ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ମୁନ୍ନା ବଜରଙ୍ଗୀକୁ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା ଜେଲ୍‌ ମଧ୍ୟରେ ଗୁଳି ମାରି ହତ୍ୟା କରାଯାଇଛି।

ପ୍ରେମ ପ୍ରକାଶ ସିଂହ ଓରଫ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ମୁନା ବଜରଙ୍ଗୀକୁ ସୋମବାରଦିନ ଉତ୍ତର ପ୍ରଦେଶର ବାଗପତ୍‍ ଜେଲ୍‍ ଭିତରେ ଗୁଳିକରି ହତ୍ୟା କରାଯାଇଛି।

ମୁନ୍ନା ବଜରଙ୍ଗୀକୁ ବାଗପତ ଅଦାଲତରେ ସୋମବାରଦିନ ହାଜର କରାଯିବାକୁ ସ୍ଥିର କରାଯାଇଥିଲା କିନ୍ତୁ ତା’ପୂର୍ବରୁ ଏ ଘଟଣା ଘଟିଛି। ଭାରତୀୟ ଜନତା ପାର୍ଟିର ନେତା କୃଷ୍ଣାନନ୍ଦ ରାୟଙ୍କ ଆତତାୟୀ ମୁନ୍ନାକୁ ରବିବାର ଦିନ ଝାନ୍‌ସୀରୁ ବାଗପତ ସ୍ଥାନାନ୍ତର କରାଯାଇଥିଲା।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେବା ସହିତ ଜେଲ୍‍ ଅଧୀକ୍ଷକଙ୍କୁ ନିଲମ୍ବନ କରିଛନ୍ତି।

ସେ କହିଛନ୍ତି, “ଜେଲ୍‌ ପରିଧି ମଧ୍ୟରେ ଏଭଳି ଘଟଣା ଘଟିବା ସାଙ୍ଘାତିକ କଥା। ଆମେ ଗଭୀର ତଦନ୍ତ କରି ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”

ମୁନ୍ନା ବଜରଙ୍ଗୀଙ୍କ ଓକିଲ ଭି ଶ୍ରୀବାସ୍ତବ ନିଶ୍ଚିତ କରି କହିଛନ୍ତି. “ଜେଲରେ ରହୁଥିବା ଜଣେ ଦୋଷୀ ସାବ୍ୟସ୍ତ ଗ୍ୟାଙ୍ଗଷ୍ଟର୍‌ ମୁନ୍ନାକୁ ଗୁଳି ମାରି ହତ୍ୟା କରିବା ପରେ ପିସ୍ତଲଟିକୁ ଲୁଚାଇ ଦେଇଥିଲା।”

ଶନିବାର ରାତିରେ ତାକୁ ଝାନ୍‌ସୀ ଜେଲ୍‌ରୁ ବାଗପତରେ ଥିବା ଜିଲ୍ଲା ଜେଲ୍‌କୁ ଅଣାଯାଇଥିଲା। ଆଜି ସାଢ଼େ ଛଅଟା ବେଳେ ଜେଲ୍‌ରେ ଥିବା ଦୋଷୀ ତାକୁ ଗୁଳି କରିଥିଲା। ମୁନାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଅଳ୍ପ ଦିନ ତଳେ ପତ୍ନୀ ସୀମା ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

କିଏ ମୁନା ବଜରଙ୍ଗୀ?

ମୁନ୍ନା ବଜରଙ୍ଗୀ ୧୯୬୭ ମସିହାରେ ଉତ୍ତର ପ୍ରଦେଶର ଜୌନପୁରଠାରେ ଜନ୍ମ ଗ୍ରହଣ କରିଥିଲା। ତା’ର ପ୍ରକୃତ ନାଁ ଥିଲା ପ୍ରେମ ପ୍ରକାଶ ସିଂହ। ୫ମ ଶ୍ରେଣୀ ପରେ ସେ ପାଠ ଛାଡ଼ି ଦେଇଥିଲା। ଅସ୍ତ୍ରଶସ୍ତ୍ର ରଖିବାକୁ ସେ ସୁଖ ପାଉଥିଲା। ହିନ୍ଦୀ ସିନେମାରେ ଦେଖା ଯାଉଥିବା ଗ୍ୟାଙ୍ଗଷ୍ଟାର ପରି ହେବାକୁ ଚାହୁଁଥିଲା। ୧୭ ବର୍ଷ ହୋଇଥିଲା ବେଳେ ତା’ ବିରୋଧରେ ପ୍ରଥମ ଅପରାଧିକ ମାମଲା ରୁଜୁ କରାଯାଇଥିଲା।

