ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀର ବୁରାରି ସନ୍ଥ ନଗରରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତଦେହ ଉଦ୍ଧାରକୁ ରହସ୍ୟ ବଢ଼ିଛି। ଘରୁ ମିଳିଥିବା ରେଜିଷ୍ଟରରୁ ଅନ୍ଧବିଶ୍ୱାସ ଯୋଗୁଁ ଏଭଳି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଥିଲେ ହେଁ ଘଟଣା ଉପରୁ ପୂରା ପରଦାଫାଶ ହୋଇପାରିନି। ତେବେ ମୃତକଙ୍କ ଘରୁ ପୋଲିସ ୬ଟି ମୋବାଇଲ୍ ଫୋନ୍ ଜବତ କରିଛି। ଏହି ମୋବାଇଲ ଫୋନକୁ ନେଇ ପୋଲିସ ଅଧିକ ଛାନଭିନ କରୁଛି।

ଘର ଭିତରେ ଗୋଟିଏ ଜାଗାରେ ରହିଥିଲା ୬ଟି ମୋବାଇଲ୍। ଏହି ମୋବଇଲ ସାଇଲେଣ୍ଟ ମୋଡରେ ରହିଥିଲା। ପୋଲିସ ୨ଟି ମୋବାଇଲ୍ ଫୋନ୍ ଯାଞ୍ଚ କରିଛି। କିଛି ନମ୍ବରରେ ଲମ୍ବା ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ତେବେ ଲମ୍ବା ସମୟ କଥାବାର୍ତ୍ତ କରିଥିବା ବ୍ୟକ୍ତି କିଏ ତାହା ସ୍ପଷ୍ଟ ହୋଇନି। ତନ୍ତ୍ରମନ୍ତ୍ର ସହ ଜଡ଼ିତ ବ୍ୟକ୍ତି ଲମ୍ବା ସମୟ ଧରି ଫୋନରେ ଆଲୋଚନା କରିଥିବା ପୋଲିସ ଅନୁମାନ କରୁଛି।

ପୋଲିସ ଦୁଇଟି ରେଜିଷ୍ଟର ମଧ୍ୟ ଜବତ କରିଛି। ଗୋଟିଏ ରେଜିଷ୍ଟରରେ ବଟ ବୃକ୍ଷ ପୂଜା ଉପରେ ବିସ୍ତୃତ ଭାବେ ଲେଖାଯାଇଛି। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତଭାର ହାତକୁ ନେଇଛି। ମୋବାଇଲ ଫୋନ୍ ଏବଂ ରେଜିଷ୍ଟରକୁ ନେଇ ଖୋଳତାଡ଼ କରୁଛି।

ରବିବାର ଦିନ ଦିଲ୍ଲୀ ବୁରାରିରୁ ଗୋଟିଏ ଘରୁ ୧୧ ଜଣଙ୍କର ମୃତଦେହ ରବିବାର ଦିନ ଉଦ୍ଧାର ହୋଇଥିଲା। ୧୦ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ୭୭ ବର୍ଷିୟ ବୃଦ୍ଧାଙ୍କ ମୃତଦେହ ଚଟାଣରେ ପଡ଼ିଥିଲା। ମୃତକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ମୃତକଙ୍କ ମୁହଁରେ କପଡ଼ା ବନ୍ଧା ଯାଇଥିଲା। ମୃତକଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ଏହାକୁ ଆତ୍ମହତ୍ୟା କହୁଛି ପୋଲିସ। ତନ୍ତ୍ରମନ୍ତ୍ର ଯୋଗୁଁ ଏହି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି।

Comment