ଓଡ଼ିଶାଲାଇଭ୍ ବ୍ୟୁରୋ

Tiger-1

ପ୍ରଥମଥର ପାଇଁ ରାଜ୍ୟରେ ହେବ ବାଘ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

  • ଓଡ଼ିଶାରେ କେତେ ଅଛନ୍ତି ମହାବଳ ବାଘ?
  • କେମିତି ହେବ ସେମାନଙ୍କର ସଠିକ୍ ଗଣନା?
  • ବାଘ ଗଣନା ପାଇଁ ଦିଆଯିବ ପ୍ରଶିକ୍ଷଣ

ଓଡ଼ିଶାରେ ଆସନ୍ତା ଅକ୍ଟୋବର ମାସରୁ ଆରମ୍ଭ ହେବ ବାଘ ଗଣନା। ଏଥିପାଇଁ ତାଲିମ ନେବେ ବନ ଅଧିକାରୀ ଓ କର୍ମଚାରୀ। ପ୍ରଥମଥର ପାଇଁ ରାଜ୍ୟରେ ହେବ ବାଘ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଚଳିତମାସ ୧୫ ତାରିଖରୁ ଅକ୍ଟୋବର ୧୦ ତାରିଖଯାଏଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ। ଏଥିପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଥିବା ବାଘମାନଙ୍କ ସଠିକ୍ ସଂଖ୍ୟା ଜାଣିବା ପାଇଁ ଉଚ୍ଚକ୍ଷମତା ସଂପନ୍ନ କ୍ୟାମେରା ଖଞ୍ଜାଯିବ। “ଶିମିଳିପାଳ ଅଭୟାରଣ୍ୟ ସମେତ ସାତକୋଶିଆ ସଂରକ୍ଷିତ ଜଙ୍ଗଲରେ ଏହି କ୍ୟାମେରା ଖଞ୍ଜାଯିବ। ବାଘଙ୍କ ପାଦଚିହ୍ନ ମେଳ, ସାଟେଲାଇଟ୍ ଦ୍ୱାରା ବାଘର ଗତିବିଧି ଉପରେ ନଜର ରଖାଯିବ ଏବଂ ବାଘର ମଳମୂତ୍ର ଓ ଲୋମରୁ ଡିଏନଏ ନମୁନା ବିଶ୍ଳେଷଣ କରି ବାଘଙ୍କ ସଠିକ୍ ସଂଖ୍ୟା ନିରୂପଣ କରାଯିବ”, କହିଛନ୍ତି ୱାଇଲ୍ଡ ଲାଇଫ୍ ପିସିସିଏଫ୍ ସୁଶୀଲ କୁମାର ପୋପଲି।

ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ଅଧୀନରେ ଆସୁଥିବା କୁଲଡ଼ିହା, ହଦଗଡ଼, କେନ୍ଦୁଝରର ଘଟଗାଁରେ ହେବ ବାଘ ଗଣନା। ଏହାବ୍ୟତୀତ ବାଘ ବିଚରଣ କରୁଥିବା ଇଲାକା ଯେପରିକି ଦେବ୍ରିଗଡ଼, ସୁନାବେଡ଼ା, ଛତିଶଗଡ଼ ସୀମାବର୍ତ୍ତୀ ଉଦନ୍ତୀ ଜଙ୍ଗଲ, କୋରାପୁଟର ଲମତାପୁଟ, ଆନ୍ଧ୍ରସୀମାନ୍ତ ଗୁଣପୁର ଅଞ୍ଚଳରେ କ୍ୟାମେରା ଖଞ୍ଜିବାକୁ ଯୋଜନା କରାଯାଇଛି।

ବାଘଙ୍କ ବୟସ ୬ମାସରୁ କମ୍ ହୋଇଥିଲେ ତାକୁ ଗଣନା ପାଇଁ ନିଆଯିବନି। କାରଣ ୬ମାସର ବାଘ ଛୁଆଙ୍କ ମୃତ୍ୟୁହାର ଅଧିକ ଥିବାରୁ ଗଣନାକୁ ନିଆଯାଏ ନାହିଁ। ବାଘମାନଙ୍କ ଲୋମ, ମଳ, ମୂତ୍ରର ନମୁନା ପରୀକ୍ଷା କରି ଡିଏନଏ ଅଣୁ ପୃଥକ କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବନ୍ୟଜନ୍ତୁ ଚିକିତ୍ସା କେନ୍ଦ୍ରରେ ଅତ୍ୟାଧୁନିକ ଲାବୋରେଟରୀ ରହିଛି।ଜାତୀୟ ବାଘ ଗଣନା ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ୨୦ଟି ମହାବଳ ବାଘ ଅଛନ୍ତି। ସଠିକ ଭାବେ ଗଣନା ହେଲେ ଏହି ସଂଖ୍ୟାରେ କିଛିଟା ପରିବର୍ତ୍ତନ ଆସିପାରେ ବୋଲି ଜଙ୍ଗଲ ଅଧିକାରୀ ଆଶା ରଖିଛନ୍ତି।

Tags: #OdishaForestDepartment #TigerCensus #PCCFWL

Comment