ହିଂସା ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ପୋଲିସ ମୁନା ନାମରେ ମାମଲା ରୁଜୁ କରିଥିଲା।
ପରବର୍ତ୍ତୀ ସମୟରେ ଜୌନପୁରର କୁଖ୍ୟାତ ଅପରାଧୀ ଗଜରାଜ ସିଂହର ସହଯୋଗୀ ଭାବେ ଯୋଗ ଦେଇଥିଲା।

୧୯୮୪ରେ ତାର ପ୍ରଥମ ହତ୍ୟାର ଶିକାର ହୋଇଥିଲେ ବିଜେପି ନେତା ରାମଚନ୍ଦ୍ର ସିଂହ। ୧୯୯୦ରେ ସେ ମୌଉଠାରେ ମୁକତାର ଅନ୍‍ସାରୀ ଗ୍ୟାଙ୍ଗରେ ଯୋଗ ଦେଇଥିଲା। ୧୯୯୬ରେ ମୁକ୍‍ତାର ସମାଜବାଦୀ ପାର୍ଟି ଟିକେଟ୍‍ରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ମୁନା ସରକାରୀ ଟେଣ୍ଡର ଫିକ୍ସିଂରେ ମୁଖ୍ୟ ନାୟକ ଭାବେ କାମ କରୁଥିଲା। କିନ୍ତୁ ବିଜେପି ନେତା କିଷ୍ଣାନନ୍ଦ ରାୟଙ୍କ ପରିଚାଳିତ ଗ୍ୟାଙ୍ଗର ପ୍ରଭାବ ବଢ଼ିବା ସହିତ ମୁନାର ଗ୍ୟାଙ୍ଗ କ୍ରମଶଃ ଦୁର୍ବଳ ହେବାରେ ଲାଗିଲା।

୨୦୦୫, ନଭେମ୍ବର ୨୯ ତାରିଖରେ ଲକ୍ଷୌ ରାଜପଥରେ କିଷ୍ଣାନନ୍ଦଙ୍କୁ ଏକେ ୪୭ ରାଇଫଲ୍‍ରୁ ଗୁଳି କରି ମୁନା ହତ୍ୟା କରିଥିଲା। ସେହି ଆକ୍ରମଣରେ କିଷ୍ଣାନନ୍ଦଙ୍କ ବ୍ୟତୀତ ଅନ୍ୟ ୬ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା ପରେ ମୁନା ମୋଷ୍ଟ ୱାଣ୍ଟେଡ୍‍ ଅପରାଧୀ ତାଲିକାରେ ସାମିଲ୍‍ ହୋଇଯାଇଥିଲା। ତାକୁ ଧରିବା ପାଇଁ ସିବିଆଇ ଓ ଉତ୍ତରପ୍ରଦେଶ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ୭ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ମୁନା କିନ୍ତୁ ମୁମ୍ବାଇ ଚାଲିଯାଇଥିଲା। ସେଠାରୁ ସେ ଅଣ୍ଡରୱାର୍ଲ୍ଡ ସହିତ ସମ୍ପର୍କ ରଖିଥିଲା।

୨୦୦୯ ଅକ୍ଟୋବର ୨୯ ତାରିଖରେ ଦିଲ୍ଲୀ ପୋଲିସ ମୁନାକୁ ମୁମ୍ବାଇରୁ ଗିରଫ କରିଥିଲା। ୨୦ବର୍ଷ ଭିତରେ ମୁନା ୪୦ ଜଣଙ୍କୁ ହତ୍ୟା କରିଥିଲା।

Comment