ଓଡ଼ିଶାଲାଇଭ୍ ବ୍ୟୁରୋ

  • ଡିଜିପିଙ୍କୁ ଚିଠି ଲେଖିଲେ ପରିବହନ ସଚିବ
  • ବିନା ହେଲ୍‌ମେଟ୍‌ରେ ଧରାପଡ଼ିଲେ ୧ ହଜାର ଟଙ୍କା ଜରିମାନା
  • ୩ ମାସ ଯାଏଁ ବାତିଲ ହେବ ଡିଏଲ୍

କଟକ: ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇ ଧରାପଡ଼ିଲେ ଏଣିକି ୩ ମାସ ଲାଗି ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ବାତିଲ୍ କରାଯିବ। ଏଥିସହ ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ ୧ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ରାଜ୍ୟ ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସଚିବ ଶ୍ରୀ ପାଢ଼ୀ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି।

ରାଜ୍ୟରେ ବିନା ହେଲ୍‌ମେଟ୍ ଯୋଗୁ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏନେଇ ସଚିବ ଶ୍ରୀ ପାଢ଼ୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୨୦୧୯ରେ ରାଜ୍ୟରେ ୧୧ ହଜାର ୬୪ଟି ସଡ଼କ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ୪ ହଜାର ୬୮୮ଟି ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨ ହଜାର ୩୯୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଯେଉଁମାନଙ୍କ ମଧ୍ୟରୁ ୨ ହଜାର ୧୫୬ ଜଣ ହେଲ୍‌ମେଟ୍ ପିନ୍ଧିନଥିବା ଜଣାପଡ଼ିଛି। ଅର୍ଥାତ ହେଲ୍‌ମେଟ୍ ପିନ୍ଧିନଥିବା ଯୋଗୁ ଅଧିକାଂଶ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି। ଯଦି ଏହି ବ୍ୟକ୍ତିମାନେ ଗାଡ଼ି ଚଲାଇବା ବେଳେ ହେଲ୍‌ମେଟ୍ ପିନ୍ଧିଥାନ୍ତେ ତାହେଲେ ବୋଧହୁଏ ବହୁ ଜୀବନ ରକ୍ଷା ପାଇଯାଇଥାନ୍ତା ବୋଲି ସଚିବ ଶ୍ରୀ ପାଢ଼ୀ କହିଛନ୍ତି। ଆହୁରି ମଧ୍ୟ ୨୦୧୯ରେ ପୋଲିସ ହେଲ୍‌ମେଟ୍ ନପିନ୍ଧି ଗାଡ଼ି ଚଲାଉଥିବା ସାଢ଼େ ୮ ଲକ୍ଷ ଗାଡ଼ି ଚାଳକଙ୍କୁ ଧରିଥିଲା। ଗତ ୯ ତାରିଖରେ ସୁପ୍ରିମକୋର୍ଟ କମିଟି ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଏହି କମିଟିର ଜଣେ ସଦସ୍ୟ ଏହି ସମସ୍ୟା ସଂକ୍ରାନ୍ତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ଏହି ସମସ୍ୟାର କିପରି ସମାଧାନ କରାଯାଇପାରିବ ସେଥିପାଇଁ ଉପରୋକ୍ତ ପଦକ୍ଷେପ ନେବାକୁ କହିଥିଲେ।

ସୁପ୍ରିମକୋର୍ଟ କମିଟି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରି ପୋଲିସ ଡିଜି ହେଲ୍‌ମେଟ୍ ପିନ୍ଧିନଥିବା ଗାଡ଼ି ଚାଳକଙ୍କ ଡିଏଲ୍ ବାତିଲ୍ ପାଇଁ ପଦକ୍ଷେପ ନେବାକୁ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରତ୍ୟେକ ଜିଲ୍ଲାରେ ୨୦୧୯ରେ କେତେ ଡିଏଲ୍ ବାତିଲ୍ ହୋଇଛି ଏବଂ ୨୦୨୦ ଜାନୁଆରିରୁ ଅକ୍ଟୋବର ମଧ୍ୟରେ କେତେ ଡିଏଲ୍ ବାତିଲ୍ ହୋଇଛି ତାହାର ସବିଶେଷ ରିପୋର୍ଟ ୭ ଦିନ ମଧ୍ୟରେ ଦେବା ପାଇଁ ଶ୍ରୀ ପାଢ଼ୀ ଡିଜିପିଙ୍କୁ କହିଛନ୍ତି।

Comment