ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ଓ କ୍ରୋଏସିଆ ଚଳିତ ଫୁଟ୍‌ବଲ୍‌ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ।

ଇଂଲଣ୍ଡ ଓ କ୍ରୋଏସିଆ ଚଳିତ ଫୁଟ୍‌ବଲ୍‌ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଇଂଲଣ୍ଡ ଶେଷଥର ପାଇଁ ୧୯୯୦ ମସିହାରେ ବିଶ୍ୱକପ୍‌ ସେମିଫାଇନାଲ୍‌ ଖେଳିଥିଲା। ହେଲେ ପେନାଲ୍ଟି ସୁଟଆଉଟ୍‌ରେ ପଶ୍ଚିମ ଜର୍ମାନିଠାରୁ ହାରି ଫାଇନାଲ୍‌ ପ୍ରବେଶର ସୁଯୋଗ ହରାଇଥିଲା।

ଅନ୍ୟପକ୍ଷରେ କ୍ରୋଏସିଆ ସ୍ୱାଧୀନତା ପାଇବା ପରେ ୧୯୯୮ରେ କରିଥିବା ନିଜ ପଦାର୍ପଣରେ ସେମିଫାଇନାଲ ପର୍ଯ୍ୟାୟକୁ ଯାଇଥିଲା। ହେଲେ ସେଠାରେ ଆୟୋଜକ ଫ୍ରାନ୍ସଠାରୁ ହାରିଯାଇଥିଲା।

ଏଣୁ ଆଉ ଏକ ସେମିଫାଇନାଲ୍‌ ମୁକାବିଲା ଲାଗି ଇଂଲଣ୍ଡ ୨୮ ବର୍ଷ ଧରି ଅପେକ୍ଷା କରି ରହିଛି। କ୍ରୋଏସିଆ ମଧ୍ୟ ୨୦ ବର୍ଷ ଧରି ସେହି ସୁଯୋଗ ପାଇଁ ପ୍ରତୀକ୍ଷା କରିଛି।

ଇଂଲଣ୍ଡ-କ୍ରୋଏସିଆ ହେଡ୍‌ ଟୁ ହେଡ୍

ଉଭୟ ଦଳ ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ମୁହାଁମୁହିଁ ହେବାକୁ ଯାଉଥିବାରୁ ଏହି ମ୍ୟାଚ୍‌ର ଗୁରୁତ୍ଵ ଆହୁରି ବଢ଼ି ଯାଇଛି। କେବଳ ବିଶ୍ୱକପ୍‌ ନୁହେଁ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଏହି ଦୁଇ ଦଳ ପ୍ରଥମ ଥର ପାଇଁ ପରସ୍ପର ବିପକ୍ଷରେ ଖେଳିବେ। ଉଭୟ ଅବଶ୍ୟ ପୂର୍ବରୁ ୭ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଛନ୍ତି। ସେଥିମଧ୍ୟରୁ ଇଂଲଣ୍ଡ ଚାରିଟି ଏବଂ କ୍ରୋଏସିଆ ଦୁଇଟିରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌ ଅମୀମାଂସିତ ରହିଥିଲା।

୧୯୯୬ରେ ସେମାନେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ସେହି ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ରହିଥିଲା। ଇଂଲଣ୍ଡ ଆଗରୁ ଥରେ ଫାଇନାଲ୍‌ (୧୯୬୬) ଖେଳି ବିଜେତା ହୋଇ ସାରିଛି। କ୍ରୋଏସିଆ ପାଇଁ କିନ୍ତୁ ପ୍ରଥମ ଥର ଫାଇନାଲକୁ ଯିବାର ସୁଯୋଗ ରହିଛି। କ୍ରୋଏସିଆ ଲିଗ୍‌ ପର୍ଯ୍ୟାୟର ତିନିଟି ମୁକାବିଲା ସହ ପ୍ରି-କ୍ୱାର୍ଟର ଏବଂ କ୍ୱାର୍ଟରରେ ବିଜୟୀ ହୋଇ ସେମିଫାଇନାଲ୍‌ ଯାଇଛି। ଏହି ଦଳ ଅପରାଜେୟ ରହିଛି।

