ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

୨୩ କରୋନା ଆକ୍ରାନ୍ତଙ୍କ ଭିତରୁ କେବଳ ଭୁବନେଶ୍ୱରରୁ ୧୬, ଭଦ୍ରକରୁ ୩।

ଦିନ ଗଡୁଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବି ବଢୁଛି। ଗତ ଏପ୍ରିଲ ୧ ତାରିଖରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ଥିଲା। ହେଲେ ମାତ୍ର ୪ ଦିନ ଭିତରେ ଏହି ସଂଖ୍ୟା ୨୩ ଛୁଇଁଲାଣି। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ବେଳେ ଏହା ପଛକୁ ରହିଛି ଭଦ୍ରକ।

ମୋଟ ୨୩ ଆକ୍ରାନ୍ତଙ୍କ ଭିତରୁ ଭୁବନେଶ୍ୱରରେ କେବଳ ୧୬ ଥିବା ବେଳେ ଭଦ୍ରକର ୩ ଜଣ ଅଛନ୍ତି। ଅନ୍ୟପଟେ କଟକ, ଯାଜପୁର, ପୁରୀ, କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି। ତେବେ ଭୁବନେଶ୍ୱରରେ ୧୬ ଜଣ ଆକ୍ରାନ୍ତ ଥିବାରୁ ଜନସାଧାରଣ ଚିନ୍ତାରେ ପଡ଼ିଛନ୍ତି।

ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣର ଏବେ ଭୟ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି। ଯେଉଁମାନଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି ସେମାନଙ୍କ ଲିଙ୍କ୍‌ ରାଜ୍ୟ ବାହାରେ ଥିବା ସରକାର କହିଛନ୍ତି। ଏଣୁ ଭୟଭୀତ ନହୋଇ ସତର୍କତା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି ସରକାର।

ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମାର୍ଚ୍ଚ ୧୫ରେ। ଏହି ଆକ୍ରାନ୍ତ ଭୁବନେଶ୍ୱରର ହିଁ ଥିଲେ। ସେ ଇଟାଲୀରୁ ଆସିଥିଲେ। ସେହିପରି ଦ୍ୱିତୀୟ ଓ ତୃତୀୟ ଆକ୍ରାନ୍ତ ମଧ୍ୟ ଭୁବନେଶ୍ୱରର ବାସିନ୍ଦା ଥିଲେ। ଦ୍ୱିତୀୟ ଆକ୍ରାନ୍ତ ଜଣକ ବ୍ରିଟେନରୁ ଆସିଥିବା ବେଳେ ତୃତୀୟ ଆକ୍ରାନ୍ତ ଦିଲ୍ଲୀ ଏବଂ ହରିୟାଣା ଗସ୍ତ କରି ଓଡ଼ିଶା ଫେରିଥିଲେ।

ସେହିପରି ଚତୁର୍ଥ ଆକ୍ରାନ୍ତ ଜଣକ ଭଦ୍ରକରୁ ଜଣାପଡ଼ିଥିଲା। ସେ ମଧ୍ୟ ରାଜ୍ୟ ବାହାରୁ ଆସିଥିଲେ। ଦୁବାଇରୁ ଭାୟା କୋଲକାତା ଦେଇ ସେ ଭଦ୍ରକ ଆସିବା ପରେ କ୍ୱାରେଣ୍ଟାଇନରେ ରହିଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ଯେତେବେଳେ ପଞ୍ଚମ ଆକ୍ରାନ୍ତ ଚିହ୍ନଟ ହେଲେ ସେତେବେଳେ ଭୁବନେଶ୍ୱରର ପାଳି ପଡ଼ିଥିଲା। ସୂର୍ଯ୍ୟନଗର ଅଞ୍ଚଳର ଏହି ବାସିନ୍ଦାଙ୍କ ନମୁନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ପ୍ରଶାସନ ଅଧିକ ସଜାଗ ହୋଇଯାଇଥିଲା। ହେଲେ ତାଙ୍କ ପରିବାରର ସଦସ୍ୟ କୋଲକାତାରୁ ଫେରିଥିବାରୁ ଏଠି ବି ରାଜ୍ୟ ବାହାର ଲିଙ୍କ କାମ କରିଥିବା ସରକାର କହିଛନ୍ତି।

ଷଷ୍ଠ ଆକ୍ରାନ୍ତ କଟକରୁ ବାହାରିଥିବା ବେଳେ ଏହାପରେ ଆଉ ଯେଉଁ ୧୦ଟି ରିପୋର୍ଟ ଆସିଥିଲା ସେସବୁ ଭୁବନେଶ୍ୱରର ଥିଲା। ସୂର୍ଯ୍ୟନଗରର ୭ ଏବଂ ବମିଖାଲ ଅଞ୍ଚଳର ୩ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

କେବଳ ଏତିକିରେ ଶେଷ ହୋଇ ନଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ଭଦ୍ରକରୁ ୨, ଯାଜପୁର, ପୁରୀ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟ ଆହୁରି ବଢ଼ିଥିଲା।

ଏପେ ପୁଣି ୫ ତାରିଖ ଅର୍ଥାତ୍‌ ଆଜି ଆଉ ୨ଟି ନମୁନା ଭୁବନେଶ୍ୱରରୁ ବାହାରିଛି। କପିଳପ୍ରସାଦ ଅଞ୍ଚଳରେ ରହୁଥିବା ୭୦ ବର୍ଷୀୟ ବୃଦ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ନିକଟରେ ଅଷ୍ଟ୍ରେଲିଆରୁ ଆସିଥିଲେ। ଏପଟେ ବମିଖାଲରୁ ମଧ୍ୟ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ବି ରାଜ୍ୟ ବାହାରୁ ଆସିଥିବା ସରକାର କହୁଛନ୍ତି।

Comment