ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ହଲ୍ଅଫ ଫେମ୍ରେ ଭାରତର ମହାନ କ୍ରିକେଟର ରାହୁଲ ଦ୍ରାବିଡ୍‌ଙ୍କୁ ସାମିଲ କରାଯାଇଛି

ପୂର୍ବତନ ଭାରତୀୟ ଦଳର ଅଧିନାୟକ ରାହୁଲ ଦ୍ରାବିଡଙ୍କ ସହ ଅଷ୍ଟ୍ରେଲିଆ କିମ୍ବଦନ୍ତୀ ରିକି ପଣ୍ଟିଂ ଏବଂ ଇଂଲଣ୍ଡ ମହିଳା କ୍ରିକେଟର୍‌ କ୍ଲାଇରେ ଟେଲ୍‌ର୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇଛନ୍ତି। କ୍ରିକେଟ ପ୍ରତି ସେମାନଙ୍କର ଅବଦାନ ପାଇଁ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇ ବିଶେଷ ଭାବେ ସମ୍ମାନୀତ କରାଯାଇଛି।

ଦ୍ରାବିଡ ପଞ୍ଚମ ଭାରତୀୟ ଭାବେ ଏହି କ୍ଲବ୍‌ରେ ସାମିଲ ହୋଇଛନ୍ତି। ତାଙ୍କ ପୂର୍ବରୁ ବିଶେନ ସିଂହ ବେଦୀ, ସୁନିଲ ଗାଭାସ୍କର ଏବଂ କପିଳ ଦେବ ୨୦୦୯ରେ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇଥିଲା ବେଳେ ୨୦୧୫ରେ ଅନିଲ କୁମ୍ବଲେ ଏଥିରେ ସାମିଲ ହୋଇଥିଲେ।

ଜଣେ ବ୍ୟାଟ୍ସମ୍ୟାନ ହିସାବରେ ଦ୍ରାବିଡ୍‌ ଉଚ୍ଚକୋଟୀର ସଫଳତା ହାସଲ କରିଛନ୍ତି। ଦ୍ରାବିଡ଼ ୧୬୪ ଟେଷ୍ଟ୍‍ ଖେଳି ୩୬ ଶତକ ସହ ୧୩୨୮୮ ରନ୍‌ ଏବଂ ୩୪୪ ଦିନିକିଆରେ ୧୨ ଶତକ ସହ ୧୦୮୮୯ ରନ୍‌ କରିଥିଲେ।

ରବିବାର ଆୟର୍ଲାଣ୍ଡ ରଜଧାନୀ ଡବ୍ଲିନ୍‌ରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଏମାନଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଛି।
ପଞ୍ଚମ ଭାରତୀୟ କ୍ରିକେଟରଭାବେ ଦ୍ରାଭିଡ୍‌ ଏହି ଏଲିଟ୍‌ ତାଲିକାରେ ସାମିଲ ହେବାର ଗୌରବ ଅର୍ଜନ କରିଛନ୍ତି। ତେବେ ପଣ୍ଟିଂ ୨୫ତମ ଅଷ୍ଟ୍ରେଲୀୟ କ୍ରିକେଟର ଭାବେ ଏହି ସମ୍ମାନ ହାସଲ କରିଛନ୍ତି।

“ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବା ଏକ ବଡ଼ ସମ୍ମାନ ଓ ଏହା ମୋ ପାଇଁ ଏକ ଗୌରବ। ଏଥିପାଇଁ ମୁଁ ମୋ ପରିବାର, ପ୍ରଶଂସକ, ଶୁଭଚିନ୍ତକ, କୋଚ୍‌ ଓ ଅଫିସିଆଲଙ୍କ ନିକଟରେ କୃତଜ୍ଞ। ଜଣେ କ୍ରିକେଟର ହିସାବରେ ଗଢ଼ିତୋଳିବାରେ ଏମାନେ ବେଶ୍‌ ସହାୟକ ହୋଇଛନ୍ତି। ଏଥିସହିତ କର୍ନାଟକ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ମୁଁ ଧନ୍ୟବାଦ ଜଣାଉଛି। ପୁଣି ମୋର ପ୍ରଦର୍ଶନକୁ ମାନ୍ୟତା ପ୍ରଦାନ କରି ମୋତେ ହଲ୍‌ ଅଫ ଫେମ୍‌ରେ ସାମିଲ କରିଥିବାରୁ ମୁଁ କୃତଜ୍ଞ”, କହିଛନ୍ତି ଦ୍ରାବିଡ।

Comment