ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ରାଜନୀତି ସରଗରମ। ଜେଡିୟୁ ଓ ବିଜେପି ମେଣ୍ଟ ମଧ୍ୟରେ ଘଣ୍ଟାକେ ଘୋଡ଼ା ଛୁଟୁଛି। କେତେବେଳେ କୋଳାକୋଳି ତ କେତେବେଳେ ତୀର ମରାମରି।
୨୦୧୯ ସାଧାରଣ ନିର୍ବାଚନ ପାଇଁ ଦେଶର ରାଜନୀତି ପାଣିପାଗ ବେଶ୍ ସରଗରମ। ଏସବୁ ଭିତରେ ବିହାର ରାଜନୀତିକୁ ନେଇ ସବୁଠି ଚର୍ଚ୍ଚା। ବର୍ଷେ ପୂର୍ବରୁ ଲାଲୁଙ୍କୁ ପର କରି ବିଜେପି ହାତ ଧରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର।
କିନ୍ତୁ ଏହି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ନୀତିଶ କୁମାର ଏନଡିଏ ସହ ମେଣ୍ଟ ଭାଙ୍ଗି ଏବେ ମହାମେଣ୍ଟରେ ସାମିଲ ହେବାକୁ ମନ ବଳାଇଛନ୍ତି। ଏହି ମହାମେଣ୍ଟରେ ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ଵାଧୀନ ଆରଜେଡି ସାମିଲ ଅଛି।
ପରୋକ୍ଷ ଭାବେ କହିବାକୁ ଗଲେ ଲାଲୁଙ୍କ ପାଖକୁ ପୁଣିଥରେ ଫେରିବାକୁ ଚାହୁଁଛନ୍ତି ନୀତିଶ। କିନ୍ତୁ ମହାମେଣ୍ଟରେ ନୀତିଶଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ଲାଲୁ ଯାଦବଙ୍କ ପୁଅ ତେଜସ୍ଵୀ ଯାଦବ।
ଆଉ ଏକ ଚର୍ଚ୍ଚା ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଆଗାମୀ ସାଧାରଣ ନିର୍ବାଚନରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କୁଆଡ଼େ ବନାରସରେ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ।
ମୋଦିଙ୍କୁ ହରାଇବାକୁ ହେଲେ ବିରୋଧୀଙ୍କ ମହାମେଣ୍ଟର ସହଯୋଗ ନିହାତି ଆବଶ୍ୟକ। ଏଥିପାଇଁ ନୀତିଶ କୁଆଡ଼େ ଏନଡିଏ ହାତ ଛାଡ଼ି ମହାମେଣ୍ଟରେ ସାମିଲ ହେବାକୁ ଚାହୁଛନ୍ତି।
ସେ ଯାହାବି ହେଉ ବିହାର ରାଜନୀତିର ପାଣିପାଗ ଏବେ ଖୁବ୍ ରୋଚକ ସ୍ଥିତିରେ ଅଛି।














