ଓଡ଼ିଶାଲାଇଭ୍ ବ୍ୟୁରୋ

ବୌଦ୍ଧ ଓ କନ୍ଧମାଳ ସୀମାରେ ଉଭୟ ଯବାନ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଜଣ ଯବାନ୍ ଆହତ ହୋଇଛନ୍ତି, ଆଉ ସେମାନଙ୍କ ଚିକିତ୍ସା ପାଇଁ ଏୟାରଲିଫ୍ଟ ଜରିଆରେ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଏୟାରଲିଫ୍ଟ ସମୟରେ ଡିଜିପି ଅଭୟ ସେମାନଙ୍କ ସହିତ ରହିଥିଲେ। ଏନେଇ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାସ ସୂଚନା ଦେଇଛନ୍ତି।

ବୌଦ୍ଧ ଓ କନ୍ଧମାଳ ସୀମାରେ ଥିବା ଉମା ଜଙ୍ଗଲରେ କେକେବିଏନ୍ ସଙ୍ଗଠନର ମାଓବାଦୀମାନେ ଏକାଠି ହୋଇଥିବା, ବିଶେଷ ସୂତ୍ରରୁ ଯବାନମାନେ ଖବର ପାଇଥିଲେ। ପରେ ସେଠାରେ ୮ଘଣ୍ଟା ଧରି କମ୍ବିଂ ଅପରେସନ କରାଯାଇଥିଲା। ଏହି ଅପରେସନ ସମୟରେ ଉଭୟ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ଏସଓଜି ଯବାନଙ୍କ ଅବସ୍ଥା ଗୁରୁତର ହେବା ଜଣାପଡ଼ିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଏୟାରଲିଫ୍ଟ ଜରିଆରେ ଭୁବନେଶ୍ଵରର ଏମ୍ସ ହସ୍ପିଟାଲକୁ ଅଣାଯାଇଛି।ଅନ୍ୟପକ୍ଷରେ ଆଜି କୋରାପୁଟ ଓ ମାଲାକାନଗିରି ଜିଲ୍ଲା ଗସ୍ତରେ ବାହାରିଥିଲେ ଡିଜିପି ଅଭୟ। କିନ୍ତୁ ଏଭଳି ଦୁର୍ଘଟଣା ଘଟିଥିବା ଖବର ପାଇ ଗସ୍ତ ପରିବର୍ତ୍ତନ କରି ସିଧା ଘଟଣାସ୍ଥଳରେ ପହଞ୍ଚି ଯବାନଙ୍କୁ ଉଦ୍ଧାର କରି ନିଜ ହେଲିକପ୍ଟର ଜରିଆରେ ଭୁବନେଶ୍ଵର ଆଣିଛନ୍ତି ଡିଜିପି ଅଭୟ। ବର୍ତ୍ତମାନ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାସ।

LEAVE A REPLY

Please enter your comment!
Please enter your name here