ଡକ୍ଟର ଗୀତା ଦାସ
ନାରୀ ଓ ପୁରୁଷଙ୍କ ମଧ୍ୟରେ ବ୍ୟକ୍ତିତ୍ୱରେ ବ୍ୟତିକ୍ରମ ଦେଖାଯାଏ କାହିଁକି? ଜାଣନ୍ତୁ ଏହା ପଛର ଶାରୀରିକ ଓ ମନସ୍ତାତ୍ତ୍ୱିକ କାରଣ।
ନାରୀର ପୁରୁଷ ଭାବ ଓ ପୁରୁଷର ନାରୀ ଭାବ ବିଭିନ୍ନ କାରଣର ଜଟିଳ ସମାବେଶ ଫଳରେ ଘଟିଥାଏ। ଏହି କାରଣ ମଧ୍ୟରୁ ଶାରୀରିକ କାରଣ ଗୋଟିଏ।
ଅନେକ ସମୟରେ ଦେହର ଗଠନରେ ତ୍ରୁଟି ଥିବାରୁ ଅର୍ଦ୍ଧଗଠିତ ଯୌନାଙ୍ଗ ଥାଇ ପିଲା ଜନ୍ମ ହେବାର ଦେଖାଯାଏ। ଏପରି ପିଲାଙ୍କୁ ପୁଅ ପରି ଲୁଗାପଟା ପିନ୍ଧାଇ ପୁଅ ଭାବି ସେହି ଅନୁସାରେ ବଢ଼ାଇଲେ ସେମାନେ ନିଜକୁ ପୁରୁଷ ମଣି ବଡ଼ ହୁଅନ୍ତି। ଅନ୍ୟପକ୍ଷରେ, ଝିଅ ପରି ବଢ଼ାଇଲେ କ୍ଲୀବ ପିଲା ନିଜକୁ ଝିଅ ଭାବି ବଢ଼ିଉଠେ। ଚାରି ପାଞ୍ଚ ବର୍ଷ ବୟସରେ ପିଲାମାନେ ନିଜ ଯୌନାଙ୍ଗର ସମ୍ପୂର୍ଣ୍ଣ ଅର୍ଥ ବୁଝି ନଥାନ୍ତି। ବେଶଭୂଷା, କଥାବାର୍ତ୍ତା, ଢଙ୍ଗଢ଼ାଙ୍ଗର ତଫାତ୍ ଅନୁସାରେ ସ୍ତ୍ରୀ ପୁରୁଷର ଭେଦ ଜାଣନ୍ତି।
ନିଜେ ପୁଅପରି ଲୁଗା ପିନ୍ଧିଥିଲେ ପୁଅ ବୋଲି ଲୋକେ ଡାକିଲେ ନିଜର ନାଆଁ ପୁରୁଷ ଲୋକର ନାଆଁ ପରି ହେଲେ ସେ ନିଜକୁ ପୁରୁଷ ଭାବେ। ପରିବାରର ଅନ୍ୟ ପୁରୁଷ ଲୋକଙ୍କର ଚାଲିଚଳଣ, କଥାବାର୍ତ୍ତା ଅନୁକରଣ କରି ବଢ଼େ। ପୁରୁଷ ପରି ବ୍ୟବହାର କରେ, ପୁରୁଷର ଆଦର୍ଶ ଓ ଲକ୍ଷ୍ୟ ଅନୁସାରେ ନିଜ ଜୀବନ ଗଢ଼େ। ବଡ଼ ହେଲା ପରେ ଅସ୍ତ୍ର-ଚିକିତ୍ସା ସାହାଯ୍ୟରେ ନିଜ ଦେହକୁ ସଜାଡ଼ିବା ପାଇଁ ଏଭଳି ଲୋକ ଆଗ୍ରହ ପ୍ରକାଶ କରନ୍ତି। ଯିଏ ନିଜକୁ ପୁରୁଷ ଭାବି ବଢ଼ିଥାଏ ସେ ଡାକ୍ତରକୁ ପୁରୁଷ ଅଙ୍ଗ ପାଇଁ ଅନୁରୋଧ କରେ ଓ ଯେ ନିଜକୁ ସ୍ତ୍ରୀ ଭାବି ବଢ଼ିଥାଏ ସେ ସ୍ତ୍ରୀ ଅଙ୍ଗ ପାଇଁ ଅନୁରୋଧ କରେ। ଏଥିରୁ ଦେଖାଯାଉଛି ଯେ ସ୍ତ୍ରୀ ଭାବ ଓ ପୁରୁଷ ଭାବ ସବୁବେଳେ ଦେହର ଗଠନ ଉପରେ ନିର୍ଭର କରେ ନାହିଁ। ଏପରି ପିଲାକୁ କ୍ଲୀବ କହି ଯଦି ମୂଳରୁ ସେହି ଅନୁସାରେ ବଢ଼ାଯାଏ ତା’ ହେଲେ ସେ କ୍ଲୀବ ପରି ବଢ଼େ।
