତ ପାଇଁ ଖେଳି ସାରିଛନ୍ତି। ହାର୍ଦ୍ଦିକ ସିଂହ ଉପଅଧିନାୟକ ପଦ ପାଇଛନ୍ତି।

ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ରାଉଣ୍ଡ ରବିନ୍ ଲିଗ୍ ଭିତ୍ତିରେ ପରସ୍ପର ବିରୋଧରେ ଖେଳିବେ।
ଦୀପସାନ୍ ତିର୍କି
ଓଡ଼ିଶା ହକିର ଉଦୀୟମାନ ତାରକା ଦୀପସାନ୍ ତିର୍କି ୧୮ ଜଣିଆ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦୀପସାନ୍ ବରିଷ୍ଠ ଦଳର ପ୍ରତିନିଧିତ୍ୱ କରିବା ସହ ଆଗରୁ ମଧ୍ୟ କନିଷ୍ଠ ଦଳର ନେତୃତ୍ୱ ନେଇ ସାରିଛନ୍ତି।
ସୁନ୍ଦରଗଡ଼ର ସାଉନାମରା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଦୀପସାନ୍ ୨୦୦୯ରେ ରାଉରକେଲା କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେଇଥିଲେ। ୨୦୧୪ ସୁଲତାନ ଜୋହର କପ୍ ହକି ପ୍ରତିଯୋଗିତାରେ ସେ ପ୍ରଥମ ଥର ପାଇଁ ଭାରତୀୟ କନିଷ୍ଠ ଦଳରେ ସ୍ଥାନ ପାଇଥିଲେ। ୨୦୧୬ରେ ୟୁରେସିଆ କପ୍ ଜିତିଥିବା ଭାରତୀୟ କନିଷ୍ଠ ଦଳର ସେ ଅଧିନାୟକ ଥିଲେ।
ଗତବର୍ଷ ବରିଷ୍ଠ ଦଳରେ ସ୍ଥାନ ପାଇ ସେ ଏସିଆ କପ୍ ଜିତିବାର ସୌଭାଗ୍ୟ ଲାଭ କରିଥିଲେ। ୨୦୧୬ ଲକ୍ଷ୍ନୌ କନିଷ୍ଠ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଦୀପସାନ୍ ଉପ ଅଧିନାୟକ ଥିଲେ।

ଭାରତୀୟ ଦଳ ଏହି ପ୍ରତିଯୋଗିତାରେ ଆୟର୍ଲାଣ୍ଡ, ଗ୍ରେଟ୍ ବ୍ରିଟେନ୍, ବେଲଜିୟମ, କାନାଡା ଓ ନେଦରଲାଣ୍ଡ ବିପକ୍ଷରେ ମୋଟ ପାଞ୍ଚଟି ରାଉଣ୍ଡ ରବିନ୍ ମ୍ୟାଚ୍ ଖେଳିବ। ଏହାପରେ ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଅନ୍ୟ ଦଳଗୁଡ଼ିକ ତୃତୀୟରୁ ପଞ୍ଚମ ସ୍ଥାନ ପାଇଁ ଲଢ଼େଇ କରିବେ।
ଭାରତୀୟ ଦଳ ୧୪ରେ ଆୟରଲାଣ୍ଡ, ୧୫ରେ ଗ୍ରେଟ୍ ବ୍ରିଟେନ୍, ୧୭ରେ ବେଲ୍ଜିୟମ୍, ୧୮ରେ ମାଲେସିଆ ଓ ୨୦ରେ ନେଦରଲାଣ୍ଡ୍ସ ବିରୋଧରେ ଭାରତ ଖେଳିବ।














