ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଅକ୍ଟୋବର ମାସରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା। ଏଥିପାଇଁ ଶୁକ୍ରବାରଠାରୁ ରାଜ୍ୟ ବନ କର୍ମଚାରୀଙ୍କ ତାଲିମ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିର ବନ ବିଭାଗ ପକ୍ଷରୁ ରାଜ୍ୟରେ ସ୍ଵତନ୍ତ୍ର ଭାବେ ବାଘ ଗଣନା କରାଯିବ। ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବାଘ ଗଣନା ପାଇଁ ଚନ୍ଦକାର ଗୋଡ଼ିବାରିଠାରେ ବନ କର୍ମଚାରୀଙ୍କୁ ତାଲିମ ଦିଆଯିବ। ଏଥିପାଇଁ ବେଙ୍ଗାଳୁରୁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ବ୍ୟାଘ୍ର ବିଭାଗର ୨ ଜଣ ବିଶେଷଜ୍ଞ ଓଡ଼ିଶା ଆସିଛନ୍ତି। ସେମାନେ ପ୍ରଥମେ ୨୦ ଜଣ ମାଷ୍ଟର ଟ୍ରେନରଙ୍କୁ ତାଲିମ ଦେବେ।

ଏହାପରେ ମାଷ୍ଟର ଟ୍ରେନରମାନେ ରାଜ୍ୟର ୮ଟି ବନ୍ୟପ୍ରାଣୀ ସର୍କଲର ଡିଏଫଓଙ୍କ ସମେତ ବନ କର୍ମଚାରୀଙ୍କୁ ବାଘ ଗଣନାର ତାଲିମ ଦେବେ। ଅକ୍ଟୋବର ୧୦ ତାରିଖ ଯାଏଁ ଏହି ତାଲିମ ଶିବିର ଚାଲିବ।

ବନ କର୍ମଚାରୀମାନେ ତାଲିମ ପାଇ ସାରିବା ପରେ ଅକ୍ଟୋବର ୧୫ରୁ ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଭୟାରଣ୍ୟ ତଥା ଜଙ୍ଗଲରେ ବାଘ ଚଲାପଥ ଓ ପାଦ ଚିହ୍ନ ସର୍ଭେ କରିବେ। ଏହାପରେ ନଭେମ୍ବର ପହିଲାରୁ ଜାନୁଆରୀ ୧୫ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ କ୍ୟାମେରା ଟ୍ରାପ ଲଗାଯାଇ ବାଘ ଗଣନା କରାଯିବ। ୨୦୨୪ ଜାନୁଆରି ୩୧ ତାରିଖ ସୁଦ୍ଧା ରାଜ୍ୟରେ ବାଘଙ୍କ ସଂଖ୍ୟାକୁ ନେଇ ରିପୋର୍ଟ ଆସିବ।

ଚଳିତବର୍ଷ ଜୁଲାଇ ୨୯ ତାରିଖରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଜାତୀୟ ବାଘ ଗଣନା ରିପୋର୍ଟରେ ଓଡ଼ିଶାରେ ବାଘଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଥିଲା। ଓଡ଼ିଶାରେ ମାତ୍ର ୨୦ଟି ମହାବଳ ବାଘ ଥିବା ପ୍ରକାଶ ପାଇଥିଲା। ତେବେ ବାଘଙ୍କ ସଂଖ୍ୟା ସଠିକ ଭାବେ ଜାଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଥରେ ବାଘ ଗଣନା କରାଯାଉଛି।

Tags: #TigerCensus #RoyalBengalTiger #OdishaForests #Odisha

LEAVE A REPLY

Please enter your comment!
Please enter your name here