ଏଭଳି କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ଯେ କ୍ଲୀବ ପରି ବଢ଼ିବାର ଅର୍ଥ ହେଉଛି ବେଶଭୂଷାରେ ପରିବର୍ତ୍ତନ। ନିଜକୁ ସ୍ତ୍ରୀ ବୋଲି ଭାବୁଥିଲେ ପୁରୁଷ ପରି ଦେହର ଗଠନ ହେଲେ ମଧ୍ୟ ସେ ସ୍ତ୍ରୀର ବେଶ ପୋଷାକ ପିନ୍ଧେ ଓ ଦେହର ଗଠନ ସ୍ତ୍ରୀ ଦେହପରି କୃଶ, କୋମଳ ଓ ସୁକୁମାର ହେଲେ ମଧ୍ୟ ସେ ପୁରୁଷ ବେଶ ପିନ୍ଧେ। ବିରାଟ ପର୍ବରେ ଅର୍ଜୁନ କ୍ଲୀବ ବୃହନ୍ନଳା ରୂପରେ ନର୍ତ୍ତକୀର ବେଶ ପିନ୍ଧିଥିଲେ। ଏବେ ମଧ୍ୟ ରେଳ ଷ୍ଟେସନରେ, ହାଟ ବଜାରରେ ଏଭଳି ସ୍ତ୍ରୀ ବେଶ ହୋଇଥିବା ପୁରୁଷ ଲୋକ ନାଚି ପଇସା ମାଗୁଥିବାର ଦେଖାଯାଏ।
ବଡ଼ ହେବା ସହିତ ପିଲା ଶରୀରର ଗଠନ ବିଷୟରେ ସଚେତନ ହୁଏ। ଯଦି ଅସ୍ତ୍ର ଚିକିତ୍ସା ଦ୍ୱାରା ଏଭଳି ତ୍ରୁଟି ସଂଶୋଧନ ନ ହୁଏ ତା’ ହେଲେ ତା’ର ସ୍ୱଭାବ ଓ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଦେଖାଯିବ। ଦେହର ଖୁଣ ଯୋଗୁଁ ସେ ନିଜକୁ ଅଦ୍ଭୁତ ବୋଲି ଭାବିବାକୁ ଆରମ୍ଭ କରେ। ଅନ୍ୟମାନଙ୍କଠାରୁ ନିଜକୁ ଛୋଟ ଭାବେ। ସ୍ୱାଭାବିକ ଜୀବନଯାତ୍ରାର ଅଧିକାରରୁ ବଞ୍ଚିତ ହୋଇଥିବାରୁ ସଂସାର ଉପରେ ଆକ୍ରୋଶ ଜନ୍ମେ। ନିଜ ପ୍ରତି ମନରେ କ୍ଷୋଭ ଓ ବିରକ୍ତିବୋଧ ବଢ଼େ। ଜୀବନ ନିଷ୍ଫଳ ମଣି କେତେକ ବିଷାଦ ଓ ଦୁଃଖରେ ଘାରି ହେଇ ନିଜ ଜୀବନ ନଷ୍ଟ କରିଦିଅନ୍ତି। ଯାହା ମନରେ ଆକ୍ରୋଶଭାବ ବେଶୀ, ସେ କ୍ଷମତାଲୋଭୀ ଓ ଅତ୍ୟାଚାରୀ ହୋଇଉଠେ। ନିଜେ ଯୌନ ସଙ୍ଗମରେ ଅକ୍ଷମ ହୋଇଥିବା ହେତୁ ଏପରି ଲୋକ ଯଦି ଅପରାଧୀ ଓ ନରହନ୍ତା ହୁଏ, ତେବେ ପୁରୁଷକୁ ହତ୍ୟା କରି ତା’ର ଯୌନାଙ୍ଗ କାଟି ପକାଏ। ପୂର୍ବେ ପାରସ୍ୟ ଓ ଚୀନର ରାଜପ୍ରାସାଦରେ ନପୁଂସକମାନେ ରାଜ- ଅନ୍ତଃପୁରର ରକ୍ଷକ ହିସାବରେ ନିଯୁକ୍ତ ହେଉଥିଲେ। ପ୍ରାଚୀନ ପାରସ୍ୟର ଇତିହାସରେ ଏଇ ନପୁଂସକ ରାଜକର୍ମଚାରୀମାନଙ୍କର ପ୍ରତାପ ଓ ଅତ୍ୟାଚାରୀ ମନୋବୃତ୍ତିର କାହାଣୀ ଗ୍ରୀକ୍ ଐତିହାସିକମାନେ ଲେଖିଛନ୍ତି। ସେହିପରି ଚୀନ ଇତିହାସରେ ମାଞ୍ଚୁ ସାମ୍ରାଜ୍ୟର ପତନ କାଳରେ ଏପରି ନପୁଂସକ ରାଜକର୍ମଚାରୀମାନେ ଅନ୍ୟ ସ୍ୱାଭାବିକ ରାଜପୁରୁଷଙ୍କ ପ୍ରତି ବ୍ୟକ୍ତିଗତ ଯୌନଆକ୍ରୋଶ ହେତୁ ଚକ୍ରାନ୍ତ କରି ମାଞ୍ଚୁ ସାମ୍ରାଜ୍ୟର ପତନ କିପରି ତ୍ୱରାନ୍ୱିତ କରିଥିଲେ ସେ କାହାଣୀର ବିଭିନ୍ନ ଐତିହାସିକ ଉଲ୍ଲେଖ କରିଛନ୍ତି।
ଅଧିକାଂଶ ଲୋକଙ୍କର ଧାରଣା ଯେ ନପୁଂସକମାନଙ୍କର ଯୌନ କାମନା ନ ଥାଏ। ଏଇ ଧାରଣା ଭୁଲ୍। ମଣିଷର ଯୌନ-କାମନା ଦେହ ଭିତରର ଯୌନଗ୍ରନ୍ଥିର କ୍ଷରଣର ପରିମାଣ ଅନୁସାରେ ନିୟନ୍ତ୍ରିତ ହୋଇଥାଏ। ସେଥିଲାଗି ଯିଏ ଜନ୍ମ ହେଲା ପରେ ନପୁଂସକ ହୋଇଥାଏ, ସେ ସ୍ୱାଭାବିକ ଲୋକ ପରି ଯୌନ-କାମନା ଅନୁଭବ କରେ।
ଅନ୍ୟପକ୍ଷରେ କେତେକ ପୁରୁଷଙ୍କର ବାହାର ଦେହରେ କୌଣସି ତ୍ରୁଟି ନ ଥାଏ ମାତ୍ର ଦେହ ଭିତରେ ଯଦି କୌଣସି କାରଣ ଯୋଗୁଁ ପୁରୁଷ ହରମୋନ୍ ରସର କ୍ଷରଣ କମ୍ ହୁଏ ତାହାହେଲେ ସେମାନେ ବିଶେଷ ଯୌନ ଉତ୍ତେଜନା ଅନୁଭବ କରନ୍ତି ନାହିଁ ଓ ଅନେକ ସମୟରେ ଯୌନ କ୍ରିୟାରେ ଅସମର୍ଥ ହୁଅନ୍ତି। ଏହି ଗ୍ରନ୍ଥିର କ୍ଷରଣ ଅନୁସାରେ ପୁରୁଷର ନିଶ ଦାଢ଼ି ଓ ଦେହରେ କେଶରାଶିର ଉଦ୍ଭବ ହୁଏ। ପୁରୁଷସୁଲଭ, ତେଜସ୍ୱୀ ଓ ଆକ୍ରମଣକାରୀ ମନୋବୃତ୍ତି ଯୋଗୁଁ ମଧ୍ୟ ଏହି ହରମୋନର କ୍ଷରଣରେ ବିଭ୍ରାଟ ଘଟେ, ତାହେଲେ ପୁରୁଷର ସ୍ୱଭାବ ଓ ବ୍ୟକ୍ତିତ୍ୱରେ ବିପର୍ଯ୍ୟୟ ଘଟେ। କେତେକ ପାଶ୍ଚାତ୍ୟ ଦେଶରେ ଯୌନ-ଅପରାଧୀମାନେ ନିଜ ଇଚ୍ଛାରେ ହରମୋନ୍ ଚିକିତ୍ସା ଦ୍ୱାରା ନିଜର ଅଣାୟତ୍ତ ଯୌନ କାମନା କମାଇବାକୁ ସମର୍ଥ ହେଉଛନ୍ତି। ମାତ୍ର ଏଭଳି ଚିକିତ୍ସା ପରୀକ୍ଷାମୂଳକ ହେଇଥିବାରୁ କେବଳ ହତ୍ୟାକାରୀ ଧର୍ଷକକୁ ଏଇ ଉପାୟରେ ଚିକିତ୍ସା କରାଯାଏ।
