ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ପିନର୍ କୁଲଦୀପ ଯାଦବଙ୍କ କମାଲ ପରେ ଲୋକେଶ ରାହୁଲ୍ ରନ୍ ବର୍ଷା ବଳରେ ଇଂଲଣ୍ଡ ଗସ୍ତକୁ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି ଭାରତ।
ମଞ୍ଚେଷ୍ଟରରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୮ ଓ୍ୱିକେଟରେ ପରାସ୍ତ କରିଛି। ଏହି ସହଜ ବିଜୟ ସହିତ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। କୁଲଦୀପ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୮ ଓ୍ୱିକେଟରେ ୧୫୯ରନ୍ କରିଥିଲା। ବଟଲର ସର୍ବାଧିକ ୬୯ ରନ୍ କରିଥିବା ବେଳେ ଜସନ୍ ରୟ ୩୦ କରିଥିଲେ। ନଟ୍ଆଉଟ୍ ରହିଥିବା ଡେଭିଡ୍ ୱିଲି ୨୮ ରନ୍ କରିଥିଲେ। ଭାରତ ପକ୍ଷରୁ ସ୍ପିନର କୁଲଦୀପ ଯାଦବ ୪ ଓଭରରେ ୨୪ରନ୍ ଦେଇ ସର୍ବାଧିକ ୫ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ।
୧୬୦ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୨ ଓ୍ୱିକେଟ୍ ହରାଇ ହାସଲ କରି ନେଇଥିଲା। ମ୍ୟାଚରେ କେଏଲ୍ ରାହୁଲଙ୍କ ଶତକୀୟ ଇନିଂସ ଦେଖିବାକୁ ମିଳିଥିଲା। ମାତ୍ର ୫୪ ବଲରେ ସେ ୧୦୧ ରନ୍ କରିଥିଲେ। ଏହି ଶତକୀୟ ଇନିଂସରେ ଥିଲା ୫ଟି ଛକା ଏବଂ ୧୦ଟି ଚୌକା। ନିଜର ଦ୍ୱିତୀୟ ଟ୍ୱେଣ୍ଟି-୨୦ ଶତକ ହାସଲ କରି ଇଂଲଣ୍ଡ ଗସ୍ତକୁ ଆରମ୍ଭ କଲେ। ୨୦୧୬ ମସିହାରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫୧ ବଲ୍ରୁ ୧୧୦ ରନ୍ ସଂଗ୍ରହ କରି ପ୍ରଥମ ଟେ୍ଵଣ୍ଟି-୨୦ ଶତକ ଜମାଇଥିଲେ।
ଓପନର ଶିଖର ଧାଓ୍ୱନ ମାତ୍ର ୪ ରନ୍ କରି ଆଉଟ ହୋଇଥିବା ବେଳେ ରୋହିତ ଶର୍ମା ୩୨ ରନ୍ କରିଥିଲେ। ଅଧିନାୟକ କୋହଲି ୨୦ ରନ୍ କରି ନଟ୍ଆଉଟ୍ ରହିଥିଲେ। ଇଂଲଣ୍ଡ ତରଫରୁ ଆଦିଲ୍ ରସିଦ୍ ଓ ଡେଭିଡ୍ ୱିଲି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
କୁଲଦୀପ ଓ ଧୋନୀଙ୍କ ବିଶ୍ୱ ରେକର୍ଡ
ଏହି ମ୍ୟାଚ୍ରେ କୁଲଦୀପ ଯାଦବ ଓ ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଇଂଲଣ୍ଡ ପାଳିର ୧୪ତମ ଓଭରରେ କୁଲଦୀପ ଲଗାତାର ଦୁଇଟି ବଲ୍ରେ ୱିକେଟ୍ ନେଇଥିଲେ। ସେ ସେହି ଓଭରର ତୃତୀୟ ଓ ଚତୁର୍ଥ ବଲ୍ରେ ଏହି ସଫଳତା ପାଇଥିଲେ। ଜନି ବେୟାରଷ୍ଟୋ ଓ ଜୋ ରୁଟ୍ ତାଙ୍କର ଶିକାର ହୋଇଥିଲେ। ଦୁହେଁ ଶୂନରେ ଆଉଟ୍ ହୋଇଥିଲେ। ଏହି ଦୁହେଁ କୁଲଦୀପଙ୍କ ବଲ୍ରେ ଧୋନିଙ୍କ ଦ୍ୱାରା ଷ୍ଟମ୍ପ୍ ଆଉଟ୍ ହୋଇଥିଲେ। ଏହା ସହିତ ଟି-ଟ୍ୱେଣ୍ଟିରେ ଲଗାତାର ଦୁଇ ଜଣ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପ୍ ଆଉଟ୍ କରାଇବାରେ ସେ ବନି ଯାଇଛନ୍ତି ପ୍ରଥମ ବୋଲର। ଉଭୟ ବୋଲର ଓ ୱିକେଟ୍ କିପର୍ଙ୍କ ଯୋଡ଼ି ଏହି କୀର୍ତ୍ତିମାନ ହାସଲ କରିଛନ୍ତି।
ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ସର୍ବାଧିକ ଥର ଷ୍ଟମ୍ପ୍ ଆଉଟ୍ କରିଥିବା ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି ଧୋନି। ସେ ୩୩ଟି ୱିକେଟ୍ ନେଇ ପାକିସ୍ତାନର ୱିକେଟ୍ କିପର କାମରନ ଅକମଲଙ୍କ ରେକର୍ଡ କାଟିଛନ୍ତି। ଧୋନି ୯୧ଟି ମ୍ୟାଚ୍ ଖେଳି ୩୩ ଥର ଷ୍ଟମ୍ପ୍ ଆଉଟ୍ କରିଥିବା ବେଳେ ଅକମଲ ୫୮ଟି ମ୍ୟାଚ୍ ଖେଳି ୩୨ ଥର ଷ୍ଟମ୍ପ୍ ଆଉଟ୍ କରିଛନ୍ତି।


















