ଓଡ଼ିଶାଲାଇଭ୍ ବ୍ୟୁରୋ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟ ମୟ ହେବାରେ ଲାଗିଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜୁଲାଇ ୧୨ତାରିଖ ଦିନ ଶରୀରରେ ନିଆଁ ଲାଗିବା କାରଣରୁ ଏସସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା।

ସୌମ୍ୟଙ୍କ ଶରୀରରେ ନିଆଁ ଲାଗିବାପରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପଡ଼ୋଶୀଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ, ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ଏବଂ ଜୁଲାଇ ୧୩ ତାରିଖରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଇଥିଲେ। ଶେଷରେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ବର୍ତ୍ତମାନ ସୌମ୍ୟଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ସୌମ୍ୟଙ୍କ ମୃତ୍ୟୁକୁ ତାଙ୍କ ପରିବାର ଲୋକ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ତେଣୁ ତାଙ୍କ ପରିବାର ଲୋକ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ଆଉ ଦୁଇ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି।

ସୌମ୍ୟରଞ୍ଜନ ମହାପାତ୍ର କିଏ?

ବାଲେଶ୍ଵର ଜିଲ୍ଲା ଖଇରାଥାନା ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଗାଁର ଅଭିରାମ ମହାପାତ୍ରଙ୍କ ସାନ ପୁଅ ହେଉଛନ୍ତି ସୌମ୍ୟରଞ୍ଜନ ମହାପାତ୍ର। ସେ ଓଡ଼ିଶା ବନ ସେବା ଅଧିନରେ ତାଲିମ ନେବାପରେ ୨୦୨୦ ମେ’ ୨୦ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସହକାରୀ ବନ ସଂରକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ସେହି ବର୍ଷ ଡିସେମ୍ବର ୧ତାରିଖରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଗୌଡ଼ ଗାଁବାସୀ ଶ୍ରିହରି ପଣ୍ଡାଙ୍କ ଝିଅ ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ରହୁଥିଲେ।ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ ଏହା ଏକ ହତ୍ୟାକାଣ୍ଡ

ଏପର୍ଯ୍ୟନ୍ତ ସୌମ୍ୟଙ୍କ ମୃତ୍ୟୁଙ୍କୁ ତାଙ୍କ ପରିବାର ଲୋକ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ତେଣୁ ତାଙ୍କ ବାପା ଅଭିରାମ ମହାପାତ୍ର ତିନି ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକ୍ରମେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନମ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ପଚରାଉଚୁରା ଚଳାଇଛି। କିନ୍ତୁ ଅନ୍ୟପଟେ ଏଭଳି ଅଭିଯୋଗକୁ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତ ଖଣ୍ଡନ କରିଛନ୍ତି। ଏହା କୌଣସି ହତ୍ୟାକାଣ୍ଡ ନୁହେଁ, ଏହା ହେଉଛି ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କହିଛନ୍ତି ସୌମ୍ୟଙ୍କ ପତ୍ନୀ।

ଡିଏଫଓଙ୍କ ସହ ବୋହୂର ରହିଛି ଅନୈତିକ ସମ୍ପର୍କ

ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଅନୈତିକ ସମ୍ପର୍କ ରହିଥିବା କଥା କହିଛନ୍ତି ଶଶୁର ଅଭିରାମ ମହାପାତ୍ର। ତାଙ୍କ କହିବା ଅନୁସାରେ, ଡିଏଫଓ ଭଲ ଲୋକ ନଥିଲେ। ଅନୈତିକ ସମ୍ପର୍କକୁ ନେଇ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ତେଣୁ ମୋ ପୁଅ ମୃତ୍ୟୁର ସତ୍ୟାସତ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ। ଏଥିସହ ଡିଏଫଓ, ପତ୍ନୀ ଏବଂ ରୋଷେୟାଙ୍କର ଲାଏ ଡିଟେକ୍ଟିଭ୍ କରିଲେ ହିଁ ସତ ଜଣାପଡ଼ିବ ବୋଲି କହିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର।

ସୌମ୍ୟ ଓ ବିଦ୍ୟାଭରତୀୟଙ୍କ ବିବାହ ଥିଲା ‘ଏଗ୍ରିମେଣ୍ଟ ବିବାହ’

ଦୁଇ ଜଣଙ୍କ ବିବାହ ‘ଏଗ୍ରିମେଣ୍ଟ ବିବାହ’ ଥିଲାବୋଲି ବୟାନ ଦେଇଛନ୍ତି ମୃତ ଏସିଏଫଙ୍କ ମା’। ସେ କହିଛନ୍ତି, “ମୋ ପୁଅ ଓ ବୋହୂଙ୍କ ମଧ୍ୟରେ କୌଣସି ବୈବାହିକ ସମ୍ପର୍କ ନଥିଲା। ସେମାନେ ବିବାହ କରିଥିଲେ ସତ, କିନ୍ତୁ ତାଙ୍କ ବାହାଘର ଚୁକ୍ତିଭିତ୍ତିକ ଥିଲା। ଉଭୟ ଗୋଟେ ବର୍ଷ ପାଇଁ ଚୁକ୍ତି କରି ବିବାହ କରିଥିଲେ। ବୋହୂ ବିବାହ ପୂର୍ବରୁ ଆଉ କାହାକୁ ଭଲ ପାଉଥିଲା। ତେଣୁ ପ୍ରତିଦିନ ରାତିରେ ସେମାନଙ୍କ ଭିତରେ ଝଗଡ଼ା ଲାଗେ। ଦିନେ ରାତିରେ ଝଗଡ଼ା ହୋଇ ବୋହୂ କୁଆଡ଼େ ଚାଲି ଯାଇଥିଲା। ପୁଅ ଖୋଜାଖୋଜି କରିବାପରେ ସେ ଡିଏଫଓଙ୍କ ପାଖରେ ଥିବା ଜାଣିବାକୁ ପାଇଥିଲା।”

