ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରା ସମୟରେ କୌଣସି ଭକ୍ତଙ୍କଠାରୁ ସେବାୟତ, ଦଇତାପତିମାନେ ଦାନ, ଦକ୍ଷିଣା ସଂଗ୍ରହ କରି ପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଭକ୍ତଙ୍କ ଦାନ ଓ ଦକ୍ଷିଣା ଏଣିକି ନେଇପାରିବେନି ସେବାୟତ। ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ଏହାକୁ ପାଳନ କରିବା ପାଇଁ ପୁରୀ ପ୍ରଶାସନ ତତ୍ପର ହୋଇଉଠିଛି।
ଆଗାମୀ ରଥଯାତ୍ରାରେ ରଥ ଦାୟିତ୍ୱରେ ଥିବା ଦଇତାପତି ଓ ସେବାୟତମାନେ ଭକ୍ତଙ୍କଠାରୁ ଦାନ, ଦକ୍ଷିଣା ନେଇ ପାରିବେ ନାହିଁ। ଭକ୍ତଙ୍କ ଦାନକୁ ହୁଣ୍ଡିରେ ପକାଯିବ। ଏଥିପାଇଁ ୩ଟି ରଥରେ ୧୨ଟି ହୁଣ୍ଡି ରଖାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।
ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରକାଶକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, “ରଥଯାତ୍ରାରେ ରଥ ଦାୟିତ୍ୱରେ ଥିବା ଦଇତାପତି ଓ ସେବାୟତମାନେ ଭକ୍ତଙ୍କ ଠାରୁ ଦାନ,ଦକ୍ଷିଣା ନେଇ ପାରିବେ ନାହିଁ। ଭକ୍ତଙ୍କ ଦାନକୁ ହୁଣ୍ଡିରେ ପକାଯିବ। ଏଥିପାଇଁ ୩ଟି ରଥରେ ୧୨ଟି ହୁଣ୍ଡି ସ୍ଥାପନ କରାଯିବ। ସେହିପରି ଶ୍ରୀଜୀଉମାନେ ରଥଯାତ୍ରାରେ ଯାଇ ଗୁଣ୍ଡିଚା ମନ୍ଦିରରେ ରହିବେ। ତେଣୁ ଜନ୍ମବେଦୀରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ହେବ। ସେଠାରେ ଭକ୍ତମାନେ ଯେଉଁ ପ୍ରଣାମୀ ଦେବେ ସେଥିପାଇଁ ମଧ୍ୟ ୬ଟି ହୁଣ୍ଡି ଗୁଣ୍ଠିଚା ମନ୍ଦିରରେ ସ୍ଥାପନ କରିବା ପାଇଁ ବ୍ୟବସ୍ଥା ହୋଇଛି। ଦଇତାପତିମାନେ ଟିକେଟ ମଧ୍ୟ କରିପାରିବେନି।”
ଶ୍ରୀମନ୍ଦିର ପରିଚାଳନାରେ ସୁଧାର ଓ ସଂସ୍କାର ଅଣାଯିବା, ନିର୍ବିଘ୍ନରେ ଶ୍ରୀଜୀଉ ଦର୍ଶନ, ମନ୍ଦିର ପରିସରରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଏକ ସୁସ୍ଥ ବାତାବରଣ ଗଠନ, ଜୋରଜବରଦସ୍ତ ଦାନଦକ୍ଷିଣା ଆଦାୟ ବ୍ୟବସ୍ଥାକୁ ବନ୍ଦ କରିବା ତଥା ସେବାୟତଙ୍କ ସ୍ୱାର୍ଥକୁ ସୁରକ୍ଷା କରିବା ପାଇଁ ସୁପ୍ରିମକୋର୍ଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।