ଏସଟ୍ରୋଜେନ୍ ହେଉଛି ନାରୀତ୍ୱର ନିୟନ୍ତ୍ରକ ହରମୋନ୍। ଏହି ହରମୋନର ଅଭାବ ହେଲେ ନାରୀଠାରେ ସ୍ତନର ଉଦ୍ଗମ ହେବ ନାହିଁ। ନାରୀ ରଜସ୍ୱଳା ହେବ ନାହିଁ କିମ୍ବା ନାରୀର ଡିମ୍ବକୋଷରୁ ଡିମ୍ବାଣୁ ନିର୍ଗତ ହେବ ନାହିଁ। ଫଳରେ ନାରୀ ସ୍ୱାଭାବିକ ଭାବରେ ଯୋନି ଥାଇ ଜନ୍ମ ହେଲେ ମଧ୍ୟ ଏହି ହରମୋନ କ୍ଷରଣରେ ଗଣ୍ଡଗୋଳ ହେଲେ ସେ ଦେହ ଓ ମନରେ ବାଳିକା ହୋଇ ଚିରଦିନ ରହିଯାଇପାରେ।
ପରୀକ୍ଷାମୂଳକ ଭାବେ ଦେଖାଯାଇଛି ଯେ ପୁରୁଷ ଦେହରେ ସ୍ତ୍ରୀ ହରମୋନ୍ ସଞ୍ଚାର କଲେ ତା’ ମୁହଁରୁ ଦାଢ଼ି ନିଶ ଉଭେଇଯାଏ, ସ୍ତନ ବଢ଼ିବାକୁ ଆରମ୍ଭ କରେ, କଣ୍ଠସ୍ୱରରେ ପରିବର୍ତ୍ତନ ହୁଏ। ସ୍ତ୍ରୀ-ହରମୋନ୍ ଯୋଗୁଁ ସ୍ତ୍ରୀଲୋକେ ଚନ୍ଦା ହୁଅନ୍ତି ନାହିଁ। ତେଣୁ କେତେକ ଚନ୍ଦା ହୋଇଥିବା ପୁରୁଷ ମୁଣ୍ଡରେ ପୁଣି ବାଳ ହେବ ବୋଲି ଆଶା କରି ହରମୋନ୍ ଚିକିତ୍ସା କରିବା ଫଳରେ ମୁଣ୍ଡରେ ଅଳ୍ପ ବାଳ ବଢ଼େ ସତ, ମାତ୍ର ସେମାନଙ୍କଠାରେ ଅନ୍ୟାନ୍ୟ ନାରୀସୁଲଭ ଲକ୍ଷଣମାନ ମଧ୍ୟ ଦେଖାଯାଏ।
ପୁରୁଷ-ହରମୋନ୍ ପ୍ରୟୋଗ କରି ନାରୀର ପୁରୁଷସୁଲଭ ଦୈହିକ ଗଠନ ସୃଷ୍ଟି କରିବା ସମ୍ଭବ ହୋଇଛି। ଅଲିମ୍ପିକ୍ ଗେମ୍ସ ବା ସେହିପରି ପ୍ରତିଯୋଗୀମୂଳକ ଖେଳରେ ଭାଗ ନେଉଥିବା ନାରୀଖେଳୁଆଡ଼ମାନେ ଏହି ଉପାୟରେ ଦୌଡ଼ିବା, ପହଁରିବା ଇତ୍ୟାଦି ବିଷୟରେ ନିଜର ଉତ୍କର୍ଷ ବଢ଼ାଇଥାନ୍ତି।
ଏଭଳି ହରମୋନ୍ର ପ୍ରୟୋଗ ବିପଦଜନକ। କାରଣ ଏହା ଫଳରେ କେବଳ ଦେହର ପରିବର୍ତ୍ତନ ହୁଏ ନାହିଁ, ମନ, ସ୍ୱଭାବ ଓ ବ୍ୟକ୍ତିତ୍ୱରେ ମଧ୍ୟ ପରିବର୍ତ୍ତନ ଘଟେ। ଦୀର୍ଘକାଳ ବ୍ୟବହାର ଫଳରେ କ’ଣ କ୍ଷତି ହୁଏ, ସେକଥା କେହି ଠିକ୍ ଭାବରେ ଜାଣନ୍ତି ନାହିଁ। ସେଥିଲାଗି