ଓଡ଼ିଶାଲାଇଭ୍ ବ୍ୟୁରୋ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ତେବେ ଏହି ମୃତ୍ୟୁ ଘଟଣାକୁ ମାସେ ପୂରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାରଣ ଜଣା ପଡ଼ିନଥିବାରୁ, ଏହି ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ହସ୍ତାନ୍ତର କରାଯାଇଛି।

ଡିଜିପି ଅଭୟଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଏହି ମାମଲରା ତଦନ୍ତ ଭାର ହାତକୁ ନେଇଛି। ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ଗଠନ କରାଯାଇଛି।

ଏନେଇ ଏଡିଜି କହିଛନ୍ତି, “ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ କ୍ରାଇମ୍‌ବ୍ରାଞ୍ଚ ଏହାର ତଦନ୍ତ କରିବ। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ମୂଳରୁ ଘଟଣାର ତଦନ୍ତ କରିବେ। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ।”

ଜୁଲାଇ ୧୨ତାରିଖ ରାତିରେ ପାରଳାଖେମୁଣ୍ଡି ସ୍ଥିତ ବାସଭବନରେ ଏସିଏଫ ସୌମ୍ୟ ରଞ୍ଜନଙ୍କ ଶରୀରରେ ନିଆଁ ଲାଗିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ସ୍ଥାନୀୟ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ସୌମ୍ୟଙ୍କ ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରିନଥିଲେ। ତେଣୁ ସେମାନେ ହତ୍ୟା ଅଭିଯୋଗ କରି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ମହାପାତ୍ର ଓ ରୋଷେୟାଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ।

ଏହି ଘଟଣାକୁ ମାସେରୁ ଅଧିକ ସମୟ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ପୋଲିସ ହାତରେ କୌଣସି ତଥ୍ୟ ଲାଗିନାହିଁ। ତେଣୁ ଏବେ ସୌମ୍ୟଙ୍କ ପରିବାର ଲୋକ ସିବିଆଇ ତଦନ୍ତ ଦାବି କରିଛନ୍ତି।

Comment