ଓଡ଼ିଶାଲାଇଭ୍ ବ୍ୟୁରୋ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ଦେଢ଼ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ। ଏପଟେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ପ୍ରଥମଥର ପାଇଁ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍।

ଗୁରୁବାର କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପ୍ରଥମେ କପ୍ତିପଦା ଥାନାରେ ପହଞ୍ଚିଥିଲେ। ଏହାପରେ ଗୌଡ଼ ଗାଁରେ ଥିବା ବିଦ୍ୟାଭାରତୀଙ୍କ ବାପ ଘରେ ପହଞ୍ଚି ଉଭୟ ବିଦ୍ୟାଭାରତୀ ଓ ତାଙ୍କ ପରିବାର ଲୋକଙ୍କୁ ଜେରା କରିଛନ୍ତି।

କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା, ତାଙ୍କୁ ରକ୍ଷା କରିବା ପାଇଁ ବିଦ୍ୟାଭାରତୀ କିଛି ଚେଷ୍ଟା କରିଥିଲେ କି, ଡିଏଫଓଙ୍କ ସହ ତାଙ୍କର କ’ଣ ସମ୍ପର୍କ, ଶ୍ଵଶୁର ଘର ଲୋକ ଆଣୁଥିବା ଅଭିଯୋଗରେ କେତେ ସତ୍ୟତା ରହିଛି, ସୌମ୍ୟଙ୍କ ଉପରେ ଡିଏଫଓ ଚାପ ପକାଉଥିଲେ କି ଏଭଳି ଅନେକ ପ୍ରଶ୍ନ ତାଙ୍କୁ କ୍ରାଇମବ୍ରାଞ୍ଚ ପଚାରିଥାଇପାରେ ବୋଲି ଅନୁମାନ କରାଯାଉଛି।

ସେହିପରି ସେପ୍ଟେମ୍ବର ୧ ତାରିଖ ଦିନ କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ଵରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବେଗୁନିଆରେ ପହଞ୍ଚି ସୌମ୍ୟରଞ୍ଜନଙ୍କ ପରିବାରକୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଜେରା ସମୟରେ ସୌମ୍ୟଙ୍କ ବାପା, ମା’, ଭାଇ, ମାମୁ, ମାଇଁ ଉପସ୍ଥିତ ଥିଲେ। ୩ଘଣ୍ଟାରୁ ଅଧିକ ସମୟ ଧରି ସେମାନଙ୍କୁ ଜେରା କରାଯାଇଥିଲା।

କ୍ରାଇମବ୍ରାଞ୍ଚ ଜେରା କରିବା ସମୟରେ ସୌମ୍ୟଙ୍କ ପରିବାର ଲୋକ ପୁଣିଥରେ ସମାନ ଅଭିଯୋଗ କରିଥିଲେ। ସେମାନେ କହିଥିଲେ, ତାଙ୍କ ପୁଅ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟା ଦାୟି। ସେମାନଙ୍କୁ ଗିରଫ୍ କରାଗଲେ ହିଁ ଘଟଣା ପଛର ସତ ପଦାକୁ ଆସିବ। ଏହା ପୂର୍ବରୁ ଡିଏଫଓଙ୍କୁ ମଧ୍ୟ ଜେରା କରିଥିଲା କ୍ରାଇମବ୍ରାଞ୍ଚ।

ଜୁଲାଇ ୧୨ତାରିଖ ରାତିରେ ପାରଳାଖେମୁଣ୍ଡି ସ୍ଥିତ ବାସଭବନରେ ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ଶରୀରରେ ନିଆଁ ଲାଗିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ସ୍ଥାନୀୟ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିନପାରି ସୌମ୍ୟଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଥିଲେ। ଏଥିସହ ପ୍ରଥମେ କ୍ରାଇବ୍ରାଞ୍ଚ ଓ ଏବେ ସିବିଆଇ ତଦନ୍ତ ଦାବି କରୁଛନ୍ତି ସୌମ୍ୟଙ୍କ ପରିବାର ଲୋକ।

Comment