ହରମୋନ୍ ବିଶେଷଜ୍ଞ ଚିକିତ୍ସକଙ୍କ ଛଡ଼ା ଅନ୍ୟ କାହାଦ୍ୱାରା ଏପରି ଚିକିତ୍ସା କରିବା ଉଚିତ ନୁହେଁ। ନିଜ ଖିଆଲ ଅନୁସାରେ ଝିଅକୁ ପୁଅ କରିବା ଲାଗି ଏପରି ଚିକିତ୍ସା କରିବା ଆଦୌ ଉଚିତ ନୁହେଁ। ଜନ୍ମରୁ ପ୍ରକୃତି ଯେଉଁ ପରିଚୟ ଦେଇ ସୃଜନ କରିଛି ସେହି ପରିଚୟ ସ୍ୱୀକାର କରି ତଦନୁସାରେ ନିଜର ଜୀବନ ଗଢ଼ିବା ମଣିଷ ପକ୍ଷରେ ମଙ୍ଗଳକର।
ମାନସିକ କାରଣ
ଅନେକ ସମୟରେ ମା’ ଝିଅଟିଏ ଖୋଜେ। ଝିଅ ନ ହେଇ ପୁଅ ହେଲା। ମନର କ୍ଷୋଭ ମେଣ୍ଟାଇବା ପାଇଁ ମାଆ ପୁଅଟିକୁ ସୁନ୍ଦର କରି ସଜେଇ ସବୁବେଳେ ପାଖେ ପାଖେ ରଖିଲେ। ଦଣ୍ଡେ ହେଲେ କରଛଡ଼ା କଲେ ନାହିଁ। ତିଳେମାତ୍ର ଦୃଷ୍ଟିରୁ ଅନ୍ତର କଲେ ନାହିଁ। ଯେଉଁ ପୁଅ ସାତ ଆଠବର୍ଷ ବୟସ ପର୍ଯ୍ୟନ୍ତ ଏପରି ଭାବରେ ବଢ଼େ, ବଡ଼ ହେଲେ ତା’ର କିଭଳି ବ୍ୟକ୍ତିତ୍ୱ ହେବ?
ଏହି ଭାବରେ ପିଲାଦିନେ ବଢ଼ିଥିଲେ ୟୁଏନଓର ଭୂତପୂର୍ବ ସେକ୍ରେଟାରୀ ଜେନେରାଲ୍ ଡାଗ୍ ହାମାରସ୍କୋଲ୍ଡ। ତାଙ୍କ ମାଆ ପିଲାଦିନେ ତାଙ୍କୁ ଝିଅପରି ବେଶ କରି ଫ୍ରକ୍ ପିନ୍ଧାଇ ରଖୁଥିଲେ। ମୁଣ୍ଡର ଲମ୍ବା ବାଳତକ ଝିଅମାନଙ୍କ ବାଳ ପରି କୁଣ୍ଡେଇ ଦେଉଥିଲେ। ପୁଅକୁ ଝିଅପରି ଶାନ୍ତଶିଷ୍ଟ, ବାଧ୍ୟ ଓ ନରମ ସ୍ୱଭାବର କରି ମା’ ବଢ଼ାଇଥିଲେ। ସ୍କୁଲ୍ ଜୀବନ ଆରମ୍ଭ ହେଲାରୁ ସେ ଅନ୍ୟ ପୁଅପିଲାଙ୍କ ପରି ବଢ଼ିଲେ, ବାହାସାହା ହେଲେ, ନିଜର ଶାନ୍ତ ଓ ବିଚାରବନ୍ତ ସ୍ୱଭାବ ଏବଂ କରୁଣାଭରା ମନ ପାଇଁ ସାଫଲ୍ୟ ମଧ୍ୟ ଅର୍ଜନ କଲେ। କିନ୍ତୁ ତାଙ୍କ ଚରିତ୍ରରେ ରହିଗଲା ଗୋଟାଏ ଅନ୍ଧକାର ଦିଗ। ଅନ୍ୟ ପୁରୁଷଙ୍କ ପ୍ରତି ସେ ଆକର୍ଷଣ ଅନୁଭବ କରୁଥିଲେ।
