ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ବୁରାରିରେ ଗୋଟିଏ ପରିବାରର ୧୧ଜଣ ମୃତ୍ୟୁ ଘଟଣାରେ ପ୍ରତିଦିନ ନୂଆନୂଆ କଥା ସାମ୍ନାକୁ ଆସୁଛି। ଘଟଣାର ମାଷ୍ଟରମାଇଣ୍ଡ୍ କୁହାଯାଉଥିବା ପରିବାର ସଦ୍ୟସ୍ୟ ଲଳିତ ଭାଟ୍ଟିଆଙ୍କ ଡାଏରୀରୁ ଅନେକ ତଥ୍ୟ ପଦାକୁ ଆସୁଛି। ମୃତ ଭାଟ୍ଟିଆ ପରିବାର ଜୁନ ୩୦ତାରିଖ ପୂର୍ବରୁ ୬ଦିନ ଧରି ଆତ୍ମହତ୍ୟାର ଅଭ୍ୟାସ କରିଥିଲେ।
ଘଟଣାକୁ ଇତିମଧ୍ୟରେ ୫ ଦିନ ବିତିଛି। ସମୟ ବିତିବା ସହିତ ମୃତ୍ୟୁ ଘଟଣା ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ମୃତ୍ୟୁ ପଛର କାରଣ ସମ୍ପର୍କରେ ପୁଲିସ କୌଣସି ଚୂଡ଼ାନ୍ତ ନିଷ୍ପର୍ଷରେ ପହଞ୍ଚି ପାରିନାହିଁ।
ମୃତ୍ୟୁ ସହିତ ତନ୍ତ୍ର ବିଦ୍ୟା ସାଧନାର ସମ୍ପୃକ୍ତି ଥାଇପାରେ ବୋଲି ଗୁଜବ ସୃଷ୍ଟି ହୋଇଥିବା ବେଳେ ମାତ୍ରାଧିକ ଅନ୍ଧବିଶ୍ୱାସ ହିଁ ଆତ୍ମହତ୍ୟା ପଛର କାରଣ ବୋଲି ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ ସନ୍ଦେହ କରିଛି।
ଘରୁ ମିଳିଥିବା ଏକାଧିକ ସାମଗ୍ରୀ ସହିତ ରହସ୍ୟମୟ ମୃତ୍ୟୁର ସମ୍ପର୍କ କଣ ରହିଛି ସେ ବିଷୟରେ ପୋଲିସ ଯାଞ୍ଚ କରୁଛି। ତଦନ୍ତ ସମୟରେ ପୋଲିସ ମୃତକଙ୍କ ଘରୁ ୧୧ଟି ଡାଏରୀ ମିଳିଛି।
ଡାଏରୀଗୁଡ଼ିକ ଗତ ୧୧ ବର୍ଷ ତଳୁ ହିଁ ଲେଖା ଆରମ୍ଭ ହୋଇଥିଲା। ଡାଏରୀ ଲଳିତ ହିଁ ଲେଖୁଥିଲେ।
ପରିବାରର ୧୧ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଘରେ ୧୧ଟି ପାଇପ୍ ରହିଛି। ଏହି ୧୧ ସହିତ ପରିବାରର କି ସର୍ମ୍ପକ ରହିଛି ସେ ବିଷୟରେ ପୋଲିସ ଅନୁଧ୍ୟାନ ଚଳାଇଛି।
ଆତ୍ମହତ୍ୟା ପୂର୍ବରୁ ଘରେ ଯଜ୍ଞ ହୋଇଥିଲା
ପରିବାର ବୟୋଜ୍ୟେଷ୍ଠ ସଦସ୍ୟା ୭୭ବୟଷ୍କା ନାରାୟଣୀ ଦେବୀଙ୍କ ସମେତ ସମସ୍ତ ୧୧ସଦସ୍ୟ ୪୫ବର୍ଷୀୟା ସାନ ପୁଅ ଲଲିତ ଭାଟ୍ଟିଆଙ୍କ କଥାକୁ ମାନୁଥିଲେ। ସ୍ୱର୍ଗୀୟ ପିତାଙ୍କ ଆଦେଶ ଅନୁଯାୟୀ ପରିବାରର ସଦସ୍ୟ ଆତ୍ମହତ୍ୟା କରିବା ପାଇଁ ଲଲିତ କହିବା ପରେ ସମସ୍ତେ ଆତ୍ମହତ୍ୟା କରିଥିଲେ।ଫାଶୀ ପୂର୍ବରୁ ଘରେ ଯଜ୍ଞ ହୋଇଥିଲା। ଡାଏରୀର ଶେଷ ବାକ୍ୟରେ ଏକ କପ୍ରେ ପାଣି ରଖିବାକୁ ନିର୍ଦ୍ଦେଶ ରହିଛି। ଏହାପରେ ଆତ୍ମହତ୍ୟା ଉଦ୍ୟମ କରିବାକୁ କୁହାଯାଇଛି।
ଜୁନ୍ ୩୦ ବା ମୃତ୍ୟୁର ଶେଷ ଦିନ ପୂର୍ବରୁ ଡାଏରୀରେ ଲେଖା ଥିଲା– ‘ଭଗବାନ୍ଙ୍କ ରାସ୍ତା: ୧୦ଟା ବେଳେ ଖାଦ୍ୟ ପାଇଁ ଅର୍ଡର ଦିଆଯିବ। ଏହାପରେ ମା’ ସମସ୍ତଙ୍କୁ ନିଜ ହାତରେ ଖୁଆଇବେ। ରାତି ୧ଟାବେଳେ ଚୂଡ଼ାନ୍ତ କ୍ରିୟା ସମ୍ପନ୍ନ ହେବ। ୯ ଜଣ ଗ୍ରିଲ୍ରେ ଝୁଲି ଆତ୍ମହତ୍ୟା କରିବେ। ଆଉ ଦୁଇଜଣ ମନ୍ଦିର ନିକଟରେ ଆତ୍ମହତ୍ୟା କରିବେ। ମୁହଁ, ଆଖି ଓ କାନରେ ପଟି ବନ୍ଧାଯିବ।’
ଆତ୍ମହତ୍ୟା କରିବାବେବେ କପ୍ରେ ପାଣି ଥୁଆ ହୋଇଥିଲା‘ଯେତେବେଳେ ପାଣିର ରଙ୍ଗ ନୀଳ ହେବ ସେତେବେଳେ ମୁଁ (ସ୍ଵର୍ଗୀୟ ପିତା) ଆସି ତୁମମାନଙ୍କୁ ବଞ୍ଚେଇବି’ ବୋଲି ଏକଥା ସ୍ଵପ୍ନରେ ଲଳିତଙ୍କୁ କହିଥିଲେ ତାଙ୍କ ସ୍ଵର୍ଗୀୟ ପିତା। ଯାହାକୁ ମାନିଥିଲେ ପୂରା ପରିବାର।


















