ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଷ୍ଟେସନରେ ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍। ପୁରୀ ଷ୍ଟେସନ୍ରେ ପୁରୀ-କଟକ ପାସେଞ୍ଜର ଟ୍ରେନ ୩ଟି ବଗିକୁ ଛାଡ଼ି ପ୍ରାୟ ୫ କିଲୋମିଟର ଚାଲିଯାଇଥିଲା। ଏହା ଜଣାପଡ଼ିବା ପରେ ପୁଣି ପଛକୁ ଫେରିଥିଲା ଟ୍ରେନ୍। ଫଳରେ ଏକ ବଡ଼ଧରଣ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ।
ଆଜି ସକାଳ ୮ଟା ବେଳ ପୁରୀ- କଟକ ପାସେଞ୍ଜର ଟ୍ରେନ୍ଟି ପୁରୀ ଷ୍ଟେସନ ଛାଡ଼ିବା କଥା। ନିର୍ଦ୍ଧାରିତ ସମୟରେ ଟ୍ରେନ୍ ପୁରୀ ଷ୍ଟେସନ ଛାଡ଼ିଥିଲା ମଧ୍ୟ। ମାତ୍ର ଟେନ୍ ଯିବା ପରେ ଜଣାପଡ଼ିଥିଲା ଯେ ଏହି ଟ୍ରେନ୍ର ୩ଟି ବଗିକୁ ଛାଡ଼ି ପଳାଇଛି।
ସଙ୍ଗେସଙ୍ଗେ ଏ ନେଇ ପୁରୀ ଷ୍ଟେସନ କର୍ତ୍ତୃପକ୍ଷ ପରବର୍ତ୍ତୀ ଷ୍ଟେସନକୁ ଅବଗତ କରିଥିଲେ। ପରେ ସେଠାରୁ ଇଞ୍ଜିନ ଫେରି ଆସି ଏହି ୩ଟି ବଗିକୁ ନେଇ ପୁଣି ପୁରୀ- କଟକ ପାସେଞ୍ଜର ଟ୍ରେନ୍ ସହିତ ସଂଯୋଗ କରିଥିଲେ। ଫଳରେ ଟ୍ରେନ୍ଟି ପ୍ରାୟ ଅଧ ଘଣ୍ଟା ବିଳମ୍ବରେ ତାର ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିଛି।
ଗତ ଏପ୍ରିଲ ୭ ତାରିଖରେ ରାତି ପ୍ରାୟ ୧୦ଟା ୫ ମିନିଟ୍ରେ ଟିଟିଲାଗଡ଼ ଷ୍ଟେସନ୍ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ର ଇଞ୍ଜିନ ବଦଳ ହୋଇଥିଲା। ଏହାପରେ ବିନା ଇଞ୍ଜିନରେ ୨୨ଟି ବଗି ଗଡ଼ିଥିଲା। ଟିଟିଲାଗଡରୁ କେସିଙ୍ଗା ୧୫ କିଲୋମିଟର ଗଡିଥିଲା ଏହି ଟ୍ରେନ। କେସିଙ୍ଗା ନିକଟରେ ବଗି ଗୁଡିକୁ ଅଟକାଯାଇଥିଲା।
ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ପୂର୍ବତଟ ରେଳବାଇ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଇଞ୍ଜିନ୍ଠାରୁ ଚତୁର୍ଥ ସ୍ଥାନରେ ଥିବା ବଗିରେ କିଛି ତ୍ରୁଟି ରହିଥିଲା। ତେଣୁ ମରାମତି ପାଇଁ ସେହି ବଗିକୁ ଅଲଗା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ବଗିକୁ ଅଲଗା କରିବା ପାଇଁ ପ୍ରଥମ ତିନି ବଗି ଇଞ୍ଜିନ ବାହାର କରିବାକୁ ପଡ଼ିଥିଲା। କେବଳ ଚତୁର୍ଥ ବଗିକୁ ଛାଡ଼ି ପୁଣି ତିନି ବଗିକୁ ଯୋଡ଼ି ଟ୍ରେନ୍ ଯାତ୍ରା ଆରମ୍ଭ କରିଥିଲା। ବଗି ସହିତ ପରସ୍ପରର ସଂଯୋଗ ରହିଥିବାରୁ ତିନି ବଗିକୁ ଛାଡ଼ି ଇଞ୍ଜିନ ଚାଲି ଯିବା ସମ୍ଭବ ନୁହେଁ।