ଅନ୍ୟ ଦେଶରେ ଏପରି ଆକର୍ଷଣ ଯୋଗୁଁ କେହି ଚିନ୍ତିତ ହେବେ ନାହିଁ, ମାତ୍ର ଖ୍ରୀଷ୍ଟଧର୍ମର ସଂସ୍କୃତିରେ ଗଢ଼ିଉଠିଥିବା ପାଶ୍ଚାତ୍ୟ ସଭ୍ୟତାରେ ସମକାମିତା ପରି ପାପ ଆଉ ନାହିଁ। ଅସ୍କାର ଓୟାଲଡଙ୍କ ପରି ବିଖ୍ୟାତ ଲୋକ ଏହି ଅପରାଧ ହେତୁ କାରାଦଣ୍ଡ ପାଇଥିଲେ। ଧର୍ମ ଓ ଆଇନ କେହି ଏପରି ପ୍ରବୃତ୍ତିକୁ ସ୍ୱୀକାର କରନ୍ତି ନାହିଁ। ହାମାରାସ୍କୋଲ୍ଡ ନିଜର ମନର ଏଇ ପ୍ରବୃତ୍ତିର କାରଣ କ’ଣ ସେକଥା ଠିକରେ ବୁଝି ନ ଥିଲେ।
ନିଜର ଏପରି ଇଚ୍ଛାକୁ ପାପ ଜାଣି ଆତ୍ମଗ୍ଲାନି ଓ ଅପରାଧବୋଧରେ ଜୀବନଯାକ ଜର୍ଜରିତ ହେଇଥିଲେ ହାମାରସ୍କୋଲ୍ଡ। ତାଙ୍କ ବ୍ୟକ୍ତିତ୍ୱରେ ବାଲ୍ୟ ପ୍ରଭାବ ହେତୁ ନାରୀସୁଲଭ ବ୍ୟକ୍ତିତ୍ୱ ଶୈଶବରେ ରୂପ ନେଇଥିଲା ଓ ପରେ ଏହା ପୁରୁଷ ଚରିତ୍ର ସହିତ ସମନ୍ୱିତ ନ ହୋଇ ସ୍ୱତନ୍ତ୍ର ଭାବରେ ରହିଥିବା ହେତୁ ସେ ସମ୍ପର୍କ ପୁରୁଷ ଭାବାପନ୍ନ ହୋଇପାରି ନଥିଲା। ଏହି ପ୍ରଚ୍ଛନ୍ନ ନାରୀ ସ୍ୱଭାବ ହେତୁ ସେ ଅନ୍ୟ ପୁରୁଷଙ୍କ ପ୍ରତି ଆକର୍ଷଣ ଅନୁଭବ କରୁଥିଲେ। (ଏଥିରୁ ଅନୁମାନ କରିବା ଉଚିତ ନୁହେଁ ଯେ କେବଳ ସ୍ତ୍ରୀଭାବାପନ୍ନ ପୁରୁଷଲୋକ ସମକାମୀ ହୁଅନ୍ତି। ଆମ ଦେଶରେ ସ୍ତ୍ରୀଲୋକ ସହିତ ମିଶିବା ନିଷେଧ ହୋଇଥିବାରୁ ବହୁ ସ୍ୱାଭାବିକ ପୁରୁଷ ବିବାହ ପୂର୍ବରୁ ସମକାମୀ ଓ ବିବାହ ପରେ ସ୍ତ୍ରୀ ପୁରୁଷର ସ୍ୱାଭାବିକ ସମ୍ପର୍କ ମାନି ଚଳନ୍ତି।)
ବାପାମାଆଙ୍କର ଖାମଖିଆଲୀ ଭାବରେ ପିଲାକୁ ବଢ଼ାଇବା ଛଡ଼ା ଆହୁରି କେତେକ କାରଣରୁ ଏପରି ବ୍ୟତିକ୍ରମ ଦେଖାଯାଏ। ଏଥିମଧ୍ୟରୁ ପାରିବାରିକ ସମ୍ପର୍କ ଓ ସମସାମୟିକ ସମାଜର ରୀତିନୀତି ଅନ୍ୟତମ।
ପରିବାର ଓ ପାରିବାରିକ ସମ୍ପର୍କ
ପିଲା ନିଜ ପରିବାର ଓ ସାହିପଡ଼ିଶା ଲୋକଙ୍କର ଚାଲିଚଳଣି ଦେଖି ସେହି ଅନୁସାରେ ବିଭିନ୍ନ ସାମାଜିକ ପରିସ୍ଥିତିରେ ବ୍ୟବହାର କରିଥାଏ। ଦୁଇ ଅଢ଼େଇ ବର୍ଷର ପୁଅ ରଜ ସଜବାଜ ଦିନ ଅପା ପରି ଅଳତା, ସିନ୍ଦୂର, କଜଳ ପିନ୍ଧିବାକୁ ଜିଦ୍ ଲଗାନ୍ତି। ମାତ୍ର ଚାରି ପାଞ୍ଚ ବର୍ଷ ବେଳକୁ ମନର ସେଭଳି ଇଚ୍ଛାକୁ ଦବେଇ ଦିଅନ୍ତି। ‘ଅଳତା ଲଗେଇବୁ?’