ଓଡ଼ିଶାଲାଇଭ୍ ବ୍ୟୁରୋ 

ରାଜ୍ୟ ସରକାର ନିଜ ପସନ୍ଦ ମୁତାବକ ପୋଲିସ ମୁଖ୍ୟଙ୍କୁ ନିଯୁକ୍ତି ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ୟୁନିୟନ ପବ୍ଲିକ ସର୍ଭିସ କମିଶନ୍ (ୟୁପିଏସସି) ଡିଜିପି ମନୋନୀତ କରିବେ।

ରାଜ୍ୟ ସରକାର ଏଣିକି ମନଇଛା ଡିଜିପି ନିଯୁକ୍ତି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର ଯୋଗ୍ୟତା, ଅଭିଜ୍ଞତା ଓ ଅନ୍ୟାନ୍ୟ ମାପଦଣ୍ଡ ଆଧାରରେ ଲୋକସେବା ଆୟୋଗକୁ ତିନିଜଣ ସର୍ବାଧିକ ଯୋଗ୍ୟ ଅଧିକାରୀଙ୍କ ନାମ ସୁପାରିସ କରିବ। ରାଜ୍ୟ ସରକାର ଦେଇଥିବା ୩ ଜଣଙ୍କ ନାଁରୁ ଜଣକୁ ଡିଜିପି ଭାବେ ନିଯୁକ୍ତି ଦେବେ ୟୁପିଏସସି।

ସେହିପରି ରାଜ୍ୟ ତଥା କେନ୍ଦ୍ରଶାସିତ ରାଜ୍ୟର ସରକାରମାନେ କାମଚଳା ଡିଜିପି ନିଯୁକ୍ତି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏମ୍‌ ଏମ୍‌ ଖାନ୍‌ୱିଲକର ଓ ଡି ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠଙ୍କ ମଙ୍ଗଳବାରଦିନ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ପୋଲିସ ଡିଜି ଭାବେ ନିଯୁକ୍ତି ପାଇବାକୁ ଥିବା ଅଧିକାରୀଙ୍କ ଆବଶ୍ୟକ ଚାକିରି କାର୍ଯ୍ୟକାଳ ଅବଧି ରହିବା ଆବଶ୍ୟକ। ଖଣ୍ଡପୀଠଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଆସିବା ପରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଡିଜିପି ନିଯୁକ୍ତି ପାଇଁ ଥିବା ନିୟମାବଳୀ ଆଉ କୌଣସି କାମରେ ଆସିବ ନାହିଁ।

Comment