ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ସୋମବାର ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି। ଭୁବନେଶ୍ଵରସ୍ଥିତ ଫୋରେନସିକ୍ ଲ୍ୟାବରେ ପ୍ରାୟ ୪ ଘଣ୍ଟା ଧରି ତାଙ୍କର ଲାଏ ଡିଟେକ୍ସନ ଟେଷ୍ଟ ଚାଲିଥିଲା। ସେହି ସମୟରେ ବିଦ୍ୟାଭାରତୀଙ୍କ ପାଖରେ ଉପସ୍ଥିତ ଥିଲେ ଦୁଇ ତଦନ୍ତକାରୀ ଅଧିକାରୀଙ୍କ ସମେତ କ୍ରାଇମବ୍ରାଞ୍ଚର ୨ଟି ଟିମ୍। ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ ସରିଛି।

ଟେଷ୍ଟ ସମୟରେ ବିଦ୍ୟାଭାରତୀଙ୍କୁ ଏକାଧିକ ପ୍ରଶ୍ନ ପଚରାଯାଇଥିଲା। ବିଶେଷକରି ସ୍ଵାମୀଙ୍କ ସମ୍ପର୍କରେ ପଚାରିବାରୁ ବିଦ୍ୟାଭାରତୀ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ ବୋଲି ସୂଚନା ମିଳିଛି।

ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨ ମାସରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ପୋଲିସ। ଏହି ଘଟଣାର ତଦନ୍ତ ଭାର ପ୍ରଥମେ ପାରଳାଖେମୁଣ୍ଡି ପୋଲିସକୁ ଦିଆଯାଇଥିଲା। କିନ୍ତୁ ଅଭିଯୁକ୍ତକୁ ଧରିବାରେ ବିଳମ୍ବ ହେବାରୁ ପରେ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି।

ମୃତ ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟାକୁ ତଦନ୍ତ ପରିସରଭୁକ୍ତ କରିଛି କ୍ରାଇମବ୍ରାଞ୍ଚ। ଏବେ ତିନି ଜଣଙ୍କର ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ ସରିଛି। ତେବେ ଏହାକୁ ଆଧାର କରି ଖୁବଶୀଘ୍ର ଏସିଏଫ ମୃତ୍ୟୁ ଘଟଣା ଉପରୁ ପରଦା ଉଠିବ ବୋଲି ସମସ୍ତେ ଆଶାବାଦୀ।

ଜୁଲାଇ ୧୨ତାରିଖ ରାତିରେ ପାରଳାଖେମୁଣ୍ଡି ସ୍ଥିତ ବାସଭବନରେ ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ଶରୀରରେ ନିଆଁ ଲାଗିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ସ୍ଥାନୀୟ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଏହାକୁ ସହଜରେ ଗ୍ରହଣ କରି ନପାରି ମୃତ ସୌମ୍ୟଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here