- ବୋଲି ପଚାରିଲେ କହନ୍ତି ‘ମୁଁ ପୁଅପିଲା ଅଳତା ଲଗେଇବି କାହିଁକି?’ ମୁହଁରେ ପାଉଡର ମାରିଦେଲେ ମନା କରନ୍ତି ନାହିଁ, କାରଣ ଦେହରେ ଘିମିରି ହେଲେ କି ଝାଳ ବୋହିଲେ ପୁରୁଷଲୋକ ଦେହରେ ପାଉଡର ପକାନ୍ତି।
ଏହି ଭାବରେ କେଉଁଟା ପୁଅପିଲାର କରଣୀୟ ଓ କେଉଁଟା କରିବା କଥା ନୁହଁ, ସେକଥା ପିଲା ଅନ୍ୟମାନଙ୍କୁ ଲକ୍ଷ୍ୟ କରି ଶିଖେ। ଯଦି ସେ ସେଥିରୁ ହୁରୁଡ଼ିଯାଏ ତାହାହେଲେ ଅନ୍ୟମାନେ ତାକୁ ତିଆରନ୍ତି। ପୁଅ ବେଶୀ ଗୁଡ଼ାଏ କାନ୍ଦିଲେ, ଲୋକେ ତାକୁ ଥଟ୍ଟାକରି କୁହନ୍ତି କ’ଣ ଝିଅ ଶାଶୂଘରକୁ ଗଲାପରି ରଡ଼ି ଛାଡ଼ୁଛୁ। ସେତକ ଅପମାନ କଥା ଶୁଣି ସେ କାନ୍ଦ ବନ୍ଦ କରି ଚୁପ୍ ହୋଇଯାଏ।
ଝିଅକୁ ତ ପ୍ରତିପଦରେ ‘ଅଣ୍ଡିରାଚଣ୍ଡୀ’ ଉଲୁଗୁଣା ଶୁଣିବାକୁ ପଡ଼େ। ଏଇ ଗାଳିର ଅର୍ଥ ହେଲା- ତୁ ଝିଅ ହୋଇ ପୁଅ ପରି ବ୍ୟବହାର କରୁଛୁ। ସେମିତି ଯେଉଁ ପୁଅ ବାହାରେ ନିଜର ପ୍ରତାପ ନ ଦେଖେଇ ଘରେ ଆସି ମା’କି ଭଉଣୀ ଆଗରେ ସାଙ୍ଗପିଲା ନାଁରେ ଆପତ୍ତି କରେ ତାକୁ ‘ମାଇମୁହାଁ’ ଉପାଧିରେ ଭୂଷିତ କରାଯାଏ। କାରଣ ପୁଅପିଲା ଦମ୍ଭ ଦେଖାଇବ, ଝିଅପିଲା ପରି ନରମ ଓ ନାକକାନ୍ଦୁରା ହେବାଟା ତା’ ପକ୍ଷରେ ଅବାଞ୍ଛିତ।
ଏପରି ଭାବରେ ବହୁ ବର୍ଷ ଧରି ଭାଇ, ବାପା, ଦାଦା, ବଡ଼ବାପା, ମାମୁ, ଜେଜେ ପ୍ରଭୃତିଙ୍କୁ ଦେଖି ଏମାନଙ୍କର ଆଦର୍ଶ ଅନୁସରଣ କରି ପୁଅପିଲା ବଢ଼ୁଥାଏ। ସେହିପରି ଅପା, ଭାଉଜ, ମାଆ, ଖୁଡ଼ୀ, ମାଉସୀ, ମାଈଁ ପ୍ରଭୃତିଙ୍କୁ ଦେଖି ଓ ଅନୁକରଣ କରି ଝିଅମାନେ ବଢ଼ନ୍ତି।
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଯୌଥ ପରିବାରରେ ଓ ନିଜ ଗାଁରେ ରହୁନାହାନ୍ତି। ଗାଁ ଛାଡ଼ି ସହରରେ ସେମାନେ ଭିନ୍ନ ଭାଷାଭାଷୀ, ଭିନ୍ନ ଧର୍ମୀ ଓ ଭିନ୍ନ ଶ୍ରେଣୀର ଲୋକ ସହିତ ସାହିପଡ଼ିଶା ହୋଇରହୁଛନ୍ତି। ଅଧିକାଂଶ ସମୟରେ ଘରଲୋକ ପିଲାକୁ ସାହିପଡ଼ିଶାଙ୍କ ପରି ନ ହେବା ଲାଗି ବତାଉଛନ୍ତି।
