ଓଡ଼ିଶାଲାଇଭ୍ ବ୍ୟୁରୋ

- ୧୦୮ ଆମ୍ବୁଲାନ୍ସ ସେବାରେ ଯୋଡ଼ି ହୋଇଛି ଆଉ ୨୬ଟି ଆମ୍ବୁଲାନ୍ସ
- ଆଦିବାସୀ ଅଧ୍ୟୁଷିତ ଜିଲାମାନଙ୍କରେ ଜରୁରୀକାଳୀନ ସେବାକୁ ଅଧିକ ପ୍ରସାର କରିବା ଲକ୍ଷ୍ୟ
- ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ପତାକା ହଲାଇ ଏହି ଆମ୍ବଲାନ୍ସ ସେବା ଆରମ୍ଭ
- ଆଗାମୀ ଦିନରେ ବାକି ୪୨ଟି ଆମ୍ବୁଲାନ୍ସକୁ ସେବାରେ ସାମିଲ କରାଯିବ:ପ୍ରତାପ ଜେନା
ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାରେ ଯୋଡ଼ି ହୋଇଛି ଆଉ ୨୬ଟି ଆମ୍ବୁଲାନ୍ସ। ଭୁବନେଶ୍ୱର ସ୍ଥିତ ରାଜ୍ୟ ପରିବହନ ଭବନଠାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ପତାକା ହଲାଇ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।
“ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲାମାନଙ୍କରେ ଜରୁରୀକାଳୀନ ସେବାକୁ ଅଧିକ ପ୍ରସାର କରିବା ପାଇଁ, ସେବାର କ୍ରମବର୍ଦ୍ଧିଷ୍ଣୁ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ଵ ପାଣ୍ଠିରୁ ଏହି ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ଆଗାମୀ ଦିନରେ ବାକି ୪୨ଟି ଆମ୍ବୁଲାନ୍ସକୁ ସେବାରେ ସାମିଲ କରାଯିବ।”, କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା।
ଗତବର୍ଷ ଡିସେମ୍ବର ୨୩ରେ ମୁଖ୍ୟମନ୍ତ୍ରୀ ୯୨ଟି ଆମ୍ବୁଲାନ୍ସକୁ ଓଡ଼ିଶା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ତନ୍ମଧ୍ୟରୁ ଉକ୍ତ ଦିନ ୨୪ ଟି ଆମ୍ବୁଲାନ୍ସ ଲୋକାର୍ପଣ କରାଯାଇଥିଲା। ଆଜି ୨୬ଟି ଉଦଘାଟନ ହୋଇଛି।
ରାଜ୍ୟରେ ଗତ ୨୦୧୩ ମସିହାରୁ ୧୦୮ ଜରୁରୀକାଳୀନ ଆମ୍ବଲାନ୍ସ ସେବା ଆରମ୍ଭ ହୋଇଛି। ୧୦୮ ଆମ୍ବୁଲାନ୍ସ ସେବା ବ୍ୟତୀତ ଗର୍ଭବତୀ ମା ଏବଂ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ନିମନ୍ତେ ୫୦୦ ଗୋଟି ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି। ଏପର୍ଯ୍ୟନ୍ତ ରାଜ୍ୟର ୩୫ ଲକ୍ଷରୁ ଅଧିକ ଲୋକ ଏହି ସେବା ଦ୍ୱାରା ଉପକୃତ ହୋଇଥିବା ବେଳେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି।
୨୮ ଟି ବିଏଲ୍ଏସ୍(ବେସିକ ଲାଇଫ ସପୋର୍ଟ) ଆମ୍ବୁଲାନ୍ସକୁ ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସକୁ ରୂପାନ୍ତରିତ କରିବା ନିମନ୍ତେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଆବଶ୍ୟକ ଅର୍ଥ ଯୋଗାଇ ଦେଇଛନ୍ତି। ଏହି ଅତିରିକ୍ତ ଆମ୍ବୁଲାନ୍ସ ଗୁଡିକ ନିମନ୍ତେ ୫ ବର୍ଷ ପାଇଁ ୯୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
ଏହି ଶୁଭାରମ୍ଭ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମ ଏମ୍ଡି ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଏବଂ ସେବା ପ୍ରଦାନକାରୀ ଚିକିତ୍ସା ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।