ଚଳିତ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳଙ୍କ ପ୍ରଦର୍ଶନ

ଅନ୍ୟ ପକ୍ଷରେ ଇଂଲଣ୍ଡ କେବଳ ବେଲଜିୟମ ବିପକ୍ଷ ଲିଗ୍‌ ମ୍ୟାଚ୍‌ ହାରିଛି। କ୍ରୋଏସିଆ ପ୍ରଥମ ମ୍ୟାଚ୍‌ରେ ନାଇଜେରିଆକୁ ୨-୦, ଦ୍ୱିତୀୟରେ ଆର୍ଜେଣ୍ଟିନାକୁ ୩-୦ ଏବଂ ତୃତୀୟରେ ଆଇସଲାଣ୍ଡକୁ ୨-୧ରେ ହରାଇଥିଲା। ସେହିଭଳି ପ୍ରି-କ୍ୱାର୍ଟରରେ ଡେନମାର୍କକୁ ପେନାଲ୍ଟି ସୁଟଆଉଟରେ ୩-୨ରେ ପରାସ୍ତ କରିବା ପରେ କ୍ୱାର୍ଟରରେ ସେହି ପେନାଲ୍ଟି ସୁଟଆଉଟରେ ରୁଷିଆକୁ ୪-୩ ଗୋଲ୍‌ରେ ହରାଇ ସେମିଫାଇନାଲକୁ ଯାଇଥିଲା।

ସେପଟେ ଇଂଲଣ୍ଡ ତା’ ପ୍ରଥମ ମୁକାବିଲାରେ ଟ୍ୟୁନିସିଆକୁ ୨-୧ରେ ହରାଇବା ପରେ ପାନାମାକୁ ୬-୧ରେ ପରାସ୍ତ କରିଥିଲା। ଶେଷ ଲିଗରେ କିନ୍ତୁ ବେଲଜିୟମଠାରୁ ୦-୧ରେ ହାରି ଯାଇଥିଲା। ପ୍ରି-କ୍ୱାର୍ଟରରେ କଲମ୍ବିଆକୁ ପେନାଲ୍ଟି ସୁଟଆଉଟରେ ୪-୩ରେ ହରାଇବା ପରେ କ୍ୱାର୍ଟରରେ ସ୍ୱିଡେନକୁ ୨-୦ରେ ମାତ୍‌ ଦେଇ ସେମିଫାଇନାଲ୍‌ ଯାଇଥିଲା।

ଚଳିତ ବିଶ୍ୱକପ୍‌ରେ ଇଂଲଣ୍ଡ ଗୋଟିଏ ପରାଜୟ (ବେଲ୍‌ଜିୟମ୍‌ ବିପକ୍ଷ ମ୍ୟାଚ୍‌) ସହ ନିଜ ଗ୍ରୁପ୍‌ରେ ଦ୍ୱିତୀୟ ସ୍ଥାନ ପାଇଥିଲା ବେଳେ ଅପରାଜେୟ କ୍ରୋଏସିଆ ନିଜ ଗ୍ରୁପ୍‌ର ବିଜେତା ହୋଇଥିଲା। ତେବେ କ୍ୱାର୍ଟର ଫାଇନାଲ୍‌ରେ ସ୍ୱିଡେନ୍‌ ବିପକ୍ଷରେ ୨-୦ରେ ସହଜ ବିଜୟ ସହ ଇଂଲଣ୍ଡ ସେମିଫାଇନାଲ୍‌ ପହଞ୍ଚିଥିଲା ବେଳେ ରୁଷିଆ ବିପକ୍ଷରେ ବିଜୟ ସହ କ୍ରୋଏସିଆ ସେମିରେ ପହଞ୍ଚିଛି।

ଚଳିତ ବିଶ୍ୱକପ୍‌ରେ ଗ୍ରୁପ୍‌ ପର୍ଯ୍ୟାୟରେ ୭ ଓ ମୋଟ ୧୦ (ପେନାଲ୍‌ଟିକୁ ବାଦ୍‌ ଦେଇ) ଗୋଲ୍‌ କରିଥିଲା ବେଳେ ଇଂଲଣ୍ଡ ଗ୍ରୁପ୍‌ ପର୍ଯ୍ୟାୟରେ ୮ ଓ ମୋଟ ୧୧ (ପେନାଲ୍‌ଟିକୁ ବାଦ୍‌ ଦେଇ) ଗୋଲ୍‌ ଦେଇ ସେମିଫାଇନାଲ୍‌ ପହଞ୍ଚିଛି।

ଇତିହାସ କ’ଣ କହୁଛି?