ତା’ଛଡ଼ା ଏପରି ସାହିପଡ଼ିଶାଙ୍କ ସାଙ୍ଗରେ କେତେକ ଜାଗାରେ କାହାର ବିଶେଷ ସମ୍ପର୍କ ନ ଥାଏ। ମାମୁ, ଦାଦା, ବଡ଼ବାପା ଯିଏ ଯାହା ସଂସାର ନେଇ ଗାଁରେ ବା ଅନ୍ୟ କେଉଁ ଦୂର ସହରରେ ରହୁଥିବାରୁ ସେମାନଙ୍କ ସହିତ ଦେଖାସାକ୍ଷାତ ହେବା କଷ୍ଟ। ଫଳରେ ପିଲା କେବଳ ନିଜ ବାପାମାଆ ଛଡ଼ା ଆଉ କାହାକୁ ଦେଖୁ ନାହିଁ କି ଆଉ କାହା ପାଖରୁ ଶିଖୁ ନାହିଁ। ସେଥିରେ ବାପା ଚାକିରି ବା ନିଜ ବେଉସାରେ ବ୍ୟସ୍ତ ରହି ପ୍ରାୟ ପୂରା ସମୟ ଘର ବାହାରେ କଟାନ୍ତି।
ଏପରି ସ୍ଥଳରେ ମାଆଙ୍କୁ ଦେଖି ମା’ଠାରୁ ଶିଖି ଝିଅ ସୁରୁଖୁରୁରେ ବଢ଼ିଯାଏ; ମାତ୍ର ପୁଅପିଲା- ବାପଛେଉଣ୍ଡ ପିଲାପରି ବେମୁରବ୍ୟା ହୋଇ ବଢ଼େ। ଏପରି କ୍ଷେତ୍ରରେ ସେ ମାଆର ପଣତକାନି ଧରି ମାଆର ପାଖଲଗା ହୁଏ ଓ ଶାନ୍ତ, ନିରୀହ, ଡରକୁରା ଓ ଅତି ଗେହ୍ଲା ହୋଇ ବଢ଼ିଉଠେ। ଏପରି ବଢ଼ିଲେ ଭବିଷ୍ୟତରେ ତା’ ଜୀବନରେ ବହୁ ସମସ୍ୟା ଦେଖା ଦେଇଥାଏ।
ସୌଭାଗ୍ୟର କଥା ଯେ ସ୍କୁଲ, ସିନେମା, ଖେଳପଡ଼ିଆର ସାଙ୍ଗମାନଙ୍କର ପ୍ରଭାବ ହେତୁ ଅଳ୍ପ ପିଲା ମାଆର ‘କାନିଧରା’ ହୋଇ ବଢ଼ନ୍ତି। ଘରର ଅଭାବ ଘର ବାହାରର ପ୍ରଭାବ ଦ୍ୱାରା ବହୁଳାଂଶରେ ସଂଶୋଧିତ ହୋଇଯାଏ।
(ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଲେଖିକା। ଦୀର୍ଘ ବର୍ଷରୁ ସେ କାନାଡାର ଆଲବର୍ଟା ସହରରେ ରହୁଛନ୍ତି। ତାଙ୍କର ବିଭିନ୍ନ ଓଡ଼ିଆ ବହି ଭିତରେ ‘କୈଶୋରରୁ ଯୌବନ’ ଏକ ଲୋକପ୍ରିୟ କୃତି। ଏହି ପୁସ୍ତକର ବିଭିନ୍ନ ଭାଗ ବା ଅଂଶକୁ ସାଧାରଣରେ ପ୍ରକାଶିତ ଓ ପ୍ରସାରିତ କରିବା ଲାଗି ଲେଖିକା ଓଡ଼ିଶାଲାଇଭକୁ ସଦୟ ଅନୁମତି ପ୍ରଦାନ କରିଛନ୍ତି। -ସମ୍ପାଦକ)