ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶାଖାପାଟଣା, (ଯଶୋବନ୍ତନାରାୟଣ ପାଢ଼ୀ): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ବିଶାଖାପାଟଣା ସହର। ଚଳିତବର୍ଷ ବିଶାଖାପାଟଣା ସହରରେ ୫ଟି ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି ପବିତ୍ର ଘୋଷଯାତ୍ରା।

ବିଶାଖାପାଟଣାର ଦଶପଲ୍ଲା ହିଲ୍‌ସଠାରେ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ, ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ଉକୁନଗରମଠାରେ ଉତ୍କଳିକା କଲଚୁରାଲ ଆସୋସିଏସନ, ପୁରୁଣା ମାର୍କେଟଠାରେ ଜଗନ୍ନାଥ ମନ୍ଦିର କମିଟି, ପେଡ଼ାଗନ୍ତିୟାଡାସ୍ଥିତ ନୀଳଚକ୍ର ଓଡ଼ିଆ ସମାଜ ଓ ଇସ୍କନ ମନ୍ଦିର ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

ଦଶପଲ୍ଲା ହିଲ୍‌ସ ନିକଟ ଜଗନ୍ନାଥ ମନ୍ଦିରରେ ଆଜି ଅପରାହ୍ଣ ୩ ଟା୩୦ରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ପହଣ୍ଡି କରାଯାଇଥିଲା।ଅନ୍ୟ ଅନୁଷ୍ଠାନ ପକ୍ଷରୁ ଅପରାହ୍ନ ୪ଟା ସମୟରେ ପହଣ୍ଡି କରାଯାଇଥିଲା।

ଦଶପଲ୍ଲା ହିଲସ ନିକଟରେ ଉତ୍କଳ ସାଂସ୍କୃତିକ ସମାଜ ଆନୁକୂଲ୍ୟରେ ଆୟୋଜିତ ରଥଯାତ୍ରାରେ ସଂଗଠନର ସଭାପତି ଜିତେନ୍ଦ୍ର କୁମାର ନାୟକ, ଉପସଭାପତି ଡାକ୍ତର କେ.କେ. ପାଢ଼ୀ, ପି.କେ ବିଶ୍ୱାଳ, ପି.କେ. ବେହେରା, ମହେଶ୍ୱର ସାହୁଙ୍କ ସହ ପ୍ରାୟ ୫୦୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଓ ୨୦୦୦ରୁ ଅଧିକ ଅଣଓଡ଼ିଆ ସାମିଲ୍ ହୋଇଥିଲେ। ଓଡ଼ିଶାର ଦଶପଲ୍ଲା ରାଜା ପ୍ରମୋଦ ଚନ୍ଦ୍ର ଦେଓଭଞ୍ଜ ଛେରା ପହଁରା କରିଥିଲେ ଏବଂ ପରେ ସନ୍ଧ୍ୟା ୫ଟାରେ ରଥଟଣା ହୋଇଥିଲା।

ଏଠାରେ ଦଶପଲ୍ଲା ହିଲ୍‌ସ ନିକଟରୁ ୬ କିଲୋମିଟର ଦୂର ଆପୁଘର ନିକଟ ଗୁଣ୍ଡିଚା ମନ୍ଦିର ଯାଏଁ ରଥଟଣା ଯାଇଥିଲା। ପୁରୁଷଙ୍କ ସମେତ ବହୁ ମହିଳାଭକ୍ତ ରଥ ଟାଣିଥିଲେ। ଚଳିତ ବର୍ଷ ଏଠାରେ ରଥଯାତ୍ରା ୨୮ ବର୍ଷରେ ପଦାର୍ପଣ କରିଥିବା ଜଣାପଡ଼ିଛି।

ସେହିପରି ବିଶାଖାପାଟଣା ଷ୍ଟିଲପ୍ଲାଣ୍ଟର ସେକ୍ଟର ୫, ଉକୁନଗରମରେ ରହିଥିବା ପ୍ରଭୁ ଜଗନାଥଙ୍କ ମନ୍ଦିରରେ ଘୋଷଯାତ୍ରା  ଉତ୍କଳିକା କଲଚୁରାଲ ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏଠାରେ ଷ୍ଟିଲ ପ୍ଲାଣ୍ଟର ଅଧ୍ୟକ୍ଷ ଛେରାପହଁରା କରିବାପରେ ଅପରାହ୍ଣ ୪ଟାରେ ରଥଟଣା ହୋଇଥିଲା। ଜଗନ୍ନାଥଙ୍କ ରଥ ଷ୍ଟିଲ ପ୍ଲାଣ୍ଟର ୧୨ଟି ସେକ୍ଟର ଭ୍ରମଣ କରି ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥିଲା।

ସେହିପରି ପେଡ଼ାଘଣ୍ଟିୟାଡାଠାରେ ନୀଳଚକ୍ର ଓଡ଼ିଆ ସମାଜ ପକ୍ଷରୁ ରଥଯାତ୍ରାର ଆୟୋଜନ କରାଯାଇଥିଲା। ଏଠାରେ ବସବାସ କରୁଥିବା ଓଡ଼ିଆମାନେ ନିଜସ୍ୱ ଖର୍ଚ୍ଚରେ ରଥଯାତ୍ରାର ଆୟୋଜନ କରି ଆସୁଛନ୍ତି।

ଇସ୍କନ ମନ୍ଦିର ପକ୍ଷରୁ ବିଶାଖାପାଟଣାର ବିଚ ରୋଡ ନିକଟରେ ଓ ପୁରୁଣା ମାର୍କେଟ ନିକଟ ତେଲୁଗୁ ଜଗନ୍ନାଥ କମିଟି ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ସହରରେ ଶାନ୍ତି ଶୃଙ୍ଖଳା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Comment