ଇଂଲଣ୍ଡ ୨୮ ବର୍ଷ ପରେ ପ୍ରଥମ ଥର ଲାଗି ବିଶ୍ୱକପ୍‌ ସେମିଫାଇନାଲ୍‌ ଖେଳିବ। ଏହି ଦଳ ଶେଷ ଥର ପାଇଁ ୧୯୯୦ରେ ସେମିଫାଇନାଲ୍‌ ପହଞ୍ଚିଥିଲା ବେଳେ ଜର୍ମାନି ନିକଟରୁ ପେନାଲ୍‌ଟିରେ ହାରିଥିଲା। ଇଂଲଣ୍ଡ ଥରେ ମାତ୍ର (୧୯୬୬) ବିଶ୍ୱକପ୍‌ ଜିତିଛି। ତାହା ପୁଣି ଘରୋଇ ମାଟିରେ।
ଅନ୍ୟପକ୍ଷରେ ୧୯୯୦ ଦଶକରେ ସ୍ୱାଧୀନ ରାଷ୍ଟ୍ର ହୋଇଥିବା କ୍ରୋଏସିଆ ଥରେ ମାତ୍ର ବିଶ୍ୱକପ୍‌ ସେମିଫାଇନାଲ୍‌ ଖେଳିଛି। ୧୯୯୮ରେ ନିଜର ପଦାର୍ପଣ ବିଶ୍ୱକପ୍‌ରେ କ୍ରୋଏସିଆ ସେମିଫାଇନାଲ୍‌ ପହଞ୍ଚିଥିଲା ବେଳେ ସେଥର ବିଜେତା ଫ୍ରାନ୍‌ସ ନିକଟରୁ ହାରିଥିଲା।

ଷ୍ଟାର୍‌ ଟୁ ୱାଚ୍
ଇଂଲଣ୍ଡର ୧୧ ଗୋଲ୍‌ ମଧ୍ୟରୁ ଫରଓ୍ଵାର୍ଡ ତାରକା ହାରି କେନ୍‌ ଏକାକି ୬ ଗୋଲ୍‌ କରି ଚଳିତ ବିଶ୍ୱକପ୍‌ର ଅଗ୍ରଣୀ ଗୋଲ୍‌ ସ୍କୋରର୍‌ ରହିଛନ୍ତି। ସେ ମଧ୍ୟ ଜଣେ ଇଂଲଣ୍ଡ ଖେଳାଳି ଭାବେ ବିଶ୍ୱକପ୍‌ରେ ସର୍ବାଧିକ ଗୋଲ୍‌ କରିବାରେ ପୂର୍ବତନ ଷ୍ଟ୍ରାଇକର୍‌ ଗ୍ୟାରି ଲିନେକର୍‌ଙ୍କ ସମକକ୍ଷ ହୋଇଛନ୍ତି। ପୁଣି ଇଂଲଣ୍ଡର ୧୧ ଗୋଲ୍‌ ମଧ୍ୟ ଗୋଟିଏ ବିଶ୍ୱକପ୍‌ରେ ଦେଶର ସର୍ବାଧିକ ଗୋଲ୍‌ ସମକକ୍ଷ।

ରିଅଲ ମାଦ୍ରିଦ୍‍ର ଲୁକା ମୋଡ୍ରିଚ୍‍ ଏହି ବିଶ୍ୱକପ୍‍ରେ କ୍ରୋଏସିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ଦଳର ମିଡ୍‍ଫିଲ୍‍ଡର ନେତୃତ୍ୱ ନେଇଛନ୍ତି। ମିଡ୍‍ଫିଲ୍‍ଡରେ ମୋଡ୍ରିଚ୍‍ଙ୍କ ସହ ବାର୍ସେଲୋନାର ଇଭାନ୍‍ ରାକିଟିଚ୍‍ ଓ ଇଣ୍ଟର ମିଲାନ୍‍ର ଇଭାନ୍‍ ପେରିସିଚ୍‍ ରହିଛନ୍ତି। ଏଦୁହେଁ ମଧ୍ୟ ମୋଡ୍ରିଚ୍‍ଙ୍କ ସହ ମିଶି ଚମତ୍କାର ପ୍ରଦର୍ଶନ କରିଛନ୍ତି।

ଭାରତୀୟ ସମୟ ୧୧.୩୦ ଆରମ୍ଭ ହେବ ଏହି ମ୍ୟାଚ।

Comment