ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଉପରୁ ପରଦା ହଟୁନି। କାନ୍ଥରେ ୧୧ଟି ହୋଲ୍ର ଚିତ୍ର ସାମ୍ନାକୁ ଆସିବା ପରେ ସସ୍ପେନ୍ସ ବଢ଼ିଛି।
କାନ୍ଥରେ ୧୧ଟି ହୋଲ୍। ଛାତ ଉପରେ ୧୧ଟି ରଡ୍। ଆଉ ଘରୁ ମିଳିଲା ୧୧ଟି ମୃତଦେହ। ଏହି ୧୧ ସଂଖ୍ୟାକୁ ନେଇ ଏବେ ଦିଲ୍ଲୀ ବୁରାରୀ ଘଟଣା ଭିନ୍ନ ମୋଡ଼ ନେଇଛି। ଏହି ୧୧ ସଂଖ୍ୟକୁ ନେଇ ମୃତ୍ୟୁର କ’ଣ ରହସ୍ୟ ରହିଛି ତାକୁ ନେଇ ଚାଲିଛି ଛାନ୍ଭିନ୍। କୁହାଯାଉଛି ୧୧ଟି ଆତ୍ମା ସ୍ୱର୍ଗକୁ ଯିବା ପାଇଁ ୧୧ଟି ହୋଲ୍ କରାଯାଇଥିଲା।
ଭାଟିଆ ପରିବାର ସହ ସମ୍ପର୍କ ରଖିଥିବା ଲୋକ କହୁଛନ୍ତି ଯେ ଭେଣ୍ଟିଲେସନ ପାଇଁ କାନ୍ଥରେ ହୋଲ୍ କରାଯାଇଛି। ତେବେ ଅନ୍ଧବିଶ୍ୱାସ ସମ୍ପର୍କରେ ସେମାନେ ନୀରବ ରହୁଛନ୍ତି।
ଏପଟେ ୧୧ ମୃତଦେହ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ରିପୋର୍ଟରୁ ଜଣାପଡ଼ିଛି ଯେ ୧୧ ଜଣ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ହେଲେ ମୃତକଙ୍କ ସମ୍ପର୍କୀୟ ଏହାକୁ ଗ୍ରହଣ କରିବାକୁ ନାରାଜ। ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ମୃତକଙ୍କ ସମ୍ପର୍କୀୟମାନେ କହୁଛନ୍ତି।
ପରିବାରର ୧୧ ଜଣ ସଦସ୍ୟଙ୍କ ମୃତଦେହ ଯେତେବେଳେ ପୋଲିସ ଉଦ୍ଧାର କରିଥିଲା ସେତେବେଳେ ପୋଲିସର ସନ୍ଦେହ ବଢ଼ିଥିଲା କାରଣ ମୃତକଙ୍କ ହାତ ବନ୍ଧା ଯାଇଥିଲା। ସମସ୍ତଙ୍କ ମୁହଁରେ କପଡ଼ା ବନ୍ଧା ଯାଇଥିଲା। ବୃଦ୍ଧା ନାରାୟଣ ଦେବୀଙ୍କ ମୃତଦେହ ଚଟାଣରେ ପଡ଼ିଥିଲା। ଏସବୁ ଦୃଶ୍ୟକୁ ଆଖିରେ ରଖି ପୋଲିସ ତଦନ୍ତ ଜୋରଦାର କରିଥିଲା।
ପୋଲିସ ଏହି ଘରୁ ନାରାୟଣ ଦେବୀ (୭୭), ତାଙ୍କ ଝିଅ ପ୍ରତିଭା(୫୭), ପ୍ରତିଭାଙ୍କ ଦୁଇ ପୁଅ ଭାବନେଶ ଏବଂ ଲଳିତ ଭାଟିଆ, ଝିଅ ପ୍ରିଙ୍କା, ଭବନେଶଙ୍କ ସ୍ତ୍ରୀ ସବିତା, ସବିତାଙ୍କ ତିନି ପିଲା, ଲଳିତ ଭାଟିଆଙ୍କ ସ୍ତ୍ରୀ ଏବଂ ତାଙ୍କର ଗୋଟିଏ ପିଲାଙ୍କର ମୃତଦେହ ଉଦ୍ଧାର କରିଥିଲା
ପୋଲିସର କହିବା କଥା ହେଉଛି ଲଳିତ ଭାଟିଆଙ୍କ କଥାରେ ଘରେ ସବୁକିଛି କାମ ହେଉଥିଲା। ଜବତ ହୋଇଥିବା ଡାଏରୀରେ ଲେଖା ଯାଇଛି ଯେ ରାତିରେ ଶୋଇବା ବେଳେ ଲଳିତ ତାଙ୍କ ବାପା ଗୋପାଳ ଦାସ ଭାଟିଆ(ଦେହାନ୍ତ ହୋଇଥିବା)ଙ୍କ ସହ ସ୍ବପ୍ନରେ କଥା ହେଉଥିଲେ। ଲଳିତ ତାଙ୍କ ସମସ୍ୟା ସମ୍ପର୍କରେ ବାପାଙ୍କୁ କହୁଥିଲେ। ଆଉ ତାଙ୍କ ବାପା ହିଁ ସବୁ ସମସ୍ୟାର ସମାଧାନ କରୁଥିଲେ।
ସେ ଡାଏରୀରେ ଆହୁରି ଲେଖାଯାଇଛି ଯେ ମୋକ୍ଷ ପ୍ରାପ୍ତି ପାଇଁ ବିଶେଷ ପୂଜାର ଆୟୋଜନ କରାଯିବ। ପୂଜା ପରେ ସମସ୍ତେ ମୋକ୍ଷ ପ୍ରାପ୍ତି ହେବେ ଏବଂ ପୁଣି ଘରକୁ ଫେରିଆସିବେ। ମୃତ ଲଳିତ ଉପରେ ପୋଲିସ ସନ୍ଦେହ କରୁଛି।
ହେଲେ ସମ୍ପର୍କୀୟମାନେ ଭିନ୍ନ କଥା କହୁଥିବାରୁ ପୋଲିସ ତଦନ୍ତ ଜାରୀ ରଖିଛି। ପଡ଼ୋଶୀମାନଙ୍କୁ ପଚରାଉଚୁରା କରି ତଦନ୍ତକୁ ଆଗକୁ ବଢ଼ାଇଛି।








ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଉପରୁ ପରଦା ହଟୁନି। କାନ୍ଥରେ ୧୧ଟି ହୋଲ୍ର ଚିତ୍ର ସାମ୍ନାକୁ ଆସିବା ପରେ ସସ୍ପେନ୍ସ ବଢ଼ିଛି।





