ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫର୍ମକୁ ଫେରିଛି କଂଗ୍ରେସ। ଏନଏଚଏଆଇ ଅଫିସରେ ପାଣିମାଡ଼ କରିବା ପରେ ଆଜି ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲା କଂଗ୍ରେସ।

ରାଜରାସ୍ତାକୁ ଓହ୍ଲାଇଲା ଯୁବକଂଗ୍ରେସ। ଚାଷୀ ଏବଂ ବେକାରୀ ପ୍ରସଙ୍ଗକୁ ଅସ୍ତ୍ର କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା। ଯୁବ ଅଧିକାର ସମାବେଶ କରି ହକ୍‌ ମାଗିଲା କଂଗ୍ରେସ।

ଯୁବକ-ଯୁବତୀଙ୍କୁ ନିଯୁକ୍ତି ଏବଂ ଚାଷୀଙ୍କୁ ହକ୍ ଦେବା ପାଇଁ ମାଷ୍ଟର କ୍ୟାଣ୍ଟିନସ୍ଥିତ କଂଗ୍ରେସଭବନରୁ କର୍ମୀମାନେ ବାହାରି ନବୀନ ନିବାସ ଘେରିବା ପାଇଁ ଉଦ୍ୟମ କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ଯୁବକଂଗ୍ରେସ ସଭାପତି ଲୋକନାଥ ମହାରଥୀ।

ନବୀନ ନିବାସ ଘେରାଉ କରିବାକୁ ଯାଇଥିଲେ କଂଗ୍ରେସ କର୍ମୀ। ହେଲେ ଶିଶୁଭବନ ଛକରେ ବାଟ ଓଗାଳିଲା ପୋଲିସ।

ପୋଲିସ କର୍ଡନ ଭାଙ୍ଗି ଯୁବ କଂଗ୍ରେସ କର୍ମୀମାନେ ଆଗକୁ ମାଡ଼ି ଚାଲିଲେ। ପୋଲିସ ଛାଡ଼ି ନଥିଲା। ଶେଷରେ କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି। ପୋଲିସ ଉପରକୁ କଂଗ୍ରେସ କର୍ମୀମାନେ ଆକ୍ରମଣ କରିଥିବା ବେଳେ ପୋଲିସ ବି ପାହାର ଦେଇଥିଲା। ଶେଷରେ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା ପୋଲିସ।

ନୂଆ ପିସିସି ସଭାପତି ଆସିବା ପରେ କଂଗ୍ରେସ ଏବେ ଆକ୍ସନ ମୁଡ଼ରେ ରହିଛି। କିଛିଦିନ ତଳେ ରାଜରାସ୍ତାରେ ବର୍ଷା ପାଣି ଜମିବାକୁ ନେଇ କଂଗ୍ରେସ ଏନଏଚଏଆଇ ଅଫିସରେ ପାଣିମାଡ଼ କରିବା ପରେ ଆଜି ନବୀନ ନିବାସ ଘେରାଉ ଉଦ୍ୟମ କରି ଫର୍ମକୁ ଫେରିଛି।

ଆଜିର ବିକ୍ଷୋଭରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,

ଭାରତୀୟ ଯୁବ କଂଗ୍ରେସ ସଭାପତି କେଶବ ଚାନ୍ଦ ଯାଦବ, ଉପ-ସଭାପତି ଭି ଭି ଶ୍ରୀନିବାସନ ଏବଂ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ମେଘାଳୟ-ତ୍ରିପୁରାରର ପ୍ରଭାରୀ ଡକ୍ଟର ସ୍ମୃତ ରଞ୍ଜନ ଲେଙ୍କା ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here