ବଲାଙ୍ଗୀରରେ ବ୍ୟାଚଲର ପାର୍ଟି

ଏସିଏଫଙ୍କ ମୃତ୍ୟୁଙ୍କୁ ନେଇ ତାଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରିବାବେଳେ ପୋଲିସ ଆଉ ଏକ ତଥ୍ୟ ଜାଣିବାକୁ ପାଇଛି। ତଥ୍ୟ ଆଧାରରେ, ବାହାଘର ପରେ ବୋହୂ ବିଦ୍ୟାଭାରତୀ କୁଆଡ଼େ ବଲଙ୍ଗୀରଠାରେ ବ୍ୟାଚଲର୍ ପାର୍ଟି କରିଥିଲେ। ଏହି ପାର୍ଟିକୁ ସୌମ୍ୟଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ସେଠାକୁ ଯିବାପରେ ତାଙ୍କୁ ବିଦା କରି ଦେଇଥିଲେ। ପରେ ଏକ ମେସେଜ୍ ଜରିଆରେ ବୋହୂ ପଇସା ମାଗିଥିଲେ। କିନ୍ତୁ ପଇସା ନଦେବାକୁ ସୌମ୍ୟ ମନା କରିବାରୁ ଏକ ଫଟୋ ପଠାଇ ପୁଅକୁ ପଇସା ଦେବାକୁ ବାଧ୍ୟ କରିଥିଲେ ପତ୍ନୀ ବିଦ୍ୟାଭାରତୀ। ସେହି ଫଟୋରେ ବୋହୂ ଆଉ ଜଣେ ବ୍ୟକ୍ତିଙ୍କ ସହ ଥିଲେ ଏବଂ ଉକ୍ତ ଫଟୋଟି ଏବେବି ପୁଅ ମୋବାଇଲରେ ଅଛି ବୋଲି ପୋଲିସକୁ କହିଛନ୍ତି ସୌମ୍ୟଙ୍କ ମାମୁ।ପୋଲିସ ଡିଜିଙ୍କୁ ଦାବିପତ୍ର

ସୋମବାର କଟକ ଆସି ପୋଲିସ ଡିଜି ଅଭୟଙ୍କୁ ଏକ ଦାବିପତ୍ର ଦେଇଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର। ସେ ସେଥିରେ ଉଲ୍ଲେଖ କରିଛନ୍ତି, ମୋ ପୁଅ ମୃତ୍ୟୁ ଘଟଣାରେ ବୋହୂ ଏବଂ ଡିଏଫଓଙ୍କ ଉପରେ ଆମର ସନ୍ଦେହ ହେଉଛି। ଆଉ ଏଥିରେ ଜଣେ ମହିଳା ଆଇଆଇସି ସମ୍ପୃକ୍ତ ଥିବା କଥା କହିଛନ୍ତି ଅଭିରାମ। ଆଇଆଇସିଙ୍କ ନିର୍ଦ୍ଦେଶରେ ଫରେଷ୍ଟ କାର୍ଯ୍ୟାଳୟ ଆଗରେ ଆମ୍ବୁଲାନ୍ସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକା ଯାଇଥିଲା। ଯଦି ପୁଅର ଅବସ୍ଥା ଭଲ ନଥିଲା ତେବେ ତାକୁ ସଙ୍ଗେସଙ୍ଗେ ହସ୍ପିଟାଲ ନେବା ପରିବର୍ତ୍ତେ କ’ଣ ପାଇଁ ଅଟକା ଯାଇଥିଲା। ସେମାନେ ଜାଣିଶୁଣି ଏସବୁ କରୁଥିଲେ। କାରଣ ଏଭଳି କରିବା ଦ୍ଵାରା ଚିକିତ୍ସାରେ ବିଳମ୍ବ ହେବ ଏବଂ ସେମାନେ ଯାହା ଚାହୁଁଥିଲେ, ତାହା ସହଜରେ ହାସଲ କରିପାରିବେ।

ଆମର ପୋଲିସ ପ୍ରଶାସନ ଉପରେ ସମ୍ପୂର୍ଣ୍ଣ ବିଶ୍ଵାସ ରହିଛି। ଏହାର ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର।

ସେପଟେ ୬ଜଣିଆ ପୋଲିସ ଟିମ୍ ବାଲେଶ୍ଵରରେ ଥିବା ସୌମ୍ୟରଞ୍ଜନଙ୍କ ଘରେ, ମୟୂଭଞ୍ଜରେ ଥିବା ବିଦ୍ୟାଭାରତୀଙ୍କ ଘରେ ପହଞ୍ଚି ଉଭୟ ସୌମ୍ୟଙ୍କ ପରିବାର ଲୋକ ଏବଂ ବିଦ୍ୟାଭାରତୀଙ୍କୁ ପଚରାଉଚୁରା କରି ତଦନ୍ତ କରୁଛି। ଏପର୍ଯ୍ୟନ୍ତ ସୌମ୍ୟଙ୍କ ମୃତ୍ୟୁ ଉପରୁ କୌଣସି ପରଦା ଉଠିନଥିବାବେଳେ, ଖୁବଶୀଘ୍ର ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ଏବଂ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ସୌମ୍ୟଙ୍କ ପରିବାର।

LEAVE A REPLY

Please enter your comment!
Please enter your name here