ଓଡ଼ିଶାଲାଇଭ୍ ବ୍ୟୁରୋ

ତାଜମହଲର ସୌନ୍ଦର୍ଯ୍ୟ ରକ୍ଷା କରିନପାରିଲେ ଏହାକୁ ବନ୍ଦ କରିଦିଅ ବୋଲି ଚରମବାଣୀ ଶୁଣାଇଛନ୍ତି ସୁପ୍ରିମକୋର୍ଟ।
ବିଶ୍ୱପ୍ରସିଦ୍ଧ ତାଜମହଲର ରକ୍ଷଣାବେକ୍ଷଣକୁ ନେଇ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ତାଜମହଲର ସୌନ୍ଦର୍ଯ୍ୟ ରକ୍ଷା କରିନପାରିଲେ ଏହାକୁ ବନ୍ଦ କରିଦିଅ କିମ୍ବା ଉଚ୍ଛେଦ କରିଦିଅ ବୋଲି ସରକାର ଓ ତାଜମହଲର ରକ୍ଷଣାବେକ୍ଷଣରେ ନିୟୋଜିତ ବିଭିନ୍ନ ସଂସ୍ଥାକୁ କଡ଼ା ଭାଷାରେ ତାଗିଦ କରିଦେଇଛନ୍ତି।
ମୋଗଲ ସମ୍ରାଟ ଶାହଜାହାନଙ୍କ ଦ୍ୱାରା ଉତ୍ତରପ୍ରଦେଶର ଆଗ୍ରାରେ ୧୬୪୩ ମସିହାରେ ନିର୍ମିତ ହୋଇଥିଲା ତାଜମହଲ। ୟୁନେସ୍କୋର ବିଶ୍ୱଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ଏହି ସ୍ମାରକୀ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଆଗ୍ରା ସହରରେ ଅଧିକରୁ ଅଧିକ ଶିଳ୍ପ ସଂସ୍ଥା ଗଢ଼ି ଉଠିବା ସହ ତାଜ ମହଲ ଓ ଏହାର ଆଖପାଖ ଅଞ୍ଚଳ ପ୍ରଦୂଷିତ ହେବାରେ ଲାଗିଛି। ପ୍ରଦୂଷଣର ମାତ୍ରା ଏତେ ଅଧିକ ଯେ ଶଙ୍ଖମଲମଲ ପଥରରେ ନିର୍ମିତ ତାଜମହଲର ରଙ୍ଗ ବି ବଦଳିବାରେ ଲାଗିଛି। ସାରା ସହର ଘନ କୁହୁଡ଼ିର ଆସ୍ତରଣରେ ଢାଙ୍କି ହୋଇରହୁଛି। ଏହି ଐତିହାସିକ ସ୍ମାରକୀର ସୌନ୍ଦର୍ଯ୍ୟ ରକ୍ଷା ନିମନ୍ତେ ଆଗତ ବିଭିନ୍ନ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏ ସଂପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାର ତଦାରଖ ଦାୟିତ୍ୱ ନିଜ ପାଖରେ ରଖିଥିଲେ।
ବୁଧବାର ଦିନ ବିଚାରପତି ଏମ୍ ବି ଲୋକୁର ଏବଂ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ବେଳେ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ତାଜମହଲର ଉପଯୁକ୍ତ ରକ୍ଷଣାବେକ୍ଷଣ କରିନପାରିଲେ ଏହାକୁ ବନ୍ଦ କରିଦେବାକୁ କିମ୍ବା ଉଚ୍ଛେଦ କରିଦେବାକୁ କହିଥିଲେ।
ପ୍ୟାରିସ୍ର ଏଫିଲ ଟାୱାର ସହ ତାଜମହଲର ତୁଳନାକରି ଖଣ୍ଡପୀଠ କହିଥିଲେ ଯେ, ତାଜମହଲର ସୌନ୍ଦର୍ଯ୍ୟ ବହୁଗୁଣ ଅଧିକ। କିନ୍ତୁ ଏଫିଲ ଟାୱାରକୁ ୮ କୋଟି ପର୍ଯ୍ୟଟକ ଆସୁଥିବା ବେଳେ ତାଜମହଲକୁ ଏହାର ଆଠ ଭାଗରୁ ଭାଗେ ପର୍ଯ୍ୟଟକ ଆସୁନାହାନ୍ତି। ଏଥିପାଇଁ ତାଜମହଲ ପ୍ରତି ସରକାରୀ ଅବହେଳାକୁ ସିଧାସଳଖ ଦାୟୀ କରିଥିଲେ ସୁପ୍ରିମକୋର୍ଟ।
ଦେଶର ପ୍ରମୁଖ ଐତିହାସିକ ସ୍ଥଳୀ ମଧ୍ୟରେ ସର୍ବପ୍ରଥମ ସ୍ଥାନରେ ରହିଛି ତାଜମହଲ। ସରକାରୀ ତଥ୍ୟ ଅନୁସାରେ ୨୦୧୭ ମସିହାରେ ଏଠାକୁ ଆସିଥିଲେ ପ୍ରାୟ ଏକ କୋଟି ପର୍ଯ୍ୟଟକ। ସରକାର ଓ ସଂପୃକ୍ତ ସଂସ୍ଥାଗୁଡ଼ିକର ଅମନଯୋଗିତା ଏବଂ ଅବହେଳା ଯୋଗୁଁ ଏଠାକୁ ଆଶାନୁରୂପ ପର୍ଯ୍ୟଟକ ଆସୁନାହାନ୍ତି ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି।
ତାଜମହଲ ସଂପର୍କରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଦେଇଥିବା ରିପୋର୍ଟର ସୁପାରିସକୁ ମଧ୍ୟ ସରକାର ଗ୍ରହଣ କରିନାହାନ୍ତି ଓ ଏଭଳି ଅବସ୍ଥା ଲାଗି ରହିବା ଅପେକ୍ଷା ତାଜମହଲକୁ ସବୁଦିନ ପାଇଁ ବନ୍ଦ କରିଦେବା ଭଲ ହେବ ବୋଲି କ୍ଷୋଭର ସହ କହିଛନ୍ତି ସୁପ୍ରିମକୋର୍ଟ। ତାଜମହଲର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସରକାର ଦାଖଲ କରିଥିବା ସତ୍ୟପାଠକୁ ଅଗ୍ରାହ୍ୟ କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ସାନି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହିତ ଏହି ପ୍ରସଙ୍ଗର ଗୁରୁତ୍ୱ ଦୃଷ୍ଟିରୁ ଜୁଲାଇ ୩୧ ତାରିଖରୁ ଏହି ମାମଲାର ଶୁଣାଣି ପ୍ରତିଦିନ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।














